ଆଜି ଅଣସର ତ୍ରୟୋଦଶୀ ତିଥି; ଶ୍ରୀମନ୍ଦିରକୁ ବିଜେ ହେଲା ଖଳି ପ୍ରସାଦ, ଲାଗି ହେବ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ - Rath Yatra 2024

By ETV Bharat Odisha Team

Published : Jul 4, 2024, 5:43 PM IST

thumbnail
ଆଜି ଅଣସର ତ୍ରୟୋଦଶୀ ତିଥି; ଶ୍ରୀମନ୍ଦିରକୁ ବିଜେ ହେଲା ଖଳି ପ୍ରସାଦ, ଲାଗି ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ (ETV Bharat Odisha)

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଗତକାଲି ଅଣସରର ଦ୍ବାଦଶୀ ତିଥିରେ ଦଇତା ଓ ପତିମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ । ରଥଯାତ୍ରାର ସୁପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ । ଆଜି ଅଣସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣାଲାଗି, ଖଳି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉମାନଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଏନେଇ ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତ୍ରୀ, କାହାଳି ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଇଛି । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । 


ମହାପ୍ରଭୁ ସୁସ୍ଥ ହୋଇ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀମନ୍ଦିରରେ ଦଇତାପତି ସେବାୟତମାନେ ବେଶ୍ ନିଷ୍ଠାର ସହ ସମସ୍ତ କାର୍ଯ୍ୟ ଚଳାଇଛନ୍ତି । ତେବେ ମହାପ୍ରଭୁଙ୍କୁ ଲାଗି ହେଉଥିବା ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥିଲେ । ଶୁଦ୍ଧ ସୁଆରଙ୍କ ବାସଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବା ପରେ ବିଜେ କାହାଳୀ ବାଜିଥିଲା । ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.