ଦେବଗଡ: ଆଦିବାସୀ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ । ରାତି ପାହିଲେ ମହୁଲ ଫୁଲ ସଂଗ୍ରହ କରିବାକୁ ଗଛମୂଳେ ଜମୁଛି ଲୋକଙ୍କ ଭିଡ଼ । ମହୁଲ ଫୁଲ ସଂଗ୍ରହ ଓ ବିକ୍ରୟ କରି ଦୁଇପଇସା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି ବଣ ମୂଳକରେ ବସବାସ କରୁଥିବା ଅଧିକାଂଶ ଆଦିବାସୀ ପରିବାର । ଦେବଗଡ଼ ଜିଲ୍ଲାର ଆଦିବାସୀ ଓ ବନବାସୀଙ୍କ ଜୀବନ ଜୀବିକା ସହିତ ମହୁଲ ଫୁଲ ବିଶେଷ ଭାବେ ଯୋଡ଼ି ହୋଇରହିଛି । ପ୍ରତିବର୍ଷ ଫଗୁଣ ଓ ଚୈତ୍ର ଦୁଇ ମାସ ଏମାନେ ମହୁଲ ଫୁଲ ସଂଗ୍ରହ କରିବା କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । ଚଳିତ ବର୍ଷ ପାଣିପାଗରେ ବ୍ୟତିକ୍ରମ ଯୋଗୁଁ ଜିଲ୍ଲାରେ ଆଶାନୁରୂପ ମହୁଲ ଫୁଲ ଆସିନାହିଁ । ତେଣୁ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ମହୁଳଫୁଲ ସଂଗ୍ରହ ମାନ୍ଦା ରହିଛି । ଯାହାକୁ ନେଇ ଚିନ୍ତାରେ ଆଦିବାସୀ ପରିବାର ।
ଏହା ମଧ୍ୟ ପଢନ୍ତୁ-ମାଲାମାଲ ହେଉଛନ୍ତି ଦଲାଲ, ଶୋଷଣର ଶିକାର ମହୁଲ ଗୋଟାଳି
ବଣ ଜଙ୍ଗଲରେ ପରିପୂର୍ଣ୍ଣ ଦେବଗଡ ଜିଲ୍ଲାର ପ୍ରାୟ 80 ପ୍ରତିଶତ ଲୋକ ଗ୍ରାମାଞ୍ଚଳ ଓ ବଣ ମୂଳକରେ ବସବାସ କରିଥାନ୍ତି । ବିଭିନ୍ନ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଓ ସେସବୁ ବିକ୍ରୟ କରି ଦୁଇପାଇସା ରୋଜଗାର କରିଥାନ୍ତି । ଏହି ବନ୍ୟ ଜାତ ଦ୍ରବ୍ୟ ମଧ୍ୟରେ ମହୁଲ ଫୁଲର ସର୍ବାଧିକ ଚାହିଦା ରହିଛି । ସେହି ଦୃଷ୍ଟିରୁ ପ୍ରତିବର୍ଷ ବିଶେଷକରି ଫଗୁଣ ଓ ଚୈତ୍ର ମାସରେ ମହୁଲ ଫୁଲ ସଂଗ୍ରହ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ଲୋକେ । ଚଳିତ ବର୍ଷ ବସନ୍ତ ଋତୁର ଆଗମନ ସହିତ ମହୁଲ ଗଛ ଗୁଡ଼ିକରେ ଫୁଲର ସମ୍ଭାର ଦେଖିବାକୁ ମିଳିଛି । ମହୁଲ ଫୁଲର ବାସ୍ନାରେ ଚତୁର୍ଦ୍ଦିଗ ମହକି ଉଠୁଛି । ପୁରୁଷ ଓ ମହିଳା ମାନେ ଭୋର ସକାଳୁ ଜଙ୍ଗଲରେ ଥିବା ମହୁଲ ଗଛ ମୂଳକୁ ପହଞ୍ଚି ଦିନକୁ ପ୍ରାୟ 5 କିଲୋରୁ 10 କିଲୋ ପର୍ଯ୍ୟନ୍ତ ମହୁଲ ଫୁଲ ସଂଗ୍ରହ କରୁଛନ୍ତି । ଏହାପରେ ମହୁଲକୁ ଘରକୁ ଆଣି 4 ରୁ 5 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ରଖିଥାନ୍ତି । ଏହାପରେ ମହୁଲ ଫୁଲ ବିକ୍ରୟ ଉପଯୋଗୀ ହୋଇଥାଏ । ଏହାକୁ ବେପାରୀଙ୍କ ହାତରେ ବିକ୍ରିକରି ଦୁଇପଇସା ରୋଜଗାର କରୁଛନ୍ତି ଲୋକେ ।
ପରିଶ୍ରମ ଅନୁଯାୟୀ ଲୋକଙ୍କୁ ମହୁଲର ଉଚିତ୍ ମୂଲ୍ୟ ମିଳି ପାରୁନାହିଁ । ଦୁଃଖର ବିଷୟ ଯେ, ସରକାରୀ ନିର୍ଦ୍ଧାରିତ ମହୁଲ ଫୁଲର ଦର କିଲୋ ପ୍ରତି 20 ରୁ 30 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ, ଗରିବ ଲୋକେ କିଲୋ ପ୍ରତି 10 ରୁ 15 ଟଙ୍କା ଦରରେ ବେପାରୀ ଓ ଦଲାଲକୁ ବିକ୍ରିକରି ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଆସୁଛନ୍ତି । ଯାହାକି ସଂଗ୍ରହକାରୀଙ୍କୁ ବ୍ୟଥିତ କରିଛି । ମହୁଲ ଫୁଲର ଅଭାବ କାରଣରୁ ଚଳିତ ବର୍ଷ ମହୁଲର ଦର ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବେଳେ, ସଂଗ୍ରହକାରୀ ବେସ ଅଧିକ ଦୁଇପଇସା ପାଇବାକୁ ଆଶାବାନ୍ଧି ବସିଛନ୍ତି ।
ଇଟିଭି ଭାରତ, ଦେବଗଡ଼