ବରଗଡ଼: ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ଆସନ । ଅତାବିରା ବ୍ଲକ ଏବଂ ଭେଡେନ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ପ୍ରଥମ ଥର କଂଗ୍ରେସ ବିଜୟୀ ହୋଇଥିଲା । କିନ୍ତୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଠାରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେଡି ଦଳ । ଲଗାତାର ଭାବେ ସ୍ନେହାଙ୍ଗିନୀ ଛୁରିଆ ଦୁଇ ଥର ଏହି ଆସନରୁ ବିଜୟୀ ହୋଇ ଅପ୍ରତିଦ୍ଵନ୍ଦ୍ବୀ ନେତ୍ରୀ ଭାବେ ଛିଡା ହୋଇଛନ୍ତି । ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେବା ସହ ବିଜେଡି ଦଳର ରାଜ୍ୟ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ବିଗତ ପାଞ୍ଚ ବର୍ଷରେ ଅନେକ ବିକାଶ କାର୍ଯ୍ୟ କରିଥିବା ବେଳେ ଅନେକ କାର୍ଯ୍ୟ ଆଜି ଯାଏଁ ମଧ୍ୟ ହୋଇପାରିନି । ସେହିପରି ଏହି ଅଞ୍ଚଳରେ ଚାଷୀଙ୍କ ସମସ୍ୟା ଅନେକ ରହିଥିବା ବେଳେ ରାସ୍ତାଘାଟ ସମସ୍ୟା ମଧ୍ୟ ରହିଛି । ନିମ୍ନମାନର ରାସ୍ତା ସାଙ୍ଗକୁ ଏଠାରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିନଥିବା ଅଭିଯୋଗ ହୋଇଛି ।
ଅନୁସୂଚିତ ଜାତି ପାଇଁ ଅତାବିରା ବିଧାନସଭା ଆସନ ସଂରକ୍ଷିତ ରହିଛି । ଏଠାକାର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୪୬୯ । ଦେଶ ସ୍ବାଧୀନ ହେବା ପରେ ପ୍ରଥମେ ୧୯୫୧ ମସିହାରେ ଥରେ ଏହି ଆସନରେ ନିର୍ବାଚନ ହୋଇଥିଲା । ପରବର୍ତ୍ତୀ ସମୟରେ ଡି ଲିମେଟସନ ଯୋଗୁଁ ସତ୍ତା ହରାଇ ଥିଲା ଏହି ଆସନ । ପୁଣି ୨୦୦୯ ମସିହାରେ ପୁନଃ ଗଠିତ ହୋଇଥିଲା ଏହି ବିଧାନସଭା ଆସନ । ୨୦୦୯ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ବିଜୟୀ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ କଂଗ୍ରେସ ହାତରୁ ଛଡାଇ ଆଣି ଲଗାତାର ଭାବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଜିତି ଆସୁଛନ୍ତି । ଏହି ଆସନ ଲଗାତାର ଭାବେ ଦୁଇଥର ବିଜୟୀ ହୋଇ ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ।
ଏହା ମଧ୍ୟ ପଢନ୍ତୁ-ବିଜେପି-ବିଜେଡି ମେଣ୍ଟ ହେଲେ କଣ ହେବ ସୁନ୍ଦରଗଡ଼ ରାଜନୀତି ? - Sundargarh Politics
ବରଗଡ ଜିଲ୍ଲାର ଅତାବିରା ବିଧାନସଭା ଅଞ୍ଚଳରେ ଅଧିକାଂଶ ଲୋକେ ଚାଷ କାମ ଉପରେ ନିର୍ଭର କରୁଥିବା ବେଳେ ଏଠାକାର ଅଧିକାଂଶ ସମସ୍ୟା କୃଷି ଓ କୃଷକଙ୍କ ସହ ଜଡିତ । ଧାନ ବିହନ, ସାର, କୀଟନାଶକ ଆଦିର କଳାବଜାରୀ ସହିତ ଧାନର ଅଣ୍ଡର ରେଟ ବିକ୍ରି ସମସ୍ୟା, ଧାନ ମଣ୍ଡି ସମସ୍ୟା, ଜଳ ସେଚନ ପାଇଁ ତଳ ମୁଣ୍ଡରେ କେନାଲ ପାଣି ସମସ୍ୟା ରହିଛି । ସେହିପରି ଧାନ ବିକ୍ରି କରିନପାରି କିମ୍ବା ଫସଲ ନଷ୍ଟ କାରଣରୁ ଚାଷୀ ଆତ୍ମହତ୍ୟା ଆଦି ସମସ୍ୟା ଏଠାକାର ମୁଖ୍ୟ । କିଛି ସମସ୍ୟାର ସମାଧାନ ହୋଇଥିବାବେଳେ ଅନେକ ସମସ୍ୟାର ଆଜିଯାଏ ସମାଧାନ ହୋଇପାରିନଥିବା ଲୋକଙ୍କ ଅଭିଯୋଗ ରହିଛି ।
ଅନ୍ୟପଟେ ଗରିବ ଶ୍ରେଣୀ ଲୋକଙ୍କ ଆର୍ଥିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିବାବେଳେ ଧନୀ ଲୋକ ଆହୁରି ଧନୀ ହେବାରେ ଲାଗିଛନ୍ତି ଏବଂ ଶ୍ରମିକଙ୍କ ପରିବାର ଦିନ ତମାମ ଶ୍ରମ କରି ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଥିବା କହନ୍ତି ସ୍ଥାନୀୟ ଶ୍ରମିକ ମାନେ । ତେବେ ଗମନାଗମନ କ୍ଷେତ୍ରରେ ରାସ୍ତା ଘାଟର କାମ ହୋଇଥିଲେ ମଧ୍ୟ ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ । ବିଧାୟକାଙ୍କ ବିଗତ ପାଞ୍ଚ ବର୍ଷରେ କିନ୍ତୁ ମହିଳା ମାନେ ସ୍ଵାବଲମ୍ବୀ ହୋଇପାରିଛନ୍ତି ଏବଂ ଘରୁ ପଦାକୁ ଗୋଡ କାଢି ନିଜେ ନିଜେ ଦୁଇପଇସା ରୋଜଗାର କରିପାରିଛନ୍ତି ।
ଇଟିଭି ଭାରତ, ବରଗଡ