ନିମାପଡା: ପେଟ ପୋଷିବା ନୁହେଁ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ । ଭଗବାନଙ୍କ ପାଇଁ ସମର୍ପିତ ଦୋଳ ବିମାନ କାରିଗର ରତ୍ନାକର । ରାଜ୍ୟରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ ଅହରହ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରୁ ରତ୍ନାକର ମହାରଣା ଅନ୍ୟତମ । କାଠ କଳାର ଏହି ବିନ୍ଧାଣି ଜଣଙ୍କ ପେଟ ପୋଷିବା ପାଇଁ ନୁହେଁ କଳାକୁ ବଞ୍ଚାଇ ରଖିବା ପାଇଁ ପରିଣତ ବୟସରେ ବି ପ୍ରୟାସ ଜାରି ରଖିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅଂଚଳର ଖଣ୍ଡାୟତ ପାଟଣା ଗ୍ରାମର ରତ୍ନାକର ମହାରଣା । ସେ ତିଆରି କରି ଚାଲିଛନ୍ତି ଅନବଦ୍ୟ କଳାକୃତି । ତାଙ୍କ ଦ୍ୱାରା ସୃଷ୍ଟି ଦୋଳ ବିମାନ ଓଡିଶାର ପୁରପଲ୍ଲୀରେ ପ୍ରଚଳିତ ହୋଇ ଆସୁଥିବା ମେଳଣରେ ଦେଖିବାକୁ ମିଳେ ।
ପିଲାଟି ଦିନରୁ ନିର୍ଜୀବ କାଠ ଖଣ୍ଡରେ ଦୋଳ ବିମାନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜୀବନ୍ତ କଳାକୃତି ତିଆରି କରିବାରେ ସେ ସିଦ୍ଧହସ୍ତ । ଏହି କାର୍ଯ୍ୟ ପାରିବାରିକ ହୋଇଥିବାରୁ ରତ୍ନାକର ଏହାକୁ ପିଲାଟି ଦିନରୁ ପେସା ଭାବେ ଗ୍ରହଣ କରିଥିଲେ । ଏହି ସବୁ କାର୍ଯ୍ୟ କରିବା ପାଇଁ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥାନ୍ତି । ରତ୍ନାକରଙ୍କ କଳାକୃତିର ସ୍ୱତନ୍ତ୍ରତା ରହିଛି । ସେଥିପାଇଁ ସବୁବେଳେ ବିମାନ କିଣିବା ପାଇଁ ଗ୍ରାହକଙ୍କ ଭିଡ ଲାଗିଥାଏ । ପୂର୍ବରୁ ଶିଶୁ, ଶାଗୁଆନ ଏବଂ ଶାଳ କାଠରେ ଏହି ସବୁ କଳାକୃତି ନିର୍ମାଣ କରାଯାଉଥିଲା । ଏବେ ଏହି କାଠର ବଜାର ଦର ଆକାଶ ଛୁଆଁ ହେବାରୁ ଏବେ ଲୋକାଲ କାଠରେ ନିର୍ମାଣ କରାଯାଉଛି । ଲିମ୍ବ ଏବଂ ଗମ୍ଭାରୀ କାଠ ଏଥିପାଇଁ ଆବଶ୍ୟକ । ଗୋଟିଏ ଗୋଟିଏ ଦୋଳ ବିମାନର ନିର୍ମାଣ ସମୟସିମା ଓ ବଜାର ଦର କୌଣସି ନିର୍ଦ୍ଧିଷ୍ଟ ଦର ନଥାଏ । ସୂକ୍ଷ୍ମ କାରୁକାର୍ଯ୍ୟ ଅନୁଯାୟୀ ଏହାର ସମୟ ସୀମା ଓ ଦର ନିର୍ଦ୍ଧାରଣ କରାଯାଏ । ପ୍ରାଚୀନ କାଳରୁ ଆମ ରାଜ୍ୟର ପୁରପଲ୍ଲୀରେ ପ୍ରଚଳିତ ହୋଇ ଆସୁଥିବା ଦୋଳ ମେଳଣ ଏବେ ଯେଉଁ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ବିମାନ ସବୁ ଦେଖିବାକୁ ମିଳେ ସେଥିରୁ ଅଧିକାଂଶ ରତ୍ନାକରଙ୍କ ହାତ ତିଆରି । ଖାଲି ଆମ ଜିଲ୍ଲା ନୁହେଁ ବାହାର ଜିଲ୍ଲାର ଗ୍ରାହକମାନେ ବିମାନ କ୍ରୟ କରିବା ପାଇଁ ଏଠାକୁ ଆସିଥାନ୍ତି ।
ଏହା ମଧ୍ୟ ପଢନ୍ତୁ-ଲୋପ ପାଇବାକୁ ବସିଲାଣି କାଗଜ ମୁଖା, ପୁନଃବ୍ୟବହାର କରିବାକୁ ପ୍ରଦୀପଙ୍କ ପ୍ରୟାସ
ତେବେ ରତ୍ନାକରଙ୍କ ଦ୍ୱାରା ନିର୍ମିତ କଳାକୃତ୍ତିର ସ୍ୱତନ୍ତ୍ରତା ରହିଛି । ଏହାର ସଠିକ ଗୁଣବତ୍ତା ଏବଂ ଏହାର ବଜାର ଦର କମ ହୋଇଥାଏ । ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତି ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ରାଜ୍ୟର ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର , ଢେଙ୍କାନାଳ, କଟକ, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ଗ୍ରାହକ ମାନେ ଏଠାକୁ ଆସିଥାନ୍ତି । ରତ୍ନାକର ନିଜେ କଳାକୃତିକୁ ବଞ୍ଚାଇ ରଖିବା ସହ ପାଞ୍ଚୋଟି ପରିବାରକୁ ରୋଜଗାର କ୍ଷମ କରିପାରିଛନ୍ତି । ରତ୍ନାକରଙ୍କ ଏହି କଳାକୃତି ଓଡିଶା ଓ ଓଡିଶା ବାହାରେ ପ୍ରସିଦ୍ଧି ଲାଭ କରିଥିବାରୁ ଗର୍ବ ଅନୁଭବ କରନ୍ତି ସ୍ଥାନୀୟ ବାସିନ୍ଦା । ତେବେ କାଠରେ ଜୀବନ୍ତ ମୃତ୍ତି ନିର୍ମାଣ କରିବାରେ ପାରଦର୍ଶିତା ଲାଭ କରିଛନ୍ତି ରତ୍ନାକର । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଏଠାରେ ଭିଡ ଜମାଇଥାନ୍ତି । ଏନେଇ କାଠ କାରୀଗର କରୁଣାକର ମହାରଣା କହିଛନ୍ତି ଯେ, ଏହି କାମ ଆମେ ପିଲାଟି ଦିନରୁ କରି ଆସୁଛୁ । ଏହାକୁ ଶିଖିବାକୁ ବାହାରୁ ମଧ୍ୟ ପିଲା ଆସୁଛନ୍ତି । ଦୋଳ ବିମାନ ଏଠାରେ ପ୍ରସ୍ତୁତ ହୋଇ ଅନେକ ଜିଲ୍ଲାରେ ବିକ୍ରି ହେଉଛି । ଏନେଇ ଯଦି ସରକାରଙ୍କ ପ୍ରୋତ୍ସାହନ ମିଳନ୍ତା ତାହେଲେ ଏହି କ୍ଷେତ୍ରରେ ଅଧିକ ଉନ୍ନତି ହୋଇପାରନ୍ତା ।
ଇଟିଭି ଭାରତ, ନିମାପଡା