ପୁରୀ: ଭାରତର ଚାରି ଧାମ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ଧାମ ହେଉଛି ଜଗନ୍ନାଥ ଧାମ ପୁରୀ । ଏଠାରେ ଥିବା ବିଶ୍ବନିଅନ୍ତାଙ୍କ ମନ୍ଦିରର ମହାତ୍ମ୍ୟ ଯେତିକି ରୋଚକ, ଏହାର ଚାରିପାଖରେ ଥିବା ମଠ ଗୁଡିକ ମନ୍ଦିର ଐତିହ୍ୟକୁ ଆହୁରି ରୁଦ୍ଧିମନ୍ତ କରାଏ । ଶ୍ରୀମନ୍ଦିର ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ। ଯେମିତିକି ଜଗନ୍ନାଥବଲ୍ଲଭ, ଉତ୍ତରପାର୍ଶ୍ଵ, ବଡ ଓଡ଼ିଆ, ରାଘବ ଦାସ, ପାପୁଡ଼ିଆ, ରାଧା ବଲ୍ଲଭ ଆଦି ଶତାଧିକ ମଠ ମହାପ୍ରଭୁଙ୍କ ସେବାରେ ଜଡିତ । ମହାପ୍ରଭୁଙ୍କ ଅଣସରରେ ଫୁଲୁରି ତେଲ ସେବା, ସିଂହାସନ ମାଜଣା, ଟାହିଆ ସେବା, ପଦ୍ମ ବେଶ, ହାତୀ ବେଶ, ଆଲଟ ଚାମର ସେବା, ମହନ ଭୋଗ ସେବା ଏହି ଭଳି ଅନେକ ସେବା ଶତାଧିକ ମଠ ଯୋଗାଇ ଦେଇଥାନ୍ତି। ରଥଯାତ୍ରାରେ ମଧ୍ୟ ଅନେକ ମଠ ଦାରୂଦିଅଁଙ୍କ ଅନେକ ନୀତି କାନ୍ତି ସହ ଜଡ଼ିତ । ମହାପ୍ରଭୁଙ୍କ ଦୈନନ୍ଦିନ ସେବା ସହ ପର୍ବ ପର୍ବାଣୀରେ ମଧ୍ୟ ସେବା ଯୋଗାଇ ଦେଇଥାନ୍ତି ମଠ ଗୁଡିକ ।
ପୁରୀରେ କୋତୋଟି ମଠ ରହିଛି?: ଶ୍ରୀକ୍ଷେତ୍ର ପୁରୀରେ ପୁରୁଣା ମଠ ଏକ ଶହରୁ ଅଧିକ ଥିବା ବେଳେ ନୂଆ ମଠକୁ ମିଶାଇଲେ ମୋଟ 450 ମଠ ରହିଛି । ରୁଦ୍ର, ବୈଷ୍ଣବ, ଶାକ୍ତ ଆଦି ସବୁ ସମ୍ପ୍ରଦାୟର ମଠ ରହିଛି ଶ୍ରୀକ୍ଷେତ୍ରରେ। ମନ୍ଦୀରରେ ଶାଢ଼ୀ ବନ୍ଧେଇ 35 ଟି ମଠ ସିଧାସଳଖ ବିଭିନ୍ନ ସେବା, ନିତୀରେ ଜଡିତ ଅଛନ୍ତି। ଶ୍ରୀକ୍ଷେତ୍ରରେ ଅନେକ ମଠ ଥିବା ବେଳେ ସେଥି ମଧ୍ୟରୁ ପ୍ରମୁଖ ମଠ ହେଲା ଓଡ଼ିଆ ମଠ, ଉତ୍ତର ପାର୍ଶ୍ୱ ମଠ, କଦଳୀ ପଟୁକା ମଠ,କୋଠଭୋଗ ମଠ, ଗଙ୍ଗାମାତା ମଠ,ଗୋପାଳତୀର୍ଥ ମଠ,ଗୋବର୍ଦ୍ଧନ ମଠ, ଚାଉଳିଆ ମଠ, ଛାଉଣି ମଠ, ଜଗନ୍ନାଥବଲ୍ଲଭ ମଠ, ଜିୟରସ୍ୱାମୀ ମଠ,ଝାଞ୍ଜପିଟା ମଠ, ଡଗରା ମଠ, ତ୍ରିମାଳି ମଠ, ଦକ୍ଷିଣପାର୍ଶ୍ୱ ମଠ, ନୂଆ ମଠ, ପାପୁଡ଼ିଆ ମଠ, ପୁରାଣସଭା ମଠ, ବଡ଼ ଓଡ଼ିଆ ମଠ, ବଡ଼ଛତା ମଠ, ବଡ଼ଝାଡୁ ମଠ, ବଡ଼ ସନ୍ଥ ମଠ, ବଳରାମକୋଟ ମଠ, ଭେଙ୍କଟାଚାରୀ ମଠ, ମଙ୍ଗୁ ମଠ, ରାଘବ ଦାସ ମଠ, ରାଜଗୁରୁ ଗୋସ୍ୱାମୀ ମଠ, ରାଧାକାନ୍ତମଠ, ରାଧାବଲ୍ଲଭ ମଠ, ରାମଜୀ ମଠ, ରେବସା ମଠ, ସମାଧି ମଠ, ସାନଛତା ମଠ, ସାନଝାଡୁ ମଠ ସିଦ୍ଧ ବକୁଳ ମଠ, ସୁନାଗୋସାଇଁ ମଠ, ଶଙ୍କରାନନ୍ଦ ମଠ, ହରିଦାସ ଠାକୁର ମଠ ପରି ଏକାଧିକ ମଠ ରହିଛି । ମଠର ପରିଚାଳନା କରୁଥିବା ମଠାଧୀଶଙ୍କୁ ମହନ୍ତ କୁହାଯାଏ । ଶିଷ୍ୟଗଣ ଶାସ୍ତ୍ର ଅଧ୍ୟୟନ ସହ ଧର୍ମ ପ୍ରଚାର ସେବା ଏବଂ ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।
ସ୍ୱତ୍ୱଲିପିରେ ଉଲ୍ଲେଖ କେଉଁ ମଠ କେଉଁ ସେବା କରିବେ: ତତ୍କାଳୀନ ରାଜା ମହାରାଜା ମାନେ ମହାପ୍ରଭୁଙ୍କ ବିଭିନ୍ନ ସେବା ପାଇଁ ବିଭିନ୍ନ ମଠକୁ ଦାୟିତ୍ବ ନ୍ୟସ୍ତ କରିଥିଲେ। ସ୍ଵାଧୀନତା ପରେ ଶ୍ରୀମନ୍ଦିର ସ୍ୱତ୍ୱଲିପି ପ୍ରସ୍ତୁତ କରାଯାଇ କେଉଁ ସେବା କେଉଁ ମଠ ଯୋଗଇବେ ସେ ନେଇ ଉଲ୍ଲେଖ ରହିଛି। ବାର ଶହ ମସିହା ଠାରୁ ଶ୍ରୀକ୍ଷେତ୍ର ବିଭିନ୍ନ ମଠ ସଂସ୍କୃତି ଆରମ୍ଭ ହେଇଥିବା ବେଳେ ପିଢ଼ି ପରେ ପିଢ଼ି ମଠ ମହନ୍ତ ମାନେ ନିଜର ସେବା ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯୋଗାଇ ଆସୁଛନ୍ତି । ମଠରେ ଗୋ ସେବା, ସାଧୁ ସେବା, ବିଦ୍ୟାର୍ଥୀ ସେବା ଆଦି କରାଯାଏ।
ପୁରୀରେ ପ୍ରଥମେ ମଠ ପ୍ରସ୍ତୁତ କରିଥିଲେ ଶଙ୍କରାଚାର୍ଯ୍ୟ: ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମୂଳ କେନ୍ଦ୍ର ହେଉଛି ମଠ । ସେ ସମୟରେ ଯେଉଁ ଭକ୍ତ ମାନେ ପୁରୀ ଆସନ୍ତି ବିଭିନ୍ନ ମଠରେ ରହିଥାନ୍ତି । ସେହି ସମୟରେ ସେମାନେ ଜଗନ୍ନାଥ ଦର୍ଶନ କରି ମହାପ୍ରଭୁଙ୍କ କୀର୍ତ୍ତି ନେଇ କିଭଳି ଫେରିବେ ସେ ନେଇ ଏହି ମଠ ଗୁଡିକର ପ୍ରମୁଖ କାର୍ଯ୍ୟ ରହିଥୀଏ। ସର୍ଵ ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ମଠ ପ୍ରତିଷ୍ଠା କରିଥଲେ। ପରେ ଅନ୍ୟ ସାଧୁ ସନ୍ଥ ମାନେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ସେବା ପାଇଁ ମଠ ପ୍ରତିଷ୍ଠା କରିଥିଲେ। ରାମାନୁଜଚାର୍ଯ୍ୟ, ନିମ୍ବାକଚାର୍ଯ୍ୟ, ରାମାନନ୍ଦଚାର୍ଯ୍ୟ, ଶ୍ରୀଚୈତନ୍ୟ, ନାନକ, କବିରଙ୍କ ଭଳୀ ପ୍ରସିଧ ସାଧୁ ସନ୍ଥ ମାନେ ଶ୍ରୀକ୍ଷେତ୍ରର ଆସି ମଠ ପ୍ରତିଷ୍ଠା କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ।
ମଠ କାହାକୁ କୁହାଯାଏ ?: ତେବେ ବିଦ୍ୟାର୍ଥୀମାନଙ୍କ ବେଦାଭ୍ୟାସ ଏବଂ ଦେବସେବା ନିମିତ୍ତ ସ୍ଥାପିତ ଓ ଜମି ବାଡ଼ି ଖଞ୍ଜାଥିବା ଆଶ୍ରମକୁ ମଠ କୁହାଯାଏ । ପ୍ରତ୍ୟକ୍ଷରେ ମଠଗୁଡ଼ିକ ସଂସ୍କୃତିକୁ ସୁରକ୍ଷା ପ୍ରଦାନ କରିଥାନ୍ତି । କେତେକ ମଠର ଆରମ୍ଭ ହେଉଛି ଛତା । ପ୍ରଥମେ ଛତା, ତାପରେ ସେଥିରୁ ମଠ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ସାଧୁ ସନ୍ଥମାନେ ପ୍ରଥମେ ଛତା ପୋତି ବାଲିରେ ରହନ୍ତି । ସମୟ କ୍ରମେ ଅମୃତ ମଣୋହି ସମ୍ପତ୍ତିର ମାର୍ଫତଦାର ହେବା ଫଳରେ ମଠ ଗୁଡିକର ସୃଷ୍ଟି ଓ ବିଭବ ସମ୍ଭବ ହୋଇଥିଲା ।
ମହାପ୍ରଭୁଙ୍କୁ ନବକଳେବର ଲୀଳା ସହିତ 16ଟି ମଠ ସମ୍ପୃକ୍ତ: ପ୍ରାଚୀନକାଳରୁ ଜଗନ୍ନାଥଙ୍କ ଉପାସନା ସନାତନ ଧର୍ମର ବିଭିନ୍ନ ଉପାସକଙ୍କୁ ଆକର୍ଷିତ କରିଛି । ସେଥିପାଇଁ ଦେଶର ଅନେକ ସାଧୁସନ୍ଥ, ମହାପୁରୁଷ, ଦାର୍ଶନିକ ଓ ଗୁରୁ ଏହି କ୍ଷେତ୍ରକୁ ଆସିଥିବା ଇତିହାସରୁ ପ୍ରମାଣ ମିଳେ । ଏମାନେ ମହାପ୍ରଭୁ ଉପାସନାକୁ ବୁଝିଲା ପରେ ମୁଗ୍ଧ ହୋଇଥାନ୍ତି । ଶେଷରେ ଏହି କ୍ଷେତ୍ରରେ ନିଜର ମଠ ସ୍ଥାପନା କରାଇଥାନ୍ତି । ଶ୍ରୀକ୍ଷେତ୍ରର ସାତ ସାହି 42 କନ୍ଦିରେ 752 ମଠ ଥିଲା । ବହୁ ମଠ ଆଶ୍ରମ ନିଶ୍ଚିହ୍ନ ହୋଇଯିବା ପରେ 450 ମଠ ଓ ଆଶ୍ରମ ଆଜି ମଧ୍ୟ ରହିଛି । ଏହି ମଠ ଗୁଡ଼ିକ ମଧ୍ୟରୁ କେତେକ ମଠରେ ବର୍ଷସାରା ପ୍ରତିଦିନ ସେବା ରହିଛି । କେତେକ ମଠର ସାମୟିକ ସେବା ରହିଥିବା ଜଣାଯାଏ । ମହାପ୍ରଭୁଙ୍କୁ ନବକଳେବର ଲୀଳା ସହିତ 16ଟି ମଠ ସମ୍ପୃକ୍ତ ରହିଥିବା ଇତିହାସରୁ ଜଣାଯାଏ ।
ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ନୀତି, ଉତ୍ସବ, ଯାନିଯାତ୍ରା ସହିତ ବିଭିନ୍ନ ମଠ ଗୁଡିକ ସମ୍ପୃକ୍ତି ରହିଛି। ଏଥିନିମନ୍ତେ ବହୁ ରାଜା, ମହାରାଜା, ବଦାନ୍ୟ ବ୍ୟକ୍ତି ମଠ ମାର୍ଫତରେ ହଜାର ହଜାର ଏକର ଭୂ ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ଦୈନନ୍ଦିନ ସେବା ପୂଜା କରିଆସୁଛନ୍ତି ବିଭିନ୍ନ ମଠ। ଦୈନନ୍ଦିନ ମହାପ୍ରଭୁଙ୍କ ଧୂପ ପୂଜା ସମୟରେ ଚାମର ଓ ଆଲଟ ସେବା, ମଶାଲ ଯୋଗାଇବା ସେବା, ମହାପ୍ରଭୁଙ୍କ ନିତ୍ୟ ବେଶ ନିମନ୍ତେ ପୁଷ୍ପାଳଙ୍କାର ତୁଳସୀ ଓ ମାଳା ଇତ୍ୟାଦି ଯୋଗାଇବା, ଶ୍ରୀମନ୍ଦିର ରୋଷରେ ବହୁ ପରିମାଣର ଅମୃତମଣୋହି ଭୋଗ ବା ଖଟଣି ଭୋଗ କରିବା, ଶ୍ରୀମନ୍ଦିରର କେତେକ ସ୍ଥାନକୁ ମାର୍ଜନା କରିବା ସେବା, ଝାଞ୍ଜପିଟା ସେବା, ରଥଯାତ୍ରା ସମୟରେ ଟାହିଆ, ବିଭିନ୍ନ ଦ୍ରବ୍ୟ ଯୋଗାଣ, ବିଭିନ୍ନ ବେଶ ସାମଗ୍ରୀ ଯୋଗାଣ, ଠାକୁରମାନଙ୍କ ପହଣ୍ଡି ସମୟରେ ପଂନ୍ତି ଭୋଗ କରାଇବା ଇତ୍ୟାଦି ଅନେକ ସେବା ସହ ମଠାନୁଷ୍ଠାନଗୁଡ଼ିକ ପ୍ରତ୍ୟକ୍ଷ ଭାବେ ଜଡ଼ିତ।
ଇଟିଭି ଭାରତ, ପୁରୀ