ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ପ୍ରସ୍ତୁତ କରାଯାଉଛି ମହାପ୍ରସାଦ । ଏକଥା ପ୍ରଘଟ ହେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ ଭଙ୍ଗ କରାଯାଇ ଲୁହା କଡ଼େଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେବାକୁ ସମସ୍ତେ ସମାଲୋଚନା କରିଛନ୍ତି । ରୋଷଘରେ ବ୍ୟବହୃତ ହେଉଥିବା ଲୁହା କଡ଼େଇକୁ ଜବତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇସାରିଛି ।
ମାଟି କୁଡୁଆ ଅଭାବ ହେତୁ କିଛି ସୂପକାର ସେବକ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା କହିଛନ୍ତି ସୁଆର-ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର । ମାଟି କୁଡୁଆ ଅଭାବ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ସୃଷ୍ଟି କରିବାର ଆଶଙ୍କା ରହିଛି । ଏଣୁ ପ୍ରଶାସନ ଏହାର ଶୀଘ୍ର ସମାଧାନ ପାଇଁ ସୁଆର ମହାସୁଆର ନିଯୋଗ ଦାବି କରିଛି ।
- ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇ !
ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତିକୁ ସମାଲୋଚନା କରିଛି କୁମ୍ଭକାର ନିଯୋଗ । ମାଟି କୁଡୁଆ ନମିଳିବା ଆଳରେ ଶ୍ରୀମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗାଯିବା ଠିକ୍ ନୁହେଁ ବୋଲି କୁମ୍ଭକାର ନିଯୋଗ କହିଛି । ତେବେ ଶ୍ରୀମନ୍ଦିରରେ ମାଟି କୁଡୁଆ ଅଭାବ ପାଇଁ ପ୍ରଶାସନକୁ ଦାୟୀ କରିଛି ଶ୍ରୀମନ୍ଦିର କୁମ୍ଭକାର ନିଯୋଗ । କୁମ୍ଭକାରମାନଙ୍କୁ ପ୍ରଶାସନ ଓ ସରକାର କୌଣସି ସହଯୋଗ, ଆର୍ଥିକ ସହାୟତା ପ୍ରଦାନ କରୁନଥିବାରୁ ଯୁବ କୁମ୍ଭକାରମାନେ ଆଉ କୁଡୁଆ ତିଆରି କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । କୁମ୍ଭକାରଙ୍କ ଅନେକ ମୌଳିକ ସମସ୍ୟା ଓ ଭିତ୍ତିଭୂମି ଅଭାବ ରହିଛି । ଏହା ଦୂର ହୋଇ ପାରିଲେ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଣରେ ଅଭାବ ରହିବ ନାହିଁ ବୋଲି କୁମ୍ଭକାର ନିଯୋଗ କହିଛି ।
କାହିକି ସୃଷ୍ଟି ହେଲା କୁଡୁଆ ସଙ୍କଟ :-
ମହାପ୍ରଭୁଙ୍କ ମହାପ୍ରସାଦ ମୁଖ୍ୟତଃ ଦୁଇପ୍ରକାର କୁଡୁଆ, ମଠ କୁଡୁଆ ଓ ଢ଼ଳା କୁଡୁଆରେ ପ୍ରସ୍ତୁତ ହୋଇଥାଏ । ଭାତ କୁଡୁଆ, ଢ଼ଳା କୁଡୁଆ, ନମ୍ବରି, ଚକା ନମ୍ୱରି, ମଠ କୁଡୁଆ, ଢ଼ଳା ମଠ କୁଡୁଆ, ବଡ ମଠ, ଏମାର୍, ଦାସିଆ, ସମାଧି, ବାଇହାଣ୍ଡି ଆଦି ବିଭିନ୍ନ ପ୍ରକାର ମାଟି କୁଡୁଆ ରୋଷରେ ବ୍ୟବହାର ହୋଇ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଏ । ତେବେ ଢ଼ଳା କୁଡୁଆର ଘୋର ଅଭାବ ଦେଖାଦେଇଛି । ଶ୍ରୀମନ୍ଦିରକୁ କୁମ୍ଭକାରମାନେ ମାଟି କୁଡୁଆ ଯୋଗାଇ ଥାଆନ୍ତି । ପୁରୀର ଟିକରପଡ଼ା, ଗୋପାଳପୁର, କୁମ୍ଭାରପଡ଼ା ଓ ପୁରୀ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମାଞ୍ଚଳରୁ ଏହି ମାଟି କୁଡୁଆ ଶ୍ରୀମନ୍ଦିରକୁ ଆସିଥାଏ । ତେବେ ଏହି ପାରମ୍ପରିକ ମାଟି କୁଡୁଆ ପ୍ରସ୍ତୁତିରେ ଆଉ ବର୍ତ୍ତମାନର ଯୁବପିଢ଼ି ଇଛା ପ୍ରକାଶ କରୁନାହାନ୍ତି । ଏହା ପଛରେ ଗୋଟିଏ ନୁହେଁ ବରଂ ଏକାଧିକ କାରଣ ମଧ୍ୟ ରହିଛି । ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ଓ ଏହାର ବଜାର ମୂଲ୍ୟ ପରିଶ୍ରମ ଅନୁଯାୟୀ ସେମାନଙ୍କୁ ମିଳୁନାହିଁ । ତେଣୁ ଯୁବ କୁମ୍ଭକାରମାନେ ଆଉ କୁଡୁଆ ତିଆରି ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଣୁ ଶ୍ରୀମନ୍ଦିରକୁ ଆବଶ୍ୟକତା ଅନୁଯାୟୀ ମାଟି କୁଡୁଆ ଆସିପାରୁନଥିବାରୁ ରୋଷଶାଳାରେ କୁଡୁଆ ସମସ୍ୟା ବଢିବାରେ ଲାଗିଛି ।
- ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କଲା କୁମ୍ଭକାର ନିଯୋଗ:-
ଏନେଇ କୁମ୍ଭକାର ନିଯୋଗର ବରିଷ୍ଠ କାର୍ଯ୍ୟକର୍ତ୍ତା ମହେନ୍ଦ୍ର କୁମାର ବିଷୋୟୀ କହିଛନ୍ତି, ‘‘ଏ ସମସ୍ୟା ନିରାକରଣ ପାଇଁ ଆମେ ରାଜ୍ୟ ସରକାରଙ୍କୁ ବାରମ୍ବାର କହି ଆସୁଛୁ । ଆଗକୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ଘଟିବାର ଆଶଙ୍କା ରହିଛି । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ନିକଟରେ କୁଡୁଆ ତିଆରି ପାଇଁ ଏକ କାରଖାନା କରନ୍ତୁ । ଏହା ସମ୍ଭବ ହେଲେ ଅଧିକରୁ ଅଧିକ ମାଟି କୁଡୁଆ ତିଆରି ହୋଇପାରିବ । ଶ୍ରୀମନ୍ଦିରରେ ମାଟି କୁଡୁଆକୁ ନେଇ ସମସ୍ୟା ରହିବନାହିଁ । ତେବେ ଢ଼ଳା କୁଡୁଆ ଘୋର ଅଭାବ ଯୋଗୁଁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ସମସ୍ୟା ବଢ଼ିବାରେ ଲାଗିଛି । ଏହାର ସମାଧାନ ଶୀଘ୍ର ଶ୍ରୀ ମନ୍ଦିର ପ୍ରଶାସନ କରିବା ଦରକାର । ’’
ମହେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ଗତ ଫନି ମହାବାତ୍ୟାରେ କୁମ୍ଭକାରମାନଙ୍କ ଶାଳ ଭାଙ୍ଗିଗଲା । ହେଲେ ଦୁଃଖର ବିଷୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ଆର୍ଥିକ ସାହାଯ୍ୟ ଦେଲେ ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କୁ ଫନି ସହାୟତା ଦିଆଗଲା ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଦିଆଗଲା ନାହିଁ । ମାଟି କୁଡୁଆ ନମିଳିବା ଯୋଗୁ ଅନ୍ୟପାତ୍ରରେ ମହାପ୍ରସାଦ ପ୍ରସ୍ତୁତି ହେବା ଶ୍ରୀ ଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ବିରୋଧୀ । କୁମ୍ଭକାରମାନେ ଏହାକୁ କେବେ ଗ୍ରହଣ କରିବେନାହିଁ । କାରଣ କୁମ୍ଭକାରଙ୍କ ମୌଳିକ ସମସ୍ୟା ଯେପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ସେପର୍ଯ୍ୟନ୍ତ ଅଧିକ ମାଟି କୁଡୁଆ ତିଆରି ଆମ ପାଇଁ ବେଶ କଷ୍ଟକର ହୋଇପଡୁଛି ।
- ଫନିରେ ଭାଟି ଶାଳ ଭାଙ୍ଗିଥିଲା, ପୁନରୁଦ୍ଧାର କରଗଲା ନାହିଁ:-
ମହେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି,‘‘ଗତ ଫନି ବାତ୍ୟାରେ ଆମର ବଡ ଭାଟି, ବଡ ସାଳ ଭାଙ୍ଗିଗଲା । ଏପରି ସ୍ଥିତିରେ ଅଧିକ ଉତ୍ପାଦନ କିଭଳି କରିବୁ । ଯଦି ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ ନାହିଁ କିଭଳି ଆମେ କାର୍ଯ୍ୟ କରିବୁ । ଆମେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରୁଛୁ କୁମ୍ଭକାରମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କିଭଳି ସ୍ୱଚ୍ଛଳ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉ । କୁମ୍ଭକାର ନିଯୋଗକୁ 20 ଏକର ଜମି ଦିଆଯାଉ । ଯାହା ଫଳରେ ଆମେ ମାଟି ସଂଗ୍ରହ କରିପାରିବୁ । କାଠ ଯୋଗାଇ ଦିଆଯାଉ । ଭିତ୍ତିଭୂମି ଅଭାବ ଯୋଗୁ ଆମେ ଅଧିକ ମାଟି କୁଡୁଆ ଉତ୍ପାଦନ କରିପାରୁନାହୁଁ । ବଡ ଗୋଦାମ ଗୃହ ନଥିବାରୁ ଅଧିକ କୁଡୁଅ ରଖିବାକୁ ସ୍ଥାନ ନାହିଁ । ଏଣୁ ଏହି ସବୁ ମୌଳିକ ସମସ୍ୟା, ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଗଲେ ଆମେ ଅଧିକ କୁଡୁଆ ତିଆରି କରି ଶ୍ରୀମନ୍ଦିରକୁ ଯୋଗାଇ ପାରିବୁ ।’’
- ଆବଶ୍ୟକତା ଅନୁଯାୟୀ ହୋଇପାରୁନି ଉତ୍ପାଦନ:-
ମହେନ୍ଦ୍ର କହିଛନ୍ତି, ତିଆରି ହେଉଥିବା କୁଡୁଆ ପାଇଁ ଅନେକ ଖର୍ଚ୍ଚ ହେଉଥିବା ବେଳେ ଉପଯୁକ୍ତ ମୂଲ୍ୟ ଆମେ ପାଉନାହୁଁ । କୁଡୁଆ ତିଆରି ପାଇଁ ମାତ୍ର 12ଟି ବଡ ଭାଟି ରହିଛି । ତେବେ 200 ଭାଟିର ଆବଶ୍ୟକତା ରହିଛି । ଏଣୁ ଆବଶ୍ୟକତା ଅନୁଯାୟୀ କୁଡୁଆ ଉତ୍ପାଦନ ହୋଇ ନ ପାରିବାରୁ କୁଡୁଆ ସଙ୍କଟ ଦେଖାଦେଇଛି । ଯଦି ସରକାର ଓ ପ୍ରଶାସନ କୁମ୍ଭକାରଙ୍କ ମୌଳିକ ସମସ୍ୟା ସମାଧାନ କରିବା ସହ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବେ କୁଡୁଆ ଉତ୍ପାଦନରେ ଅଭାବ ରହିବ ନାହିଁ ।
ମହାପ୍ରଭୁଙ୍କ ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ କି ପଦକ୍ଷେପ ନେବ ପ୍ରଶାସନ ?:-
ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ସମାଧାନ ପାଇଁ କାମ ଜାରି ରହିଥିବା ପୁରୀ ଜିଲ୍ଲା ପ୍ରଶାସନ କହିଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟାରେ କହିଛନ୍ତି,‘‘ ଶ୍ରୀମନ୍ଦିରରେ କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁଙ୍କ ପରମ୍ପରାକୁ କ୍ଷୂର୍ଣ୍ଣ କରିବାକୁ ଦିଆଯିବ ନାହିଁ । ତେବେ କୁଡୁଆ ଅଭାବ ସମ୍ପର୍କରେ ସୁଆର ଓ ମହାସୁଆର ନିଯୋଗ ସହ ଅଲୋଚୋନା କରାଯିବ । କୁମ୍ଭକାର ନିଯୋଗ ସହ ମଧ୍ୟ ଆଲୋଚୋନା କରାଯାଇ କୁଡୁଆ ଅଭାବର ମୁଖ୍ୟ କାରଣ ଓ ଏହା କିଭଳି ସମାଧାନ ହୋଇ ପାରିବ ସେନେଇ ପଦକ୍ଷପ ନିଆଯିବ ।’’
ଇଟିଭି ଭାରତ, ପୁରୀ