ଭୁବନେଶ୍ୱର: ଉଦଘାଟନ ହେଲା ରାଜ୍ୟ 'ଯୁବ ବିଜ୍ଞାନ ମେଳା ୨୦୨୪' । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟ 'ଯୁବ ବିଜ୍ଞାନ ମେଳା-୨୦୨୪' । ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଜ୍ଞାନ ମେଳାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି । ଏହି ବିଜ୍ଞାନ ମେଳାରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେବା ସହ ସେମାନଙ୍କର ସୃଜନଶୀଳତାର ପ୍ରଦର୍ଶନ କରିଛନ୍ତି । ଏହି ଯୁବ ବୈଜ୍ଞାନିକଙ୍କ ଜ୍ଞାନ କୌଶଳକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଲି ବୁଲି ଦେଖିବା ସହ ସେମାନଙ୍କ ସୃଜନଶୀଳତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି," ଛୋଟ ଛୋଟ ବୈଜ୍ଞାନିକମାନଙ୍କୁ ଦେଖି ମନ ମୋର ପୁରା ଖୁସି ହୋଇଯାଇଛି । ଛୋଟ ବୈଜ୍ଞାନିକମାନଙ୍କ ବୁଦ୍ଧିକୁ ମାନିବାକୁ ପଡିବ । କିଏ ସେନସର କାର ନିର୍ମାଣ କରିଛି ତ କିଏ ଟ୍ରେନରେ କିପରି ଦୁର୍ଘଟଣା ନହେବ ସେ ଉପରେ ପ୍ରୋଜେକ୍ଟ କରିଛନ୍ତି । ତେଣୁ ଏହି କୁନି ବୈଜ୍ଞାନିକଙ୍କ ଜ୍ଞାନକୌଶଳକୁ ନେଇ ଆଜି ବିଜ୍ଞାନ ମେଳା ଉଦଘାଟନ କରି ମୋତେ ବହୁତ ଖୁସି ଲାଗୁଛି । ସାରା ଓଡିଶାର ଅନେକ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ପ୍ରଯୁକ୍ତି ବିଦ୍ୟା ଯେତେ ଆଗକୁ ବଢିବ ଆମ ଦେଶ ଓ ରାଜ୍ୟ ଆଗକୁ ଯିବ ଓ ବିଜ୍ଞାନ ଓ ବୈଷୟିକ କ୍ଷେତ୍ର ସେତେ ସମୃଦ୍ଧ ହେବ।"
'ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ସାଇନ୍ସ ପାର୍କ':
ସେ ଆହୁରି କହିଛନ୍ତି," ଆମେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆଗକୁ ନେବାକୁ ଯାଉଛୁ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ବିଜ୍ଞାନ କେନ୍ଦ୍ର ଓ ସାଇନ୍ସ ପାର୍କ ଖୋଲା ଯିବ । ଏପରିକି ଅନେକ ଜାଗାରେ ପ୍ଲାନେଟୋରିୟମ କାର୍ଯ୍ୟ ଚାଲିଛି ଓ ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ହେବାକୁ ଯାଉଛି । ବିଶେଷ କରି ବିଜ୍ଞାନର ବିକାଶ ସହ ଏଥିପ୍ରତି ପ୍ରତି ପିଲାମାନଙ୍କର କିଭଳି ରୁଚି ବଢିବ ତାହା ଆମ ସରକାର ବିଚାର ବିମର୍ଶ କରୁଛନ୍ତି ।"
ଅନ୍ୟପଟେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ସୃଜନଶୀଳତାର ପ୍ରଦର୍ଶନ କରିଥିବା ବେଳେ ବେଶ ଆକର୍ଷିତ କରିଥିଲା ସ୍ମୃତିମେଧା ପାଣିଗ୍ରାହୀଙ୍କ ସ୍ମାର୍ଟ କ୍ୟୁଓର ହସ୍ପିଟାଲ ଓ ବସନ୍ତ ଚଣ୍ଡାଳଙ୍କ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି । ସ୍ମୃତିମେଧା ଚିକିତ୍ସାଧୀନ ରୋଗୀଙ୍କ ଉତ୍ତମ ଓ ସୁବିଧା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିଥିବା ବେଳେ ବସନ୍ତ ଆଣ୍ଠୁ ଅଣ୍ଟା ଯନ୍ତ୍ରଣା ଓ ଶ୍ୱାସ ଜନିତ ରୋଗର ନିରାକରଣ ପାଇଁ କୃଷକଙ୍କ ପାଇଁ ଏକ କୃଷି ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଚାଷୀଟିଏ ବେଶ ସହଜରେ ଧାନରୁ ଗୋଡି, ମାଟି ଓ ବାଲିକୁ ଅଲଗା କରିପାରିବେ । ଦୁଇ ବୈଜ୍ଞାନିକଙ୍କ ନିଆରା ପ୍ରତିଭାକୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଉଭୟ ନିଜ ଗବେଷଣାକୁ ବାସ୍ତବ ରୂପ ଦେବା ସହ ବଡ ବୈଜ୍ଞାନିକ ହେବାର ସ୍ବପ୍ନ ରଖିଛନ୍ତି ।ଇଟିଭି ଭାରତ, ଭୁବନେଶ୍ୱର