ରାଇରଙ୍ଗପୁର: ଅଭିନବ ଉପାୟରେ ପ୍ରତିବାଦ । ରାଜପଥ ମଝିରେ ପତାକା ଉତ୍ତୋଳନ କଲେ ବାଙ୍ଗିରିପୋଷିର ବାସିନ୍ଦା । ଦୀର୍ଘ ୧୨ ଘଣ୍ଟା ଜାତୀୟ ରାଜପଥକୁ ବନ୍ଦ କରିଥିଲେ ଅଞ୍ଚଳବାସୀ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦେଶ ଏତେ ଆଗକୁ ବଢ଼ୁଥିବା ବେଳେ ଏପର୍ଯ୍ୟନ୍ତ ବିଜୁଳି ତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଅନେକ ଥର ଦାବି ଶୁଣେଇଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣିନଥିଲେ । ଫଳରେ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ତଳ ୪୯ ନଂ ଜାତୀୟ ରାଜପଥରେ କରାଗଲା ପତାକା ଉତ୍ତୋଳନ । ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡି ଗ୍ରାମ ପଞ୍ଚାୟତରେ ବିଦ୍ୟୁତର ସମସ୍ୟା ରହିଛି । ଦେଶ ଦୁନିଆ ଏତେ ଆଗକୁ ବଢ଼ିଥିଲେ ମଧ୍ୟ ଏବେ ବି ଅନ୍ଧାରରେ ଦିନ କାଟୁଛନ୍ତି ଚାକିଡି ଗ୍ରାମର ଲୋକ । ଗ୍ରାମବାସୀଙ୍କ ତରଫରୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ବାରମ୍ବାର ଦାବି କରାଯାଇଥିଲା । ହେଲେ ସେ ସବୁ ଅସୁବିଧା କେବଳ କାଗଜରେ ରହିଯାଇଛି । ସମସ୍ୟାର କିଛି ସମାଧାନ ନହେବାରୁ ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି ଗ୍ରାମବାସୀ ।
ଏହା ମଧ୍ୟ ପଢ଼ନ୍ତୁ... ତେଜିଲା ରାଉରକେଲାରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦାବି, ସରକାର ଅବହେଳା କରୁଥିବା ଅଭିଯୋଗ
ବାଙ୍ଗିରିପୋଷି ବ୍ଲକ ଠାରୁ ପ୍ରାୟ ୩୦କିମି ଦୂରରେ ଥିବା ଏହି ପଞ୍ଚାୟତଟି ସରକାରଙ୍କ ସାବତ ପୁଅ ଭଳି ମନେ ହେଉଛି । ବିଦ୍ୟୁତ ନାହିଁ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା । ବିଜୁଳି ନଥିବାରୁ ପିଲା ମାନଙ୍କ ପାଠ ପଢାରେ ବ୍ୟାଘାତ ଘଟୁଛି । ଏପରିକି ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣଧିନ ଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟରତ ହୋଇପାରି ନାହିଁ । ତେବେ ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ଥଙ୍କୁ ତାଙ୍କ ଗୁହାରୀ ଶୁଣାଇଥିଲେ । ହେଲେ ସମାଧାନର କୌଣସି ବାଟ ନବାହାରିବାରୁ ବାଙ୍ଗିରିପୋଷି ଛକ ଉପରେ ଶହ ଶହ ଲୋକ ଆସି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ରାଜପଥର ଉଭୟ ପଟେ ଶହ ଶହ ଟ୍ରକ, ବସ, ଛୋଟ ବଡ ଯାନ ଛିଡ଼ା ହୋଇଥିଲା । ପୋଲିସ ଓ ପ୍ରଶାସନ ଅଧିକାରୀ ମାନେ ବହୁତ ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନରୁ ଓହରିଥିଲେ ।
ଇଟିଭି ଭାରତ,ରାଇରଙ୍ଗପୁର