କେନ୍ଦୁଝର: ବଣପାହାଡରେ ଘେରା କେନ୍ଦୁଝର ଜିଲ୍ଲା । ବନ୍ୟଜାତ ସାମଗ୍ରୀ ଉପରେ ନିର୍ଭର କରି ବର୍ଷତମାମ୍ ସେମାନଙ୍କ ଜୀବୀକା ନିର୍ବାହ କରିଥାନ୍ତି ପାରମ୍ପରିକ ବନବାସୀ । ବର୍ଷା ଦିନେ ମୁଖ୍ୟତଃ ବିଭିନ୍ନ ପ୍ରକାରର ଛତୁ ମିଳିଥାଏ । ଆଉ ଏହି ଛତୁ ହିଁ ଜନଜାତି ମହିଳାଙ୍କ ପେଟପାଟଣାର ମାଧ୍ୟମ ପାଲଟିଛି । ଏଥି ପାଇଁ ରାସ୍ତା କଡ଼ରେ ମେଲିଛି ଛତୁର ପସରା । ଭଳିକି ଭଳି ଜଙ୍ଗଲି ଛତୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ ମହିଳା ।
ବିଶେଷ କରି କେନ୍ଦୁଝର ଜିଲ୍ଲା ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଓ ସଦର ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଗ୍ରୀଷଋତୁରେ ଆମ୍ବ, ପଣସ, ଜାମୁ ସମେତ ଭଳିକି ଭଳି ସୁସ୍ୱାଦୁ କୋଳି ଜଙ୍ଗଲରୁ ସଂଗ୍ରହ କରିଥାନ୍ତି । ଏହାକୁ ନେଇ କେନ୍ଦୁଝର ସହରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ଏବେ ବର୍ଷାଋତୁ ଆସିଥିବା ବେଳେ ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ସକାଳ ବେଳା ବିଭିନ୍ନ କିସମର ଛତୁ ସଂଗ୍ରହ କରି କେନ୍ଦୁଝର ସହର ସମେତ ନିକଟସ୍ଥ ବଜାରମାନଙ୍କରେ ବିକ୍ରି କରି ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ପତର ଛତୁ ଓ ମଣ୍ଡା ଛତୁର ଚାହିଦା କମ୍ ଥିବାରୁ ଏହା କମ୍ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ରୁଟୁକା ଛତୁର ଚାହିଦା ବହୁତ ଥିବାରୁ ଏହା କି.ଗ୍ରା. ପ୍ରତି ୪୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି । ଏହା ବ୍ୟତୀତ ବିହୁଡୁଣୀ ଛତୁ ଓ ବାଲି ଛତୁର ଚାହିଦା ବହୁତ୍ ଥିବାରୁ ଲହା କି.ଗ୍ରା ପ୍ରତି ୭୦୦ରୁ ୮୦୦ଟ୍କା କି.ଗ୍ରା. ପ୍ରତି ବିକ୍ରି ହୋଇଥାଏ ।
ତେବେ ଛତୁ ସଂଗ୍ରହ କରି କେନ୍ଦୁଝର ସହରକୁ ଆସୁଥିବା ଆଦିମ ଜନଜାତିର ଏହି ମହିଳାମାନେ ଅନେକ ସମୟରେ ବେପାରୀଙ୍କ ହାବୁଡରେ ପଡ଼ି କମ୍ ମୂଲ୍ୟରେ ସେମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଦେଖା ଦେଉଛି । ସେମାନଙ୍କ ସଂଗୃହୀତ ସାମଗ୍ରୀର ବଜାର ସୁଯୋଗ ସୃଷ୍ଟି ସହ କିଭଳି ବେପାରୀଙ୍କ ଶୋଷଣର ଶୀକାର ନହେବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି । ଏହି ଜଙ୍ଗଲି ଛତୁ ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ହେଉଥିବାରୁ ସ୍ଥାନୀୟ ବଜାରରେ ଏହାର ଚାହିଦା ଅଧିକ । ଏହାକୁ ବଡରୁ ଛୋଟ ସମସ୍ତେ ବଡ ଉତ୍ସାହର ସହ ଖାଇଥାନ୍ତି । ତେଣୁ ଏହାକୁ କିଣିବା ପାଇଁ ସ୍ଥାନୀୟ ବଜାରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ଏହାସହ ଜିଲ୍ଲା ବାହାରର ଲୋକଙ୍କ ମଧ୍ୟ ଏହି ଛତୁକୁ ବଡ ଉତ୍ସାହର ସହ କିଣୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, କେନ୍ଦୁଝର