ପୁରୀ: ଡ୍ରଗ୍ସ ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୋଡରେ ନୂଆ ଏସପି ଭାବେ ଯୋଗ ଦେଇଥିବା ପିନାକ ମିଶ୍ର । ଏନେଇ ଗଠନ ହୋଇଛି ସ୍ପେଶାଲ ଟିମ୍ । ପୁରୀ ସହରରେ ବ୍ରାଉନସୁଗର ବେପାର କରିବାକୁ ଆସିଥିବା ଦୁଇ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ୫୨୨ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଦେବାଶିଷ ଦାସ ଓ ଶୁଭମ ପଟ୍ଟନାୟକ।
ଦେବାଶିଷର ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଘା ଗ୍ରାମରେ ହୋଇଥିବାବେଳେ ଶୁଭମ ହେଉଛି ସାଗୁଆନବଗିଚା ଗ୍ରାମର । ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତଙ୍କଠାରୁ ଗୋଟିଏ ଦାମୀ ବାଇକ୍ ସହ ୨ ଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଆଜି ସକାଳେ ତାଳବଣିଆ ହେଲିପ୍ୟାଡଠାରେ ୩ ଜଣ ଯୁବକ ବ୍ରାଉନସୁଗର ବେପାର କରିବାକୁ ଆସିଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପରେ ସମୁଦ୍ର କୂଳ ଥାନା ଅଧିକାରୀ ଏବଂ ପୁରୀ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରିଥିବାବେଳେ ଏହି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେପଟେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ...ଫିକା ପଡିବ ନିଶା ମାଫିଆଙ୍କ ନୂଆବର୍ଷ ପ୍ଲାନ୍, ଧରାପଡ଼ିଲା ମାଛ ଗାଡିରେ ଡ୍ରଗ୍ସ ଚାଲାଣ
ଏନେଇ ଏସପି ପିନାକ ମିଶ୍ର କହିଛନ୍ତି, "ପୁରୀ ଏକ ପବିତ୍ର କ୍ଷେତ୍ର । ଏଠାରେ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗିରଫ ଦୁଇ ଅଭିଯୁକ୍ତ କାହା ପାଖକୁ ଆସିଥିଲେ ଓ କେଉଁଠାରୁ ବ୍ରାଉନସୁଗାର ଆଣିଥିଲେ ସେନେଇ ତଦନ୍ତ ଚାଲିଛି । ପୁରୀର ଗ୍ରାମାଞ୍ଚଳରେ ମଧ୍ୟ ଡ୍ରଗ୍ସ ବ୍ୟବସାୟ ଉପରେ ପୋଲିସ କଡ଼ା ନଜର ରଖିଛି । ନିଶା ବେପାରୀଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ଟିମ୍ ରହିଛି । ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯାଇ ଡ୍ରଗ୍ସ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ । ଚୋରା ମଦ ବ୍ୟବସାୟ ଉପରେ ମଧ୍ୟ ଆଗାମୀ ଦିନରେ ଚଢାଉକୁ ଜୋରଦାର କରାଯିବ ।"
ସେପଟେ ପିପିଲିରେ ଜଣେ ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଭିଡିଓ ଭାଇରାଲ ପରେ ଏନେଇ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ୍ ଆସିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ସେହିପରି ଯେଉଁଠି ନିଶା କାରବାର ହେଉଛି ସେ ସମ୍ପର୍କରେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଏସପି ପିନାକ ମିଶ୍ର ।
ଇଟିଭି ଭାରତ, ଭୁବନେଶ୍ବର