ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ଯପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ସୂଚନା ମିଳିଛି । ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଛି । ଏହି ଚଢାଉରେ ୩ ଜଣ ଡିଏସପି ୧୦ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି l ଶତ୍ରୁତା ଯୋଗୁଁ ମୋତେ ଫସାଯାଇଥାଇ ପାରେ ବୋଲି କହିଛନ୍ତି ଏସିଏଫ ରେବତୀ
ଏସିଏଫଙ୍କ ସମ୍ବଲପୁର ଚିଡ଼ିଆଖନା ନିକଟ ସରକାରୀ ବାସଭବନ, କାର୍ଯ୍ୟାଳୟ, ଅଇଁଠାପାଲି ଘର, ଚର୍ଚ୍ଚ ଛକ ଘର, ଫାର୍ମ ରୋଡ ଆପଟମେଣ୍ଟ ଘର,ସମ୍ବଲପୁର ମାଲିପାଲି ଘର ସମେତ ଅନ୍ଯ ସ୍ଥାନରେ ଭିଜିଲାନ୍ସ ଛାପାମାରିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, ଏସିଏଫଙ୍କ ସମ୍ବଲପୁର ଅଇଁଠାପାଲି ଠାରେ ଗୋଟିଏ 9 ହଜାର 700 ସ୍କୋୟାର ଫୁଟର 3 ମହଲା ବିଶିଷ୍ଟ କୋଠା, ଝାରସୁଗୁଡା ରାସ୍ତାର ମାଲିପାଲିରେ ଗୋଟିଏ ବ୍ୟବସାୟୀକ କୋଠା, ବରଗଡ ପଦ୍ମପୁର ଠାରେ ଗୋଟିଏ କୋଠା, ଭୁବନେଶ୍ବର ଘାଟକିଆ ଠାରେ ଗୋଟିଏ ଫ୍ଲାଟ, ସମ୍ବଲପୁର ଫାର୍ମ ରୋଡରେ 3 ବିଏଚକେ ବିଶିଷ୍ଟ ଫ୍ଲାଟ, ଚର୍ଚ୍ଚ ଛକ ସ୍ଥିତ ବ୍ରିଜ ଧାମ ଆପାର୍ଟମେଣ୍ଟରେ ନିକଟରେ 2 ଟି 2 BHK ଫ୍ଲାଟ, ସମ୍ବଲପୁର, ବରଗଡ ଓ ପଦ୍ମପୁର ର ପ୍ରମୁଖ ସ୍ଥାନରେ ମୋଟ 7 ଟି ଦାମି ପ୍ଲଟ ରହିଛି । ଏହା ବାଦ 14 ଲକ୍ଷ 50 ହଜାର ନଗଦ ଟଙ୍କା ଜବତ ହୋଇଛି । 150 ଗ୍ରାମ ସୁନା, 300 ଗ୍ରାମ ରୁପା ମଧ୍ୟ ଜବତ କରିଛି ଭିଜିଲାନ୍ସ। ବ୍ୟାଙ୍କ, ଇନସୁରାନ୍ସ, ପୋଷ୍ଟାଲ ଆଦି ଡିପୋଜିଟର କାଗଜ ପତ୍ର ମଧ୍ୟ ରହିଛି । ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଲକ୍ଷାଧିକ ଟଙ୍କା ଇନଭେଷ୍ଟ କରାଯାଇଥିବା ନେଇ ସୂଚନା ମିଳିଛି ।
![Vigilance raid in ACF of Hirakud Wildlife Division](https://etvbharatimages.akamaized.net/etvbharat/prod-images/06-12-2024/od-sam-01-vigilance-raid-on-acf-avb-7202776_06122024112957_0612f_1733464797_135.jpg)
ହୀରାକୁଦ ବନ୍ଯପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ''ମୁଁ ସବୁ କାଗଜପତ୍ର ରଖିଛି, ବିଜନେସକୁ ସୋ କରିବି । ଶତ୍ରୁତାକୁ ନେଇ ଏହି ଚଢାଉ ହୋଇଛି । ସମସ୍ତ କାଗଜପତ୍ର ମୁଁ ଠିକ କରି ରଖିଛି । ଚଢାଉ ନେଇ କିଛି କହିବାର ନାହିଁ । ''
![Vigilance raid in ACF of Hirakud Wildlife Division](https://etvbharatimages.akamaized.net/etvbharat/prod-images/06-12-2024/od-sam-01-vigilance-raid-on-acf-avb-7202776_06122024112957_0612f_1733464797_703.jpg)
ଇଟିଭି ଭାରତ, ସମ୍ବଲପୁର