କେନ୍ଦୁଝର: ଆଧୁନିକତାର ଚାକଚକ୍ୟ ମଧ୍ୟରେ ଆଜି ବି ଆଦିବାସୀ ନିଜ ସଂସ୍କୃତିକୁ ଭୁଲି ନାହିଁ । ଏଣୁ ଆଦିବାସୀ ସଂସ୍କୃତି ଉପରେ ଅଧିକ ଗବେଷଣା ଆବଶ୍ୟକ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି (ଗୁରୁବାର) ଓଡିଶା ଗସ୍ତରେ ଦ୍ବିତୀୟ ଦିନ ଥିବା ବେଳେ ସେ କେନ୍ଦୁଝର ଗସ୍ତ କରିଛନ୍ତି । ଏହି ଗସ୍ତରେ ଜିଲ୍ଲା ସ୍ଥିତ ଧରଣୀଧର ବିଶ୍ଵବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ଅନୁଷ୍ଠିତ କେନ୍ଦୁଝରର ଜନଜାତି କଳା ଓ ସଂସ୍କୃତି ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ରରେ ଯୋଗ ଦେଇ ଏପରି କହିଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ ।
ରାଷ୍ଟ୍ରପତି ବିଶ୍ଵବିଦ୍ୟାଳୟକୁ ପହଞ୍ଚିବା ପରେ ଜନଜାତି ସଂପ୍ରଦାୟର ଲୋକେ ତାଙ୍କ ପାରମ୍ପରିକ ବାଦ୍ୟନୃତ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ପ୍ରଥମେ ରାଷ୍ଟ୍ରପତି ଏଠାରେ ଜୁଆଙ୍ଗ ବିକାଶ ପରିଷଦ, ଶବର ସାଂସ୍କୃତିକ ସମାଜ ଆଦି ୯ଟି ସଂଗଠନ ପକ୍ଷରୁ ପ୍ରଦର୍ଶିତ ପାରମ୍ପାରିକ କଳା, ବସ୍ତ୍ର, ଅଳଙ୍କାର ଆଦି ପ୍ରଦର୍ଶନୀ ବୁଲି ଦେଖିଥିଲେ । ସେଠାରେ ପ୍ରଦର୍ଶିତ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ ଏପରିକି ରାଷ୍ଟ୍ରପତି ସାନ୍ତାଳି ଭାଷାରେ ଲୋକଙ୍କ କଥା ହେବା ସହ ସାନ୍ତାଳି ଭାଷାରେ ଏକ ଗୀତ ଗାଇବାକୁ କହିଥିଲେ ଓ ଗୀତ ଶୁଣି ବହୁତ ଆନନ୍ଦିତ ହୋଇଥିଲେ ।
ଏହାପରେ ମଞ୍ଚ ଉପରୁ ଯିବା ପରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ସମୟରେରେ ମଞ୍ଚ ଉପରେ ରାଜ୍ୟପାଳ ରଘୁବର ଦାସ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଶ୍ଵବିଦ୍ୟାଳୟର କୁଳପତି ପ୍ରତାପ ମହାନ୍ତି ଉପସ୍ଥିତ ଥିଲେ । ଏହା ପରେ ମହାମହିମ ରାଷ୍ଟ୍ରପତି ଦୀପ ପ୍ରଜ୍ଜ୍ବଳନ କରି ଏହି ଜାତୀୟ ସ୍ତରୀୟ ଜନନାତି ଆଲୋଚନା ଚକ୍ର ଓ ପ୍ରଦର୍ଶନୀକୁ ଭଦଘାଟନ କରିଥିଲେ । ଏହା ପରେ ୟୁନିଭର୍ସିଟି ଦ୍ଵାରା ପ୍ରସ୍ତୁତ ଏକ ବର୍ଷର ନ୍ୟୁଜ ଲେଟରକୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ଆଲୋଚନା ଚକ୍ରରେ କେନ୍ଦୁଝରରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
ଏହା ବି ପଢନ୍ତୁ- କେନ୍ଦୁଝରରେ ରାଷ୍ଟ୍ରପତି, ଆଦିମ ଜନଜାତି ଜୁଆଙ୍ଗଙ୍କ ସହ କଲେ ଭାବ ବିନିମୟ
ଆଲୋଚନ ଚକ୍ରରେ ଜିଲ୍ଲାର ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ଜନଜାତିର ଲୋକ ଏଥିରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ପ୍ରଥମେ 'ଜୟ ଜଗନ୍ନାଥ ଜୟ ମା' ତାରିଣୀ ଜୟ ମାରାଙ୍ଗବୁରୁ' କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଆଦିବାସୀ ନେତା ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ନିଜକୁ ଧନ୍ୟ ମନେ କରିଥିବା କହିଥିଲେ । ସମସ୍ତେ ମନ ଦେଇ ପାଠ ପଢିଲେ ଦେଶ ବଢିବ ବୋଲି କହିଥିଲେ । ନିଜ ସଂସ୍କୃତି ସହ ଜଡ଼ିତ ହୋଇ ରହିବାକୁ ପରାମର୍ଶ ଦେଇଥିଲେ ।
ରାଷ୍ଟ୍ରପତିଙ୍କ ଅଭିଭାଷଣ:- ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, "ଆଦିବାସୀଙ୍କ ସ୍ଵତନ୍ତ୍ର ବେଶ ଭୂଷା ଓ ଖାଦ୍ୟପେୟ ରହିଛି ଯାହା ତାଙ୍କ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଆଜି ଅନେକ ଆଦିବାସୀ ଗାଁ ଛାଡ଼ି ସହର ମୁହାଁ । ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଆଦିବାସୀଙ୍କ ସମ୍ପର୍କରେ ଗବେଷଣା କରିବା ଆବଶ୍ୟକ । ଆଦିବାସୀଙ୍କ ଗାଁକୁ ଯାଇ ତାଙ୍କ ସହ କିଛି ଦିନ ରହି ତାଙ୍କ ସୁବିଧା ଅସୁବିଧା ଦେଖି ତାଙ୍କର ଉନ୍ନତି ପାଇ ସରକାରଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ଦରକାର । ପଛୁଆ ବର୍ଗର ଆଦିବାସୀଙ୍କ ଉନ୍ନତି ନ ହେଲେ ଦେଶର ଉନ୍ନତି ହୋଇପାରିବ ନାହିଁ ।"
ଏହାସହ ସରକାରଙ୍କ ଦ୍ଵାର ଆଦିବାସୀଙ୍କ ଉନ୍ନତି ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ଵ ବାତାୟନ ପାଇଁ ମହାମହିମ ଚିନ୍ତା ପ୍ରକଟ କରିବା ସହ ଆଦିବାସୀମାନେ ପ୍ରକୃତିକୁ ପୂଜା କରନ୍ତି ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦିଅନ୍ତି ତାଙ୍କ ଠାରୁ ଏହା ଶିଖିବା କଥା ବୋଲି କହିଥିଲେ । ମହିଳା ସଶକ୍ତିକରଣ କରିବା ଦରକାର ନହେଲେ ଦେଶ ଆଗେଇ ପାରିବ ନାହିଁ । ସବ କା ସାଥ ସବକା ପ୍ରୟାସ ହେଲେ ହିଁ ଭାରତ ବିଶ୍ଵଗୁରୁ ହେବ ବୋଲି ମହାମହିମ କହିଥିଲେ । ଗଛ ବୃକ୍ଷ ଚିହ୍ନି ସେଥିରେ ଚିକିତ୍ସା କରିବା ଆଦିବାସୀ ମାନଙ୍କଠାରୁ ଶିଖିଥିବା ସହ ତା ଉପରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ ।
ଏହା ବି ପଢନ୍ତୁ- ଆସନ୍ତାକାଲି କଟକ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବଳୟରେ ସିଲଭର ସିଟି
ଏହି ଧରଣୀଧର ୟୁନିଭର୍ସିଟିର ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଛାତ୍ରଛାତ୍ରୀ ଜନଜାତି ସଂପ୍ରଦାୟର ଅଛନ୍ତି । ଏହା ସହ ୟୁନିଭର୍ସିଟି ମାନ୍ୟତା ପାଇବାର ପ୍ରଥମ ବର୍ଷରେ ହିଁ ମହାମହିମ ରାଷ୍ଟ୍ରପତି ଆସିଥିବାରୁ ୟୁନିଭର୍ସିଟିର ଅଧ୍ୟାପକ ଛାତ୍ରଛାତ୍ରୀ ଓ ଜିଲ୍ଲର ସାଧାରଣ ଲୋକେ ବେଶ ଆନନ୍ଦିତ ଓ ଉଲ୍ଲସିତ ହୋଇଉଠିଛନ୍ତି । ଏଠାରେ ରାଷ୍ଟ୍ରପତି ୩ଟା ଠାରୁ ୪.୧୫ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପରେ ୪.୧୫ ମିନିଟ ସମୟରେ ରାଇସୁଆଁରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର