ଭବାନୀପାଟଣା: ଜମି ବିକ୍ରିରେ ଜାଲିଆତି ଉଦ୍ୟମ,ଗିରଫ ହେଲେ ଶିକ୍ଷକ । ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି ବିକ୍ରୟ ଉଦ୍ୟମ କୋର୍ଟ ଗିରଫ ହେଲେ ଶିକ୍ଷକ । ଜାଲ ଉତ୍ତରାଧିକାରୀ ପ୍ରମାଣ ପତ୍ର ଯୋଗାଉଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ପୋଲିସ ଥାନା ଅଞ୍ଚଳରେ । ଜାଲ ପ୍ରମାଣ ପତ୍ର ଦାଖଲ କରି ଏକ ଜମି ବିକ୍ରୟ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ସମେତ ତାଙ୍କୁ ଜାଲ ପ୍ରମାଣପତ୍ର ଯୋଗାଇଥିବା ଶିକ୍ଷକଙ୍କୁ ଗିରଫ କରାଯାଇଛି । ଜାମିନ ନାମଞ୍ଜୁର ହେବା ଯୋଗୁଁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁସାରେ କଲମପୁର ତହସିଲ ଅନ୍ତର୍ଗତ ମୀନଗୁର ଗ୍ରାମର ଟିକେଶ୍ବର ଗଉଡ଼ ନାମକ ବ୍ୟକ୍ତି ନିଜ ପୈତୃକ ଜମି ବିକ୍ରୟ କରିବା ଉଦ୍ଦେଶ୍ୟରେ ଏକ ଉତ୍ତରାଧିକାରୀ ପ୍ରମାଣ ପତ୍ର ଦାଖଲ କରିଥିଲେ । କିନ୍ତୁ ପ୍ରମାଣ ପତ୍ର ଯାଞ୍ଚ ସମୟରେ ଉକ୍ତ ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାଲ ଥିବା ଜଣାପଡିଥିଲା । ଏନେଇ ତହସିଲଦାର ତଥା ନିବନ୍ଧକ ସ୍ମରଣୀକାତୁଳ ତୁରନ୍ତ କଲମପୁର ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ କଲମପୁର ପୋଲିସ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଜମି ବିକ୍ରୟ କରୁଥିବା ଟିକେଶ୍ଵରଙ୍କ ସମେତ ତାଙ୍କୁ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ଯୋଗାଇଥିବା ଭବାନୀଶଙ୍କର ପଣ୍ଡା ନାମକ ଜଣେ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରିଥିଲେ ।
ପରବର୍ତ୍ତୀ ସମୟରେ କଲମପୁର ତହସିଲଦାର ସ୍ମରଣୀକାତୁଳଙ୍କ ଏତଲାକୁ ଭିତ୍ତି କରି କଲମପୁର ଥାନା କେସ ନଂ ୫୨ରେ ଏକ ଠକେଇ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା । ଉଭୟଙ୍କ ଜାମିନ ଆବେଦନ କରାଯାଇଥିଲା । ହେଲେ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ଫଳରେ ଉଭୟଙ୍କୁ ଧର୍ମଗଡ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସେପଟେ ସଂମ୍ପୃକ୍ତ ଶିକ୍ଷକ ଭବାନୀଶଙ୍କର ପଣ୍ଡା ଜେଲ ଯିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର୍ । ସେପଟେ ପୋଲିସ ଶିକ୍ଷକଙ୍କୁ ରିମାଣ୍ଡରେ ନେଇ ଆହୁରି ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି । ସମ୍ପୃକ୍ତ ଶିକ୍ଷକ ପୂର୍ବରୁ କେତେ ଲୋକଙ୍କୁ କେଉଁ କେଉଁ ପ୍ରମାଣ ପତ୍ର ଯୋଗାଉଛନ୍ତି, ତାହାର ଟିକିନିଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଇଟିଭି ଭାରତ, କଳାହାଣ୍ଡି