ରଥ ଖଳା ହାଲଚାଲ: ସରିଲା ତିନି ରଥର 32 ଚକ ନିର୍ମାଣ - Puri Ratha Construction work

By ETV Bharat Odisha Team

Published : Jun 2, 2024, 1:20 PM IST

thumbnail
Puri Ratha Construction (ETV Bharat Odisha)

Puri Ratha Construction ପୁରୀ: ଜୋରସୋରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ଆଜି ସୁଦ୍ଧା ୩୧ଟି ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟପଟେ ତିନି ରଥର ମୁହାଣ୍ଟ, ନିରାଡ଼ି, ଖମ୍ବ, ଓରା ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି  । ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ୧୦ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି  । ଅନ୍ୟପଟେ ତାଳଧ୍ୱଜ ଚକର ଏକାଦଶ ଚକରେ ସଂଯୁକ୍ତ ପଇ ସାମାନ୍ୟ ଚଡକି ଯାଇଥିବା ପରିଲକ୍ଷିତ ହେବାରୁ ଉକ୍ତ ପଇକୁ ଅପସାରଣ କରାଯାଇଛି । ନୂତନ ପଇ ବିନ୍ଧ କାର୍ଯ୍ୟ ପରେ ଏହି ଚକରେ ସଂଯୁକ୍ତ ହେବ । ୧୨ତମ ଚକ ତୁମ୍ବରେ ପଇ ସଂଯୋଗ ଶେଷ ହୋଇଛି । ଏଥିସହ ତାଳଧ୍ଵଜ ରଥର ୧୨ ଗୋଟି କୁଡୁକା, ୧୧ଟି ଗୁଜ, ୮ଟି ତିଖ ଗୁଜ ଏବଂ ୯ଟି ଜଳଯନ୍ତ୍ର ଶେଷ ହୋଇଛି । ଏହାଛଡା ମୋଟ ୪ଟି ମୁହାଣ୍ଟରୁ ଦୁଇଗୋଟି ମୁହାଣ୍ଟର ଚଉପଟ କାର୍ଯ୍ୟ ଶେଷ ହୋଇଛି । 

ଏଥିସହ ୮ଟି ଖମ୍ବରୁ ୪ଟି ଖମ୍ବର ଚଉପଟ ଶେଷ ହୋଇଛି । ଚାରି ଗୋଟି ଓରା ମଧ୍ୟରୁ ଦୁଇଟି ଓରା ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟ ପାର୍ଶ୍ଵର ବିନ୍ଧ କାର୍ଯ୍ୟ ବାକି ରହିଛି । ଏତଦ୍ ବ୍ୟତୀତ ଆଜି(ରବିବାର) ତାଳଧ୍ଵଜ ରଥର ୪୦ ଫୁଟିଆ ପୋଲ ଗୟଳ କାଠର ବାଗିଆ ମାପ ପଡ଼ି ଚିରଟ କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଆରମ୍ଭ ହୋଇଛି । ଦର୍ପଦଳନ ରଥର ମୋଟ ୧୨ଟି ଚକ ମଧ୍ୟରୁ ଆଜିସୁଦ୍ଧା ୯ଟି ଚକ ନିର୍ମାଣ ଶେଷ ହୋଇଛି । ବାକି ତିନୋଟି ଚକ ପାଇଁ ପଇ କଟାଯାଇ ସାଲ କାର୍ଯ୍ୟ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ରଥଖଳା ହାଲଚାଲ: ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - Puri Ratha Construction Work
 

ଏଥିସହ ଦର୍ପଦଳନ ରଥର କୁଡୁକା, ଗୁଜ, ତୀଖ ଗୁଜ, ଜଳଯନ୍ତ୍ର ପୂର୍ବରୁ ଶେଷ ହୋଇଥିଲା । ଏଥିସହ ଦେବୀ ରଥର ମୋଟ ୪ଟି ମୁହାଣ୍ଟ, ୪ଟି ଓରାରୁ ୨ଟି ମୁହାଣ୍ଟ, ୨ଟି ଓରାର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ କାର୍ଯ୍ୟ ବାକି ରହିଛି ।

ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ୧୨ଟି ଚକ ନିର୍ମାଣ ଶେଷ ହୋଇଛି । ୧୩ତମ ଚକର ପଇ କଳସା ସହ ଅଖ ବିନ୍ଧର ତୁଲିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୪ ଓ ୧୫ ତମ ଚକ ପାଇଁ ଅର କଟାଯାଇ ଅର ସାଲ ଜାରି ରହିଛି । ଏଥିସହ ନନ୍ଦିଘୋଷ ରଥର ଦୁଇଟି ମୁହାଣ୍ଟ, ଦୁଇଟି ଓରାର ଚଉପଟ କାର୍ଯ୍ୟ ଶେଷ ପରେ ଆଉ ଦୁଇଟି ଓରାଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ଏଥିସହ ମୁଖ୍ୟ ମହାରଣାଙ୍କ ଦ୍ଵାରା ବାକି ୭ଟି ଅଖର ମାପ ପଡ଼ି ଚିହ୍ନ ଗାରିଆ ଶେଷ ହୋଇ ଅଖଗୁଡ଼ିକର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ନନ୍ଦିଘୋଷ ରଥର ୮ଟି ଖମ୍ବର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ତିନି ରଥର ସାଲ ଗୁଜରେ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି  । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଅର କଣ୍ଟା ଶେଷ ପରେ ତିନି ରଥର ଅଖ, ଦଣ୍ଡା ପାଇଁ ଦଣ୍ଡା ବିଡିଆ ଏବଂ ଅଗ ପାତେଳୀ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.