ନିଆଳି: ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ନିଆଳି ବିଧାନସଭା ଆସନରେ ମଧ୍ୟ ପରିବର୍ତ୍ତନ ହୋଇଛି । ତିନି ଥରର ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିଦା କରି ବିଜେପିରୁ ଛବି ମଲ୍ଲିକଙ୍କୁ ନିର୍ବାଚିତ କରିଛନ୍ତି ଜନତା । ଗତ 15 ବର୍ଷ ମଧ୍ୟରେ ନିଆଳି, କଣ୍ଟାପଡ଼ା, ବାରଙ୍ଗ ବ୍ଲକ ଅଞ୍ଚଳରେ ଅନେକ ମୌଳିକ ସମସ୍ୟା ରହିଥିଲେ ମଧ୍ୟ ତାହା ସମାଧାନ ହୋଇପାରି ନାହିଁ । ଏବେ ସମସ୍ତ ସମସ୍ୟାର ସମାଧାନ ପାଇଁ ନିଆଳି ସଚେତନତା ଭୋଟର ଏବଂ ବରିଷ୍ଠ ନାଗରିକ ନୂଆ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି। ଏଥି ସହ ବିଭନ୍ନ ସରକାରୀ ଅଫିସରେ ଥିବା ଦୁର୍ନୀତି ଗସ୍ତ ଅଧିକାରୀଙ୍କୁ ବଦଳି ପାଇଁ ଦାବି ହୋଇଛି ।
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ, ଦୀର୍ଘ ବର୍ଷ ଧରି ଗୋଟିଏ ଅଞ୍ଚଳରେ ଚାକିରି କରିଥିବା ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନ୍ୟତ୍ର ବଦଳି ଦାବି ଉଠିଛି । ସେହିପରି ନିଆଳି, ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପଦବି ଖାଲି ପଡିଥିବା ବେଳେ ପୂରଣ ପାଇଁ ଦାବି ହୋଇଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ତହସିଲଦାର କାର୍ଯ୍ୟାଳୟ, ଜଳ ସମ୍ପଦ ଉପଖଣ୍ଡ, ବ୍ଲକ ଏବଂ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଗୋଟିଏ ଗୋଟିଏ ବିଭାଗରେ ସରକାରୀ ବାବୁ ୧୦ ରୁ ୧୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ବଦଳି କରାଯିବା ପାଇଁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ-'ରାସ୍ତା ନାହିଁ ତ ଭୋଟ ନାହିଁ', ସାମୂହିକ ଭୋଟ ବର୍ଜନ ଚେତାବନୀ - Vote boycott threat
ସେହିପରି ନୂଆ ନିଆଳି ବସଷ୍ଟାଣ୍ଡ, ହାଟର ପୁନଃଦ୍ଧାର, ଅଡଶପୁର ବସଷ୍ଟାଣ୍ଡ ନିର୍ମାଣ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଦାବି କରିଛନ୍ତି । ବସୁଧା ଯୋଜନା, ନଦୀବନ୍ଧ ନିର୍ମାଣ, ମରାମତି କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଏହାର ତଦନ୍ତ ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ କହିଛନ୍ତି । କନ୍ଦଳ ନଦୀର କୁଣ୍ତିମୁହଁ ନିକଟରେ ୧୫ ବର୍ଷ ତଳେ ବ୍ରିଜ ନିର୍ମାଣ ହୋଇଛି ସତ କିନ୍ତୁ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଏଠାରେ ଧନ ଜୀବନ କ୍ଷତି ହେଉଛି, ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ନିଆଳି ବ୍ଳକ କୃଷ୍ଣ ପ୍ରସାଦ ପଞ୍ଚାୟତସ୍ଥିତ ନୂଆ ବେତଣ୍ତା କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ନଥିବାରୁ ଅଞ୍ଚଳବାସୀ ହଇରାଣ ହେବା ସହ ମୃତଦେହ ଧରି କେନାଲ ପାର ହେଉଛନ୍ତି ଏଠାରେ ଏକ ବ୍ରିଜ ନିର୍ମାଣ ପାଇଁ ନୂଆ ସରକାର ଏବଂ ନିଆଳି ବିଧାୟକ ଛବି ମଲ୍ଲିକଙ୍କ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭାରତ, ନିଆଳି