କଟକ: ଯାତ୍ରା ଆରମ୍ଭ ପୂର୍ବରୁ ଘଟିଲା ବଡ ଅଘଟଣ । ଯାତ୍ରା ପାର୍ଟିର ଏଣ୍ଚ୍ରିଗେଟ ଭୁଶୁଡିବାରୁ ଚାପି ହୋଇଗଲେ ଦର୍ଶକ, 50ରୁ ଉର୍ଦ୍ଧ୍ବ ଦର୍ଶକ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଶନି ପଡ଼ିଆ ଠାରେ । ଆହତ ମାନଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଶିଶୁ ମଧ୍ୟ ରହିଛନ୍ତି । 6 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଇସୁଙ୍ଗୁଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ପାର୍ଟି ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରାତିରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଏଭଳି ବଡ ଅଘଟଣ। ଯାତ୍ରା ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା । ଦର୍ଶକ ମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହାର ତୋରଣ ଗେଟ୍ ଦେଇ ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ତୋରଣ ଟି ଦର୍ଶକଙ୍କ ଉପରେ ଭୁଶୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଏଭଳି ଗେଟଟି ଭୁଶୁଡି ପଡ଼ିଥିବା କୁହାଯାଉଛି । ଅଘଟଣ ପରେ ଯାତ୍ରା ପରିବେଷଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ, ଥାନାରେ ଫେରାଦ ଯାତ୍ରା କମିଟି - ଖଣ୍ଡଗିରି ଯାତ୍ରା
50ରୁ ଉର୍ଦ୍ଧ୍ବ ଦର୍ଶକ ଆହତ ହୋଇଥିବା ବେଳେ କେତେକ ଆହତ ଓ ଗୁରୁତର ମାନେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ରାତିରେ ତୁରନ୍ତ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ଚାଲି ଯାଇଥିଲେ । ଅନେକ ଆହତ ମାନଙ୍କ ହାତ, ଗୋଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ସୂଚନା ମୁତାବକ 20ରୁ ଉର୍ଦ୍ଧ୍ବ ଆହତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେଥିରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହି ଥିବାରୁ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅନ୍ୟ ଆହତ ମାନଙ୍କୁ ଚିକିତ୍ସା କରାଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଘରକୁ ପଠାଇ ଦିଆଯାଇଥିଲା ।
ଜଣେ ଆହତ କହିଛନ୍ତି, ''ଆମେ ଯାତ୍ରା ପେଣ୍ଡାଲ ଭିତରକୁ ଯାଉଥିଲୁ, ଗେଟ ପଡିଗଲାଠୁ ଅଣ୍ଟା ମାଡ ହଇଯାଇଛି । ପ୍ରଥମେ ଗେଟଟି ଦୋହଲିବା ପରେ ଭୁଶୁଡି ପଡିଥିଲା । ବହୁତ ଲୋକ ଆହତ ହୋଇଛନ୍ତି । ''
ଇଟିଭି ଭାରତ, କଟକ