ପୁରୀ: ସ୍ନାନ ଗୁଣ୍ଡିଚାଏ ବେନି ସ୍ବୟଂ ଲୀଳା ଯାର, ପତିତପାବନ ଅର୍ଥେ ପ୍ରାସାଦୁ ବାହାର.... ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ରତ୍ନ ସିଂହାସନ ଛାଡ଼ି ରଥକୁ ଆସିବେ ମହାବାହୁ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ଶ୍ରୀଜିଉ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଚତୁର୍ଦ୍ଧାମୂର୍ତ୍ତି ତାଙ୍କର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥ ଦ୍ଵାରା ଯାତ୍ରା କରିଥାନ୍ତି । ଯାହାକୁ ରଥଯାତ୍ରା କୁହାଯାଏ । ଶ୍ରୀକ୍ଷେତ୍ର ପୁରୀରେ ପାଳନ ହେଉଥିବା ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ମୂଖ୍ୟ ପର୍ବ । ପୁରୀର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ବାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଯାତ୍ରା ।
ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ପାଳିତ ଏହି ଯାତ୍ରାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ମଣ୍ଡପ ଯାତ୍ରା ଭଳି ବିଭିନ୍ନ ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଉଲ୍ଲେଖ ରହିଛି ।
ଗୋଟିଏ ଯାତ୍ରା, ଅନେକ ନାମ:-
ଘୋଷଯାତ୍ରା: ମହାପ୍ରଭୁ ବିଶ୍ଵର ମଙ୍ଗଳ ପାଇଁ ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଏହି ଯାତ୍ରାକୁ ଘୋଷଯାତ୍ରା କୁହାଯାଏ ।
ଆଡ଼ପ ମଣ୍ଡପ ଯାତ୍ରା: ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଥିବା ନିଜ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରୁଥିବାରୁ ଏହାକୁ ଆଡ଼ପ ମଣ୍ଡପ ଯାତ୍ରା କୁହାଯାଏ ।
ଜନ୍ମବେଦୀ ଯାତ୍ରା: ମହାପ୍ରଭୁଙ୍କର ଜନ୍ମବେଦୀ ହେଉଛି ଆଡ଼ପ ମଣ୍ଡପ । ତେଣୁ ଏହି ଯାତ୍ରାକୁ ମହାପ୍ରଭୁଙ୍କ ଜନ୍ମବେଦୀ ଯାତ୍ରା କୁହାଯାଏ ।
ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ମହାପ୍ରଭୁ ଜଗନ୍ନାଥ ଦଶ ଅବତାର ବେଶ ହୋଇଥାଆନ୍ତି । ତେଣୁ ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଏ ।
ପତିତପାବନ ଯାତ୍ରା: ପତିତ ମାନଙ୍କୁ ଉଦ୍ଧାର କରିବାକୁ ମହାବାହୁଙ୍କର ଏହି ଯାତ୍ରା ବୋଲି କୁହାଯାଏ । ତେଣୁ ଏହାକୁ ପତିତପାବନ ଯାତ୍ରା କୁହାଯାଏ ।
ନବଦିନାତ୍ମକ ଯାତ୍ରା: ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ଯିବା, ସେଠାରୁ ଶ୍ରୀମନ୍ଦିର ବାହୁଡ଼ିବା ଓ ସେଠାରେ ରହଣୀକୁ ମିଶାଇ ୯ ଦିନ ହୋଇଥାଏ । ତେଣୁ ଏହାକୁ ନବଦିନାତ୍ମକ ଯାତ୍ରା ବୋଲି କୁହାଯାଏ ।
ଶ୍ରୀଗୁଣ୍ଡିଚା ଯାତ୍ରା: ରାଣୀ ଗୁଣ୍ଡିଚାଙ୍କ ଘରକୁ ଯାତ୍ରା କରୁଥିବାରୁ ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କୁହାଯାଏ ।
ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣରେ ଉଲ୍ଲେଖ ହୋଇଛି । ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ । ମହାପ୍ରଭୁଙ୍କର ଦ୍ବାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି । ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ, ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ ବୋଲି ରହିଛି ବିଶ୍ବାସ । ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିଁକି ? ସାରା ବିଶ୍ବର ଏକ ଶ୍ରେଷ୍ଠ ଯାତ୍ରା । ଏହି ମହୋତ୍ସବରେ ସାମିଲ ହେଲେ, ଚତୁର୍ଦ୍ଧାବିଗ୍ରହଙ୍କୁ ଆଡ଼ପ ମଣ୍ଡପ ବା ସ୍ନାନବେଦୀରେ ଦର୍ଶନ କଲେ, ଏକ ସହସ୍ର ଅଶ୍ବମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ବାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି- ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଗୁଣ୍ଡିଚା ମନ୍ଦିରରେ ଏକ ଦିନ ଦର୍ଶନରେ ସେତିକି ଫଳ ଲାଭ ହୁଏ ।
ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ବଲ୍ଲଭ ଓ ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ, ରାମ, କୃଷ୍ଣ ବିଜେ, ଚିତା ଲାଗି, ଛେରା ପହଁରା, ଚାରମାଳ ଫିଟା ଓ ଘୋଡ଼ା ସାରଥୀ ଲାଗିବା ଓ ରଥଟଣା ଭଳି ଅନେକ ନୀତି ସମ୍ପନ୍ନ ହୋଇଥାଏ । ଏନେଇ ଇଟିଭି ଭାରତରେ ବିସ୍ତୃତ ସୂଚନା ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ ।
ଇଟିଭି ଭାରତ, ପୁରୀ