ଭୁବନେଶ୍ବର: ନୟାପଲ୍ଲୀରେ ସଡ଼କ ଦୁର୍ଘଟଣା । ରଙ୍ଗ ରୁଟରେ ଡ୍ରାଇଭ କରିବା ପଡ଼ିଲା ମହଙ୍ଗା । କାର ଧକ୍କାରେ ବାଇକ ଆରୋହୀ ମୃତ। ଆଜି ନୟାପଲ୍ଲୀ ଥାନା ଗୋପବନ୍ଧୁ ଛକରୁ ଡେଲଟା ଛକ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ମୁତାବକ ମୃତକଙ୍କ ନାମ ଚନ୍ଦନ କୁମାର ମହାପାତ୍ର ଏବଂ ତାଙ୍କ ଘର ଆଇଗେଣିଆ ବୋଲି ଜଣାପଡ଼ିଛି। ତେବେ ସେ ବିଜେପି ନେତା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପିଏ ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୋହନ ମାଝୀ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ଜଣାପଡ଼ିଛି।
ତେବେ ମୃତକଙ୍କ ଭାଇ କହିଛନ୍ତି ଯେ ଚନ୍ଦନ ସକାଳ 11ଟା ସମୟରେ ଘରୁ ବିଧାୟକ ମୋହନ ମାଝୀଙ୍କ କ୍ବାଟର ଅଫିସକୁ ଯାଉଥିଲେ। ସେ ତାଙ୍କ ବାଇକରେ ଗୋପବନ୍ଧୁ ଛକରୁ ଡେଲଟା ଛକ ଦେଇ ନୟାପଲ୍ଲୀ ଯାଉଥିବା ରାସ୍ତାରେ ଯାଉଥିଲେ। ସେହି ସମୟରେ ଏକ କାର ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଫୋପାଡ଼ି ହୋଇ ପଡିଥିଲେ। ସେହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଗାଡ଼ି ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି। ଅନ୍ୟପଟେ ଚାଳକ ଚନ୍ଦନ ଗୁରୁତର ଆହତ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୁଣ୍ଡ ଓ ଗୋଡରେ ଗଭିର କ୍ଷତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ.. ବାଇକ୍କୁ ଧକ୍କା ଦେଇ ଫେରାର ଅଜଣା ଗାଡ଼ି, ଚାଲିଗଲା 2 ଜୀବନ
ଏହି ସଡ଼କ ଦୁର୍ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସେହିପରି ଥାନା ପକ୍ଷରୁ ମଧ୍ୟ ଦୁଇଟି କାରକୁ ଜବତ କରାଯିବା ସହିତ ଦୁର୍ଘଟଣା ଗ୍ରସ୍ତ ବାଇକକୁ ମଧ୍ୟ ଥାନାକୁ ଅଣାଯାଇଛି। ସେପଟେ ପୋଲିସ ଗାଡିଟିକୁ ଥାନାରେ ଅଟକ ରଖି ଗାଡ଼ିର ମାଲିକଙ୍କୁ ପଚରା ଉଚରା କରୁଛି। ତେବେ ମାଲିକ ତାଙ୍କ ଗାଡ଼ି ଆଉ ଜଣଙ୍କୁ ଦେଇଥିବା ବେଳେ ସେହି ଚାଳକ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ତେବେ ମୃତ ଚନ୍ଦନ ମହାପାତ୍ର ଦୁଇବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।ଏପରି ସମୟରେ ଏଭଳି ଦୁର୍ଘଟଣା ଜନିତ ଖବର ପାଇ ପରିବାର ଲୋକେ ଦୁଖଃରେ ଭାଙ୍ଗି ପଡିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର