କୋରାପୁଟ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଜୟପୁର ବ୍ଲକ ଓ ପୌର ପରିଷଦର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର । ୮ ବର୍ଷ ଚାକିରିରେ ୨ଟି କୋଠା, ୧୮ ଟି ପ୍ଲଟ, ୮୫୦ ଗ୍ରାମ ସୁନା ଓ ଅଜସ୍ର ରୁପା ଅଳଙ୍କାର ଅଧିକାରୀ ଥିଲେ । ଭିଜିଲାନ୍ସ ଚଢାଉ କରି ଏସବୁ ଜବତ କରିଛି । ଜୟପୁର ଭିଜିଲାନ୍ସ ଗତକାଲି(ବୁଧବାର) ବିଶ୍ଵନାଥଙ୍କ ଜୟପୁର ବାସଭବନ ସହିତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ପରେ କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମାନେ ତାଜୁବ ହୋଇଯାଇଥିଲେ ।
ବିଶ୍ଵନାଥ ପାତ୍ର 2011 ମସିହାରେ ଆଡହକ କର୍ମଚାରୀ ଭାବେ 14 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ । ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ 2016 ମସିହାରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । 8 ବର୍ଷ ଭିତରେ ପୁଳା ପୁଳା ଟଙ୍କା ତାଙ୍କ ପାଖକୁ କିପରି ଆସିଲା ସେ ନେଇ ଚାଲିଛି ଖୋଳତାଡ଼ । ନିର୍ବାହୀ ଯନ୍ତ୍ରୀଙ୍କ ଜୟପୁର ରେ 7200 ବର୍ଗ ଫୁଟର ନିର୍ମାଣଧୀନ ତିନି ମହଲା କୋଠା, ବେଲଗୁଣ୍ଠା ରେ 3400 ବର୍ଗ ଫୁଟର ଦୁଇ ମହଲା କୋଠା, 18 ଟି ପ୍ଲଟ ଠାବ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡିଲା ଦାମୀ ଘଣ୍ଟା ସଉକ, ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ
ବିଶ୍ବନାଥଙ୍କର ବ୍ୟାଙ୍କ ଜମା ସହ ବୀମା ରାଶିକୁ ମିଶାଇ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ଜଣା ପଡ଼ିଛି । ତାଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଡ଼ିଆଇଇଟି କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ଗତକାଲି ବିଶ୍ୱନାଥଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ବିଳନୀ କରି ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ କହିଛନ୍ତି, '' ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ବିରୋଧରେ ଅନେକବାର ଅଭିଯୋଗ ଆସୁଥିଲା । ଗୁପ୍ତ ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରାଯାଇଥିଲା । ତାଙ୍କ ସ୍ତ୍ରୀ ମଧ୍ୟ ଚାକିରି କରନ୍ତି । ଏନେଇ ଜୟପୁର କୋର୍ଟଙ୍କ ଦ୍ବାରସ୍ତ ହୋଇ ସର୍ଚ୍ଚ ଓ୍ବାରେଣ୍ଟ ଆଣି ୬ଟି ସ୍ଥାନରେ ରେଡ କରାଯାଇଥିଲା । ରେଡରେ ସମ୍ପତ୍ତି ଜବତ ପରେ ଏକ ମାମଲା ରୁଜୁ କରାଯାଇଛି । ''
ଇଟିଭି ଭାରତ, କୋରାପୁଟ