ସମ୍ବଲପୁର: ଆଜିକାଲି ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛନ୍ତି ମହିଳା । ଅଧିକାଂଶ ମହିଳା ଚାକିରି କରୁଥିବା ଦେଖିବାକୁ ମିଳୁଛି । ହେଲେ ସମସ୍ତ କ'ଣ ସୁରକ୍ଷିତ ? କେତେକ ମହିଳାଙ୍କୁ କର୍ମକ୍ଷେତ୍ରରେ ଶାରିରୀକ ତଥା ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥାଏ । ଏଥିପାଇଁ କେଉଁ ସବୁ ନିୟମ ରହିଛି, କେଉଁଠି ଅଭିଯୋଗ ଦାଖଲ କରିହେବ ଆସନ୍ତୁ ଜାଣିବା ।
କେଉଁଠି ଅଭିଯୋଗ କରିବେ:
କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ତଥା ସମ୍ମାନ ଦେବା ପାଇଁ 2013ମସିହାରେ କେନ୍ଦ୍ର ସରକାର ଏକ ଆଇନ ଆଣିଥିଲେ । କର୍ମକ୍ଷେତ୍ରରୁ ଶାରିରୀକ ନିର୍ଯାତନା ଦୂରିକରଣ (prevention of Sexual harassment against women at work place) ଆଇନ ରହିଛି । ଏହି ଆଇନ ଅନୁସାରେ 2014ରୁ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟ ସଂସ୍ଥାନ, ଯେଉଁଠାରେ 10 ଜଣ କିମ୍ବା ତାଠୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ସେଠାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complain Committee) ନାମକ ଏକ ସମିତି ରହିବ । ଏଠାରେ ଅଫିସରେ କାର୍ଯ୍ୟ କରୁଥିବା ଯେକୌଣସି ମହିଳାଙ୍କ ବିରୁଦ୍ଧରେ ଅଫିସର ଯେକୌଣସି ବ୍ୟକ୍ତି ଯୌନ ନିର୍ଯାତନା ଦେଲେ ସେ ଅଭିଯୋଗ କରିପାରିବେ । ଅଭିଯୋଗରେ ସତ୍ୟତା ଥିଲେ 7 ଦିନ ଭିତରେ ପୋଲିସ ପାଖକୁ ପଠାଇ ଦେବେ । ଯଦି କୌଣସି କାର୍ଯ୍ୟାଳୟର ନିଯୁକ୍ତି ଦାତା ଅଭିଯୁକ୍ତ ଥିବେ ଅଥବା ସମିତି ଉପରେ ତାଙ୍କର ପ୍ରଭାବ ରହିଥାଏ, ପୀଡିତା ଜିଲ୍ଲା ସ୍ତରରେ ଥିବା ସ୍ଥାନୀୟ ଅଭିଯୋଗ କମିଟି (Local Complain Committee)ରେ ନିଜର ଅଭିଯୋଗ ଦାଖଲ କରିପାରିବେ ।
ଗୁପ୍ତ ରହିବ ପୀଡିତାଙ୍କ ପରିଚୟ:
ଅନ୍ୟ କୌଣସି କାର୍ଯ୍ୟାଳୟକୁ କାମରେ ଯାଇଥିବା ମହିଳା ଯଦି ଯୌନ ନିର୍ଯାତନାର ଶିକାର ହୁଅନ୍ତି, ସେ ମଧ୍ୟ ସେଠାକାର Internal Complain Committeeରେ ଅଭିଯୋଗ କରିପାରିବେ । ସେହିଭଳି କୌଣସି ଘରେ ଚାକର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଯଦି କୌଣସି ଯୌନ ନିର୍ଯାତନାର ଶିକାର ହୁଏ ତେବେ ସେ ଜିଲ୍ଲା ସ୍ତରରେ ଥିବା ସ୍ଥାନୀୟ ଅଭିଯୋଗ କମିଟି ( Local Complain Committe)ରେ ଅଭିଯୋଗ କରିପାରିବେ । ଆଉ ଯେକୌଣସି ପୀଡିତାଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖିବାକୁ ଆଇନ କହୁଛି l ଏପରିକି RTI ରେ ମଧ୍ୟ ଏହି ତଥ୍ୟ ପ୍ରଦାନ କରାଯାଇନଥାଏ l
କମ୍ପ୍ଲେନ କମିଟି ଓ ଇଣ୍ଟରନାଲ କମିଟିର ସଦସ୍ୟ କିଏ ହୁଅନ୍ତି ?
ଜିଲ୍ଲା ସ୍ତରରେ ଥିବା Local Complain Committeeରେ ଜଣେ ବରିଷ୍ଠ ସମାଜସେବୀ ମହିଳା ଅଧ୍ୟକ୍ଷ ହୁଅନ୍ତି । ଏହାସହ NGO ରୁ 2 ଜଣ ସଦସ୍ୟ, ବ୍ଲକ କିମ୍ବା ତହସିଲ ସ୍ତରର ଜଣେ ସମାଜସେବୀ ମହିଳା ଓ ଆଉ ଜଣେ ଆଇନଜୀବୀଙ୍କୁ ସଦସ୍ୟ କରାଯାଇଥାଏ । ଠିକ ସେହିପରି କୌଣସି କାର୍ଯ୍ୟାଳୟ, ଯେଉଁଠି 10ରୁ ଊର୍ଦ୍ଧ୍ବ କର୍ମଚାରୀ ଥାଆନ୍ତି ସେଠାରେ (Internal Complain Comittee) ଗଠନ କରିବାର ପ୍ରାବଧାନ ରହିଛି । ଯେଉଁଠି ଜଣେ ବରିଷ୍ଠ ମହିଳା ଏହି କମିଟିର ମୁଖ୍ୟ ଭାବେ ରହିବାର ପ୍ରାବଧାନ ରହିଛି l
କାହିଁକି ଅଭିଯୋଗ କରୁନାହାନ୍ତି 50%ରୁ ଅଧିକ ପୀଡିତା ?
ସମସ୍ତ ଆଇନ ଥାଇ ମଧ୍ୟ ଅଧିକାଂଶ ପୀଡିତା ଏହି କମିଟି ଗୁଡିକରେ ଅଭିଯୋଗ କରୁନାହାନ୍ତି । ମୁଖ୍ୟତଃ ଅସଚେତନତା, ଲୋକଲଜ୍ଜା, ସମ୍ମାନହାନି ହେବାର ଭୟ ଯୋଗୁଁ ପ୍ରାୟ 50% ପୀଡିତ ମହିଳା ଅଭିଯୋଗ କରୁନଥିବା ମତ ପ୍ରକାଶ ପାଇଛି । ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହିଭଳି ସ୍ଥିତି ରହିଛି । 2014 ମସିହାରୁ ଜିଲ୍ଲା ସ୍ତରରେ Local Complain Committee ଗଠନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ 10 ରୁ କମ ମାମଲା କମିଟି ପାଖକୁ ଆସିଛି ।
ଏହି ବିଷୟରେ ସମ୍ବଲପୁର ଜିଲ୍ଲାର ଲୋକାଲ କମ୍ପ୍ଲେନ କମିଟିର ସଦସ୍ୟା ଆଇନଜୀବୀ ପୁଷ୍ପାରାଣୀ ମହାପାତ୍ର କହିଛନ୍ତି," ପ୍ରତ୍ୟେକ ଜାଗାରେ ଏହା ହେବା କଥା, ଯେଉଁମାନେ କରୁ ନାହାନ୍ତି ତାଙ୍କୁ 50 ହଜାର ଫାଇନ ହେବାର ବ୍ୟବସ୍ଥା ମଧ୍ୟ ଅଛି । କିନ୍ତୁ ସେ ଆଇନକୁ ଲାଗୁ କରାଯାଉନାହିଁ । ସେଥିପାଇଁ ଅନେକ ଜାଗାରେ ଇଣ୍ଟରନାଲ କମ୍ପ୍ଲେନ କମିଟି ଏବେ ଧୀରେ ଧୀରେ ଖୋଲୁଛି । କିନ୍ତୁ ମୋ ମତରେ ସବୁ ଜାଗାରେ ନାହିଁ ।" ଜିଲ୍ଲା ଆଇନ ସହାୟତା ପରିଷଦର ମୁଖ୍ୟ ଦୁଷ୍ମନ୍ତ ବେହେରା କହିଛନ୍ତି, " ନିଜର ସମ୍ନାନ ଦୃଷ୍ଟିରୁ ସାଧାରଣତଃ 50% ରୁ ଅଧିକ ମହିଳା ଏ ବାବଦରେ କମ୍ପ୍ଲେନ କରନ୍ତି ନାହିଁ । ଏଥିରେ ପ୍ରାବଧାନ ଅଛି ଯେ ସବୁ କିଛି ଗୁପ୍ତ ରଖାଯିବ, ଏପରିକି RTIରେ ମାଗିଲେ ବି ସେ ରିପୋର୍ଟ ଦିଆଯିବନାହିଁ । ସେ ତଥ୍ୟକୁ କେହି ଜାଣି ପାରୁ ନାହାନ୍ତି, ତେଣୁ କମ୍ପ୍ଲେନ ଦେଉ ନାହାନ୍ତି ।"
ଏହା ବି ପଢନ୍ତୁ...ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ କଣ କହୁଛନ୍ତି ବରିଷ୍ଠ ଆଇନଜୀବୀ - New Criminal Law
ସଚେତନତା ଜରୁରୀ:
ଅନ୍ୟପଟେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ବା DSWO ଝୁନୁ ସ୍ୱାଇଁ ଏହି ପ୍ରସଙ୍ଗରେ କହିଛନ୍ତି," ଯଦି କୌଣସି କର୍ମଜୀବୀ ମହିଳା, କର୍ମକ୍ଷେତ୍ରରେ ତା ପ୍ରତି ଅସଦାଚରଣ ହେଉଛି, ତାହେଲେ ସେ ଇଣ୍ଟରନାଲ କମ୍ପ୍ଲେନ କମିଟିରେ ଅଭିଯୋଗ କରିପାରିବ । ଆଉ ଜଣେ ଲୋକାଲ କମ୍ପ୍ଲେନ କମିଟିକୁ ଆସିକି ବି କମ୍ପ୍ଲେନ କରିପାରିବ । ଏଥିପାଇଁ ସଚେତନତା ଆବଶ୍ୟକ । ଯଦି କୌଣସି ମେଡ୍ ଘରେ କାମ କରୁଛି ଓ ସେ ଜାଗାରେ କିଛି ଅସୁବିଧା ହେଉଛି ବା ସେ ଅସଦାଚରଣର ଶିକାର ହେଉଛି ସେ ମଧ୍ୟ ଲୋକାଲ କମ୍ପ୍ଲେନ କମିଟି ରେ କମ୍ପ୍ଲେନ କରି ପାରିବ ।" ଅନ୍ୟପଟେ ସବୁ ସବୁ କର୍ମ ସଂସ୍ଥାନ ଗୁଡିକରେ ଇଣ୍ଟରନାଲ କମ୍ପ୍ଲେନ କମିଟି ନଥିବାର ଅଭିଯୋଗ ହେଉଥିବାବେଳେ ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, "ସେମାନେ ଯୌନ ନିର୍ଯାତନା ସମ୍ପର୍କରେ ବାର୍ଷିକ ରିପୋର୍ଟ ଆମକୁ ଦେଉଛନ୍ତି । ଏହି ବାର୍ଷିକ ରିପୋର୍ଟକୁ ଆମେ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛୁ ।"
ଇଟିଭି ଭାରତ, ସମ୍ବଲପୁର