ଭୁବନେଶ୍ୱର: ସରକାରଙ୍କୁ ଘାରିଛି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା ଚିନ୍ତା । ସ୍କୁଲରେ ଥିବା ବେଳେ ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟା ନେଇ ଚିନ୍ତା କରିବାର ନାହିଁ । ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥା କରାଯାଇଛି । ଯାହା ଆଗାମୀ ଦିନରେ ରାଜ୍ଯର ସମସ୍ତ ବିଦ୍ୟାଳୟରେ ଲାଗିବ ବୋଲି କୁହାଯାଇଛି । କିନ୍ତୁ ମାଗଣା ନୁହେଁ ଗୋଟିଏ ନାପକିନ ପ୍ୟାଡ୍ ପାଇଁ ଦେବାକୁ ପଡ଼ିବ ୫ ଟଙ୍କା ।
ସ୍କୁଲରେ ଥିବା ବେଳେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀମାନେ
ସ୍କୁଲରେ କିଶୋରୀ ଛାତ୍ରୀମାନଙ୍କ ପାଇଁ ଲାଗୁ ହେଲା ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ (Incinerator & Vending Machine) । ତେବେ ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢୁଥିବା ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥା କରାଯାଇଛି । ଏହି ମେସିନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଲଗାଯାଇଛି ବୋଲି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସମସ୍ତ ଡିଇଓ ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମାଗଣା ନୁହେଁ ପ୍ୟାଡ଼ ପାଇଁ ଦେବାକୁ ପଡ଼ିବ ୫ ଟଙ୍କା
ସ୍କୁଲରେ ଗୋଟିଏ ପ୍ୟାଡ ପାଇଁ ଛାତ୍ରୀଙ୍କୁ ଦେବାକୁ ପଡ଼ିବ ୫ ଟଙ୍କା । ସେହି ମେସିନରେ ୫ ଟଙ୍କା ପକାଇଲେ ଅଟୋମେଟିକ୍ ଭାବରେ ଗୋଟିଏ ପ୍ୟାଡ ବାହାରକୁ ଆସିବ । ତେବେ ପୂର୍ବରୁ ଖୁସି ଯୋଜନାରେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ସମେତ ନାପକିନ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ ଏହା ସ୍କୁଲରେ ଲାଗିଥିବା ନପକିନ ପାଇଁ ଦେବାକୁ ପଡ଼ିବ ୫ ଟଙ୍କା ବୋଲି କହିଛନ୍ତି ଶିକ୍ଷୟତ୍ରୀ ।
ଛାତ୍ରୀଙ୍କ ପ୍ରତିକ୍ରିୟା
ଏହି ବ୍ୟବସ୍ଥା ନେଇ ଉପକୃତ ହୋଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ଛାତ୍ରୀ । ଖୁସିବ୍ୟକ୍ତ କରିବା ସହ ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ କହିଛନ୍ତି, "ଏହା ଦ୍ଵାରା ଆମେ ବହୁତ୍ ସାହାଯ୍ୟ ପାଉଛୁ । ସ୍କୁଲ ସମୟରେ ଆମେ ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ୍ ଚିନ୍ତାରେ ରହୁଥିଲୁ। କିନ୍ତୁ ମେସିନ ଲାଗିଗଲା ପରେ ଆମେ ବହୁତ୍ ଲାଭବାନ ହେଉଛି । ଏଣେତେଣେ ନ ପକାଇ ମେସିନରେ ପକାଇ ଦିଆଯାଉଛି । ଏହା ସହ ମେସିନ ସାହାଯ୍ୟରେ ମଧ୍ୟ ନାପକିନ ମିଲିପାରୁଛି।''
ସ୍କୁଲର ପ୍ରଧାନଶିକ୍ଷୟାତ୍ରୀଙ୍କ ପ୍ରତିକ୍ରିୟା
ସେପଟେ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷୟାତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି , "ସ୍କୁଲରେ ଦୁଇଟି ମେସିନ ଲଗାଯାଇଛି । ଯାହା ଫଳରେ ଛାତ୍ରୀ ମାନେ ବହୁତ ଲାଭବାନ ହେଉଛନ୍ତି । ଏହି ମେସିନ ଲାଗିବା ଦ୍ଵାରା ପିଲାମାନେ ଏହି ମେସିନ ସାହାଯ୍ୟରେ ନେଉଛନ୍ତି ପ୍ୟାଡ଼। ଅନ୍ୟ ଏକ ମେସିନ ରହିଛି ଯେଉଁଥିରେ ଖରାପ ପ୍ୟାଡକୁ ପକାଇ ତାହାକୁ ପୋଡ଼ି ଦିଆଯାଉଛି । ଯାହା ଫଳରେ ପିଲାମାନେ ପ୍ୟାଡ଼କୁ ଏଣେତେଣେ ପକାଇବା ବନ୍ଦ କରିଛନ୍ତି । ଯାହା ପ୍ୟାଡ ଥିବା ମେସିନ ସାହାଯ୍ୟରେ ପିଲାମାନେ ସ୍ଵଚ୍ଛତା ଅବଲମ୍ବନ କରୁଛନ୍ତି।''
ଏହା ମଧ୍ୟ ପଢନ୍ତୁ: ଏଣିକି ସ୍କୁଲରେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀ, ସ୍କୁଲରେ ଲାଗିବ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ
ପ୍ରାୟ ୨୦ ହଜାର ସ୍କୁଲରେ ଲାଗିବାର ବ୍ୟବସ୍ଥା
ରାଜ୍ୟର ପ୍ରାୟ ୨୦ ହଜାର ୩୫୬ଟି ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସୌଚାଳୟରେ ଏହି ମେସିନ ଲଗାଯିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟାୟ କ୍ରମେ ଏହାକୁ ସମସ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ । ମା' ମାନେ ସେମାନଙ୍କ କିଶୋରୀ ଝିଅମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବେ । ବିଦ୍ୟାଳୟରେ ପଢୁଥିବା ଝିଅମାନେ ଏହାର ସୁବିଧା ନେଇପାରିବେ" ବୋଲି ନିର୍ଦ୍ଦେଶ ଦେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ।
ଇଟିଭି ଭାରତ, ଭୁବନେଶ୍ୱର