କେନ୍ଦ୍ରାପଡ଼ା: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସଦର ଥାନା ଓସ୍ତପୁର ନିକଟ ହଳଦିଢ଼ିଅରେ ଏହି ଦୁର୍ଘଟଣା ଘଟିଛି । ନରଣପୁର ଗାଁରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ବୋଲେରୋ । ସମସ୍ତ ମୃତକ ମହିଳା ହୋଇଥିବା ବେଳେ ମଞ୍ଚ କଳାକାର ହୋଇଥିବା ସୂଚନା ।
ଏହା ମଧ୍ୟ ପଢନ୍ତୁ-ମରଣଯନ୍ତା ପାଲଟିଛି କଟକ-ପାରାଦ୍ୱୀପ ରାସ୍ତା ! ଟ୍ରକ ଧକ୍କାରେ ଆଖି ବୁଜିଲେ ଦୁଇ ସାଙ୍ଗ
ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ବୋଲେରୋରେ 7 ଜଣ ମଞ୍ଚ କଳାକାର ନରଣପୁର ଗ୍ରାମରୁ ଫେରୁଥିଲେ । ସେମାନଙ୍କ ମଧ୍ୟରୁ 5 ଜଣ ମହିଳା ଓ 2 ଜଣ ପୁରୁଷ ରହିଥିଲେ । ବୋଲେରୋଟି ହଳଦିଢ଼ିଅରେ ହୋଇଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବାଟରେ 2 ଜଣଙ୍କର ମୃତ୍ୟୁ ହୋଇଥିବା । 4 ଜଣ କଳାକାର ଗୁରୁତର ହୋଇପଡିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 3 ମୃତକ ମହିଳା ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ । ତେବେ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-କୁହୁଡି କାଳ, ବସ-କାର-ବାଇକ ଧକ୍କାରେ ଚାଲିଗଲା 6 ଜୀବନ
ଡ୍ରାମା ଅଭ୍ୟାସ ସାରି ଫେରୁଥିବା ବେଳେ ଦୁର୍ଘଟଣା: ରବିବାର ବାଲେଶ୍ୱର ଓ ନେମାଳ ଅଞ୍ଚଳର 7ଜଣ ପେଶାଦାର କଳାକାର ଆୟବା ପଞ୍ଚାୟତ ନରଣପୁର ଗ୍ରାମକୁ ଏକ ବୋଲେରୋରେ ଆସିଥିଲେ । ଆଗାମୀ ଜାଗର ଉପଲକ୍ଷେ ଡ୍ରାମା ପାଇଁ ସେଠାରେ ଫାଇନାଲ୍ ଅଭ୍ୟାସ ଚାଲିଥିଲା । ସେଠାରେ ଅଭ୍ୟାସ ସାରି ଆଜି ସକାଳେ ଫେରିବା ସମୟରେ ଭାରସାମ୍ୟ ହରାଇ ବୋଲେରୋଟି ହଳଦିଢ଼ିଅ ଗ୍ରାମର ଏକ ଗଛରେ ପିଟି ହୋଇଥିଲା । ଫଳରେ ଏହି ଦୁଃଖଦ ଘଟଣା ଘଟିଯାଇଛି ।
ଏହା ମଧ୍ୟ ପଢନ୍ତୁ-ସ୍କୁଟି ଉପରେ ମାଡିଗଲା ଆଇଚର ଟ୍ରକ୍, ଚାଲିଗଲା ବାପା-ପୁଅଙ୍କ ଜୀବନ
ଆସନ୍ତା ମାର୍ଚ୍ଚ 8 ତାରିଖ ମହା ଶିବରାତ୍ରି ଅବସରରେ ନରଣପୁର ମା' କାଳିଦେବୀ ଡ୍ରାମାଟିକ କ୍ଲବ ପକ୍ଷରୁ ଗାଁରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ "କହଇ ମନ ଆରେ ମୋ ବୋଲକର" ଓ "ସିନ୍ଦୁର ମୋ ପାଇଁ କଳଙ୍କ ଟୋପା" ଏହି ଦୁଇଟି ନାଟକରେ ଗାଁର ପୁରୁଷ ମାନେ ଅଭିନୟ କରିବାକୁ ଥିବା ବେଳେ ମହିଳା ଅଭିନୟ ପାଇଁ ସୁଦୂର ବାଲେଶ୍ଵର, ଭଦ୍ରକ ଓ କଟକ ଜିଲ୍ଲାରୁ 5 ଜଣ ମହିଳା କଳାକାର ଆସି ନରଣପୁରରେ ପହଞ୍ଚିଥିଲେ । ରବିବାର ରିହଲସେଲ ସମାପ୍ତ ହୋଇଥିବା ବେଳେ ଆଜି ଉକ୍ତ 5 ଜଣ କଳାକାର ନିଜ ନିଜ ଘରକୁ ଯିବାପାଇଁ ବାହାରିଥିଲେ । ବସରେ ଗଣ୍ଡାକିଆରୁ ଭୁବନେଶ୍ୱର ଯିବା ପାଇଁ ବାହାରିଥିବା ବେଳେ ବସ ଫେଲ ହୋଇଥିଲେ ।
ଏହାପରେ ଉକ୍ତ କମିଟିର କଳାକାର ଉତ୍କଳ କେଶରୀ ସ୍ୱାଇଁ ନିଜସ୍ୱ ବୋଲେରୋ ଗାଡିରେ ୫ ଜଣ ମହିଳା କଳାକାରଙ୍କୁ କେନ୍ଦ୍ରାପଡା ବସଷ୍ଟାଣ୍ଡରେ ଛାଡିବା ପାଇଁ ବାହାରିଥିଲେ । ସାଥିରେ କମିଟିର ଅନ୍ୟଜଣେ ଯୁବକ ଧୁଣ୍ଡା ସ୍ୱାଇଁ ମଧ୍ୟ ଥିଲେ । କିନ୍ତୁ ହଳଦିଢି଼ଅ ନିକଟରେ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ମେଡ଼ିକାଲ ଯିବା ବାଟରେ ଅନ୍ୟ ଦୁଇଜଣ ମହିଳା କଳାକାରଙ୍କ ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, କେନ୍ଦ୍ରାପଡା