ନିମାପଡା: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ମାଆ ମଙ୍ଗଳାଙ୍କ ଚଇତି ଯାତ୍ରାର ପ୍ରଥମ ଦିବସ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୀ ଜିଲ୍ଲାର କାକଟପୁର ମଙ୍ଗଳା ପୀଠ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଆଜି ସକାଳୁ ହଜାର ହଜାର ଭକ୍ତ ମନ୍ଦିର ଆସି ମାଆଙ୍କ ଦର୍ଶନ କରୁଛନ୍ତି । ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇରହିଥିବା ପରିଲକ୍ଷିତ ହୋଇଛି । ପୀଠରେ ମାଆଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି ।
ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହୋଇଥାଏ କାକଟପୁରର ମାଆ ମଙ୍ଗଳାଙ୍କ ଚଇତି ପର୍ବ । ପବିତ୍ର ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ମାଆଙ୍କ ନିକଟରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଚଇତି ଯାତ୍ରାର ପ୍ରଥମ ଦିନରେ ମାଆ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରର ଦ୍ବାର ଫିଟା ଯାଇ, ମଙ୍ଗଳ ଆଳତୀ, ସ୍ନାନ, ମାର୍ଜନା, ମଇଲମ କରାଯିବା ପରେ ମାଆଙ୍କୁ ରାଜରାଜେଶ୍ୱରୀ ବେଶରେ ବେଶ ସଜ୍ଜିତ କରାଯାଇଥିଲା । ମାଆଙ୍କ ଶେଷ ମଙ୍ଗଳବାର ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା ।
ଏହାମଧ୍ୟ ପଢନ୍ତୁ... ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ - Holi 2024
ହଜାର ହଜାର ଭକ୍ତଙ୍କ ଗହଳିରେ ମାଆ ମଙ୍ଗଳା ମନ୍ଦିରରେ ସୃଷ୍ଟି ହେଇଛି ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ କରି ଭାବବିହ୍ୱଳ ଓ ଆନନ୍ଦିତ ହୋଇଛନ୍ତି ଭକ୍ତ । ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନରେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କେବଳ ପୁରୀ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ଆଜି ମାଆଙ୍କ କୃପା ଭିକ୍ଷା କରିଛନ୍ତି ।
ଆଜି ମଧ୍ୟାହ୍ନରେ ମାଆଙ୍କ ମନ୍ଦିରରେ ସ୍ୱତନ୍ତ୍ର ନେତ୍ରୋତ୍ସବ ଅନୁଷ୍ଠିତ ହେବ । ମାଆଙ୍କ ନିକଟରେ ଯାଦବ ସମ୍ପ୍ରଦାୟ ଲୋକମାନେ ଲଉଡ଼ି ଖେଳ ଖେଳି ମନ୍ଦିର ପରିକ୍ରମା କରିବେ । ଏହା ପରେ ଧ୍ୱଜା ସ୍ଥାନର ମାର୍ଜନା କରାଯାଇ ମାଆଙ୍କ ନେତ୍ର ଲଗାଯିବ । ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଅବସରରେ ମନ୍ଦିରରେ ମହିଳାମାନେ ପନ୍ଥେଇ ପୂଜା କରିଛନ୍ତି । ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାରର କଲ୍ୟାଣ ପାଇଁ ପନ୍ଥେଇରେ ମାଆ ମଙ୍ଗଳାଙ୍କୁ ପୂଜା ସମର୍ପଣ କରିଛନ୍ତି । ପରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ପନ୍ଥେଇ ପୂଜା କରିଥାନ୍ତି ମହିଳାମାନେ । ବିଶେଷ କରି ପୁଅମାନଙ୍କ ମଙ୍ଗଳ କାମନା କରି ମାଆମାନେ ଏହି ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
ଇଟିଭି ଭାରତ, ନିମାପଡା