ପୁରୀ: 2025 ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରଥକାଠ ଚିହ୍ନଟ ପାଇଁ ପୁରୀରୁ ଗଲେ ତିନି ଜଣିଆ ଟିମ୍ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ 3 ଜଣିଆ ଦଳ ନୟାଗଡ ଯାତ୍ରା କରିଛନ୍ତି । ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସେମାନେ ଆସିଛନ୍ତି ।
ପୁରୀରୁ ନୟାଗଡ଼ ଗଲେ ଟିମ୍:
ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ନୟାଗଡ଼ ଦଶପଲ୍ଲା ଯାତ୍ରା କରିଥିବା ସୂଚନା ମିଳିଛି । ଏହି ଟିମରେ ରଥ ନିର୍ମାଣର ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। "ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ପ୍ରଶାସନ ପାଖରେ ୫୧ ଖଣ୍ଡ କାଠ ବଳକା ରହିଥିବାବେଳେ ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠ ଆବଶ୍ୟକତା ରହିଛି" ବୋଲି କହିଛନ୍ତି ବରିଷ୍ଠ ତତ୍ତ୍ୱାବଧାରକ।

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ - Sabara Shrikhetra Koraput
ଏହା ବି ପଢନ୍ତୁ...ଘୋଷଯାତ୍ରା ପ୍ରସ୍ତୁତି, ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ - Rath Yatra 2024

ଏହି ସବୁ ସ୍ଥାନରୁ ଆସିବ କାଠ:
ସେ ଆହୁରି କହିଛନ୍ତି, "ଶ୍ରୀମନ୍ଦିରରୁ ଯାଇଥିବା ମାଳ ମହାପ୍ରସାଦ ସେଠାରେ ଲାଗି କରାଯିବ। ପୂଜା ଶେଷ ପରେ ଆମେ ଜଙ୍ଗଲକୁ ଯିବୁ। ସେଠାରେ ଗଛ ଚିହ୍ନଟ କରିବୁ । ପରେ ପ୍ରଥମ ପର୍ଯ୍ୟାୟ କାଠ କଟା ଆରମ୍ଭ ହେବ। ପ୍ରଥମେ 12 ଫୁଟିଆ ଧଉରା କାଠ ଚିହ୍ନଟ କରାଯିବ। ଆଗାମୀ ସରସ୍ଵତୀ ପୂଜା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀରେ ଆସି ପହଞ୍ଚିବ। ତିନି ଖଣ୍ଡ ଧଉରା କାଠକୁ ରଥଖଳାରେ ପୂଜାର୍ଚ୍ଚନା କରାଯିବ। ପରେ ପର୍ଯ୍ୟାୟ କ୍ରମେ ରଥ କାଠ ପୁରୀ ଓ କଟକ ଖପୁରିଆ କରତ କଳକୁ କାଠ ଆସିବ। ଚଳିତ ବର୍ଷ ଆମର ନୟାଗଡ଼, ବୌଦ୍ଧ, ଘୁମୁସର ବନ ଖଣ୍ଡରୁ ରଥକାଠ ସଂଗ୍ରହ କରାଯିବ। ଯଦି ଆବଶ୍ୟକ ହୁଏ ଅନ୍ୟ ଜାଗାରୁ ମଧ୍ୟ କାଠ ସଂଗ୍ରହ କରାଯିବ।" ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ଭଲରେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।

ଇଟିଭି ଭାରତ, ପୁରୀ