ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ଏବଂ ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧି । ନିଜ ସମର୍ଥକଙ୍କ ଗହଣରେ ସେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ଉଭୟ ନେତ୍ରୀ ।
ଚାଲିଛି ଦଳଡିଆଁ ରାଜନୀତି । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କର ଦଳଡିଆଁ ନୀତି ସେତେ ଦେଖିବାକୁ ମିଳିଛି । ତେବେ ଏହି କ୍ରମରେ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରୁ ବିଦାୟ ନେଇ ବିଜେପିରେ ମିଶିଛନ୍ତି ବିଜେଡିର 2 ଟାଣୁଆ ମହିଳାନେତ୍ରୀ । ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ପଦ୍ମ ଧରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ରଣାଙ୍ଗନାକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଉପାସନା - Upasana Mohapatra Puri Visit
ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ଉଭୟ ନେତ୍ରୀ । ଲିଙ୍କନ ସୁବୁଦ୍ଧି କହିଛନ୍ତି, "ମୋଦି ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା କରିଛନ୍ତି । ନାରୀ ଶକ୍ତିବନ୍ଦନ ଅଧିନିୟମ ବିଲକୁ ପାରିତ କରାଇ ପ୍ରଧାନମନ୍ତ୍ରୀ ମୋଦି ଇତିହାସ ସୃଷ୍ଟି କରିଛନ୍ତି । ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା, ଉଜ୍ଜ୍ୱଳା ଗ୍ୟାସ, ଲକ୍ଷପତି ଦିଦି ଠାରୁ ଆରମ୍ଭ କରି ସମ୍ମାନର ବଞ୍ଚିବା ପାଇଁ ମୋଦିଜୀ ବିଭିନ୍ନ ଯୋଜନା କରିଛନ୍ତି । ମହିଳାଙ୍କୁ ସଶକ୍ତିକରଣ ନୁହେଁ ବରଂ ସମ୍ମାନ ଦେଲେ ସେ ନିଜେ ସଶକ୍ତ ହୋଇଉଠିବେ ବୋଲି କହିଛନ୍ତି ଲିଙ୍କନ ସୁବୁଦ୍ଧି ।"
ସେହିପରି ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, " ମୋଦିଜୀ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛନ୍ତି ସେଥିରେ ସାମିଲ ହେବାକୁ ବିଜେପିରେ ଯୋଗ ଦେଇଛି । ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନର ସଦସ୍ୟ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ବିଜେପିରେ ଯୋଗଦାନ କରୁଛନ୍ତି । ଏ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ କରିବେ ।"
ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥାଇ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର