ଧୁମଧାମରେ ପାଳନ ହେଲା ଚୈତ୍ର ପୂର୍ଣ୍ଣିମା, ଝାମୁ ନିଆଁରେ ଚାଲିଲେ ମାନସିକଧାରୀ - Dhenkanal Jhamu Yatra 2024 - DHENKANAL JHAMU YATRA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 24, 2024, 8:08 AM IST


Dhenkanal Jhamu Yatra 2024 ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ମଙ୍ଗଳା ମାଆ ପୀଠରେ ଧୁମଧାମରେ ପାଳନ ହୋଇଛି ଝାମୁଯାତ୍ରା  । ଶତାଧିକ ଶ୍ରଦ୍ଧାଳୁ ନିଆଁରେ ଚାଲି ନିଜ ମାନସିକପୂରଣ କରିଛନ୍ତି  । ଚୈତ୍ର ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ମାଆ ମଙ୍ଗଳାଙ୍କୁ ପୂଜା କରିବା ସହ ଚଇତି ଯାତ୍ରା ଅର୍ଥାତ୍ ଝାମୁଯାତ୍ରା ପାଳନ ହୋଇଯାଇଛି  । ବିଶ୍ୱାସ ଓ ପରମ୍ପରା ଆଧାରିତ ଏହି ବେଶ ଧୁମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି  । 

ଢେଙ୍କାନାଳ ଜିଲ୍ଲା  ସଦର ବ୍ଲକ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମରେ ମଧ୍ୟ ଧୁମଧାମରେ ପାଳନ ହୋଇଯାଇଛି ଚୈତ୍ର ପୂର୍ଣ୍ଣିମା  । ଗ୍ରାମଦେବୀ ମଙ୍ଗଳାଙ୍କ ପୀଠରେ ପୂଜା ପାଠ ସାଙ୍ଗକୁ ଗ୍ରାମରେ ସମୂହ ଭୋଜି ଭାତରେ ମସଗୁଲ ହୋଇପଡିଥିଲେ ଗ୍ରାମବାସୀ । ଏଥିସହ ଗ୍ରାମର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଇଥିଲା  । ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗ ଦେଇଥିଲେ  । 

ଏହାମଧ୍ୟ ପଢନ୍ତୁ.. ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଲା ଝାମୁଯାତ୍ରା, ରଡ ନିଆଁରେ ଚାଲିଲେ ପାଟୁଆ - Jhamu Jatra

ସେହିପରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ମାଆ ମଙ୍ଗଳା ପୀଠରେ ଧୁମଧାମରେ ପାଳିତ ହେଉଛି ବାର୍ଷିକ ଉତ୍ସବ । ଏହି ଅବସରରେ ମାଆଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକଧାରୀମାନେ ନିଜର ମାନସିକ ପୂରଣ ପାଇଁ ଝାମୁ ଚଲାରେ ସାମିଲ ହୋଇଥିଲେ । ନିଆଁ ବା ଝାମୁରେ ଚାଲି ମାଆଙ୍କ ପାଖରେ ନିଜର ନିଷ୍ଠା ରଖି ମାନସିକ ପୂରଣ ପାଇଁ ଶରଣ ପଶିଥିଲେ ।

ଏହି ପୀଠର ପରମ୍ପରା ମୁତାବକ, ସପ୍ତାହ ପୂର୍ବରୁ ମଙ୍ଗଳବାର ଭୋର ସମୟରେ ମାଆଙ୍କ ଘଟ ଉଠାଇ ସ୍ଥାନୀୟ କୁଞ୍ଜକାନ୍ତ ପୋଖରୀରୁ କଳସ ଜଳ ଅଣାଯାଇ ପୀଠରେ କଳସ ସ୍ଥାପନ କରାଯାଏ । ପରେ ସପ୍ତାହ ବ୍ୟାପୀ ଭକ୍ତମାନେ ସାହି ସାହି ବୁଲି ମା'ଙ୍କର ମାଜଣା କରିଥାନ୍ତି । ଚୈତ୍ର ପୂର୍ଣ୍ଣିମା ଅବସରରେ ପ୍ରାତଃ ସମୟରେ ନାନା ରୀତିନୀତି ମୁତାବକ ମା' ଙ୍କ ମହାସ୍ନାନ କରିବା ପରେ ସାହି ଭ୍ରମଣ କରିଥାନ୍ତି । ଏହି ସମୟରେ ଚଣ୍ଡୀପାଠ, ହୋମ ଯଜ୍ଞ ସାଙ୍ଗକୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ । ପରେ ପ୍ରସ୍ତୁତ ପାଞ୍ଚ ହାଣ୍ଡି ପଣା ପାଣି ପରେ ପନାହାଣ୍ଡି ଭାଙ୍ଗି ଝାମୁରେ ଅଗ୍ନିସଂଯୋଗ କରାଯାଏ ।  ସ୍ଥାନୀୟ ପୋଖରୀରେ ସ୍ନାନ କରିବା ସହିତ ଶୀତୁଲା ପୂଜା କରିବା ପରେ ପୂଜକଙ୍କ ଠାରେ ଠାକୁରାଣୀ ଉଭା ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଢୋଲ ମାଦଳ ଓ ବିଭିନ୍ନ ଘଣ୍ଟା ଘଣ୍ଟାର ତାଳେ ତାଳେ ମାଆ ଝୁଲି ଝୁଲି ପୀଠକୁ ଆସି ଝାମୁ ଚଲାରେ ସାମିଲ ହୋଇଥାନ୍ତି  । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.