ଅନୁଗୋଳ: ମହାନଦୀ କୋଇଲା କମ୍ପାନୀ (ଏମ୍.ସି.ଏଲ୍)ର ୧୩ତମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଆଜି (ଗୁରୁବାର) ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଏହି ବୈଠକ ବସିଥିବାରୁ ଏହାର ଗୁରୁତ୍ବ ବହନ କରୁଥିବା ବେଳେ ଏଠାରେ ନିଷ୍ପତ୍ତି ନିଆଯାଉଥିବା କଥାକୁ MCL ପରବର୍ତ୍ତୀ ସମୟରେ ଅନୁପାଳନ କରୁନଥିବା ନେଇ ପ୍ରଶ୍ନ ଉଠାଇଲେ ଲୋକ ପ୍ରତିନିଧି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ।
ଗତ ୨୦୨୧ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହୋଇଥିବା ଆରପିଡିଏସି ବୈଠକର ବିବରଣୀକୁ ଏହି ବୈଠକରେ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ତାଳଚେରର ଗୋପାଳପ୍ରସାଦଖମାର, ପଥରମୁଣ୍ଡା (୩୩ଟି ପରିବାର), କଣିହାଁ, ଏକଡାଳ , ହିଲୋଇ (ନୂଆସାହି), ସୋଲଡା ଓ ବଲଣ୍ଡା ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ଆଲୋଚନା ହୋଇଥିଲା । ସେହିପରି ଛେଣ୍ଡିପଦା ସୁଭଦ୍ରା ଏରିଆ କୋଇଲା ଖଣିର କଙ୍କରେଇ, ଛୋଟବେରେଣୀ, ପୀଢ଼ଖମଣ ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା ।
ଏହା ବି ପଢନ୍ତୁ- ଜମିହରାଙ୍କୁ ମିଳୁନି ଉଚିତ ନ୍ୟାୟ, MCLର ମନମାନି ବିରୋଧରେ ତେଜୁଛି ଅସନ୍ତୋଷ
ଏମସିଏଲ ଦ୍ବାରା ବିସ୍ଥାପିତ ହୋଇଥିବା ସମସ୍ତ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ବଣ୍ଟନ, ନିଯୁକ୍ତି ପ୍ରଦାନ, ଦେୟମୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରଦାନ ଉପରେ ମଧ୍ୟ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେଇଥିଲା । MCLର ସିଏସଆର କାର୍ଯ୍ୟକ୍ରମ ଅନ୍ତର୍ଗତ ତାଳଚେର ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେବା ସହ ସଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହେଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମସିଏଲ ପକ୍ଷରୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କାଉଲେ ଉପସ୍ଥିତ ରହି MCLର ପକ୍ଷ ରଖିଥିଲେ । ସେହିପରି ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ଏମସିଏଲ ପକ୍ଷରୁ ବିଭିନ୍ନ ପଦକ୍ଷେପ ଓ ଖନନ ଶେଷ ହୋଇଥିବା ଖଣିଗୁଡିକୁ ବାଲିରେ ପୋତିବା ସମ୍ପର୍କରେ ଆଲୋଚନା ହେଇଥିଲା । ତେବେ ଯାହା ବୈଠକରେ ନିଷ୍ପତ୍ତି ହେଉଛି ତାହା ସଠିକ ଭାବେ MCL ପାଳନ କରୁନଥିବା ନେଇ ଲୋକ ପ୍ରତିନିଧି ମାନେ ଅଭିଯୋଗ ଆଣିଥିଲେ ।
ଏହି ବୈଠକକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର.ପି.ଡି.ଏସିର ଅଧ୍ୟକ୍ଷ ଶ୍ରୀକାନ୍ତ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ମହମ୍ମଦ ଅଦାଲ ଅଖତର ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ଏହି ବୈଠକରେ ୧୬ଟି ବିଷୟରେ ଆଲୋଚନା ହୋଇଥିଲା ।
ଇଟିଭି ଭାରତ, ଅନୁଗୋଳ