ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ରାତିରେ ଭଣ୍ଡାର ଖୋଲାଯାଇ ରତ୍ନ ଗଣତି ପାଇଁ ସରକାର ପଦକ୍ଷେପ ନେବାକୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ପ୍ରସ୍ତାବ ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ନେଇ ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଏହି ସତ୍ୟପାଠ ଦାଖଲ ପରେ ଏହାକୁ ସ୍ଵାଗତ କରିଛନ୍ତି ସେବାୟତ ଓ ଆଇନଜୀବୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଏହାକୁ ସ୍ଵାଗତ କରିବା ସହ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ସତ୍ୟପାଠ ଦାଖଲ କଲାପରେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦୁର୍ବଳ ହୋଇପଡ଼ିଲାଣି । ବର୍ଷା ପାଣି ମଧ୍ୟ ପ୍ରବେଶ କରୁଛି । ଏଣୁ ତୁରନ୍ତ ସରକାର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି କରି ସୁରକ୍ଷିତ ରଖନ୍ତୁ । ଏହା ଏକ ଭଲ କାର୍ଯ୍ୟ । କୋଟି କୋଟି ଭକ୍ତ ମହାପ୍ରଭୁଙ୍କ କ'ଣ ଅଳଙ୍କାର ରହିଛି ତାହା ଜାଣିପାରିବେ । ତେବେ ରଥଯାତ୍ରା ସମୟରେ ମାତ୍ର 9 ଦିନରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଶେଷ ହୋଇପାରିବ ନାହିଁ । ଏଣୁ ବିକଳ୍ପ ସ୍ୱରୂପ ମହାପ୍ରଭୁଙ୍କ ଅଳଙ୍କାର ଗଣତି କାର୍ଯ୍ୟ ରାତିରେ କରାଯାଉ ।"
ଏହାମଧ୍ୟ ପଢନ୍ତୁ.. ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ, 4 ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତ ହେବେ
ସେ ଆଉମଧ୍ୟ କହିଛନ୍ତି, "ଶୀଘ୍ର ମହାପ୍ରଭୁଙ୍କ ପହୁଡ଼ କରାଯାଇ ଚୂନ ପାଣି ପକାଯାଇ ବିଶୋଧନ ପରେ ଅଳଙ୍କାର ଗଣତି କାର୍ଯ୍ୟ ହେଉ । ଏଭଳି ହେଲେ ଭକ୍ତଙ୍କ ପାଇଁ କୌଣସି ଦର୍ଶନରେ ବାଧା ହେବନାହିଁ । ଏହି ଗଣତି ଶେଷ ହେବା ପାଇଁ ପାଖାପାଖି ଏକ ମାସ ସମୟ ଲାଗିବ । ସରକାର ଚାହିଁଲେ ସବୁ ହୋଇପାରିବ ।" ଯଦି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରିପାରୁଛନ୍ତି ତାହାହେଲେ ମହାପ୍ରଭୁଙ୍କ ଅଳଙ୍କାର ଗଣତି କାହିଁକି କରିପାରିବେନି ବୋଲି ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ ।
ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଚାରି ସପ୍ତାହ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ନେଇ ସତ୍ୟପାଠକୁ ସ୍ଵାଗତ କରିଛନ୍ତି ଆଇନଜୀବୀ ଶରତ ରାୟଗୁରୁ । ଏହାଦ୍ବାରା ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ତ୍ବରାନ୍ବିତ ହେବ । ଦୀର୍ଘ 45 ବର୍ଷ ହେବ ରତ୍ନଭଣ୍ଡାର ଖୋଲିନଥିବା ବେଳେ ରାଜ୍ୟ ସରକାର ଏହା ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଦରକାର ବୋଲି ସେ କହିଛନ୍ତି । ତେବେ ରଥଯାତ୍ରା ସମୟରେ ମାତ୍ର 9 ଦିନରେ ରତ୍ନ ଭଣ୍ଡାର ଖୋଲି ରତ୍ନ ଗଣତି କରିବା ସମ୍ଭବ ନୁହେଁ । ଯୋଜନା ପ୍ରସ୍ତୁତ କରାଯାଇ ରତ୍ନ ଅଳଙ୍କାର ଗଣତି କରାଯାଉ ବୋଲି ମତ ଦେଇଛନ୍ତି ଆଇନଜୀବୀ ।
ଇଟିଭି ଭାରତ, ପୁରୀ