ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 17 ତାରିଖ (ମଙ୍ଗଳବାର) ଦିନ ଦିନିକିଆ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରି ଭୁବନେଶ୍ୱରର ଜନତା ମଇଦାନରେ ସୁଭଦ୍ରା ଯୋଜନା ସହ ଅନେକ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଗସ୍ତସୂଚୀ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ:
ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ଅନୁଯାୟୀ, ସେପ୍ଟେମ୍ବର 17 ତାରିଖ ମଙ୍ଗଳବାର ସକାଳ 11ଟା 35 ମିନିଟ ସମୟରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ 11ଟା 55 ମିନିଟ ସମୟରେ ଜନତା ମଇଦାନରେ ପହଞ୍ଚିବେ । 12ଟାରୁ ଜନତା ମଇଦାନରେ ସଭାରେ ଯୋଗ ଦେବେ । ସେଠାରେ ସୁଭଦ୍ରା ଯୋଜନା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ । ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 12ଟାରୁ 1ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଅପରାହ୍ନ 3ଟା 25 ମିନିଟରେ ନୂଆଦିଲ୍ଲୀ ଫେରିଯିବେ ।

ଏହା ମଧ୍ୟ ପଢ଼ନ୍ତୁ...Subhadra Portal: ଶୁଭାରମ୍ଭ ହେଲା ସୁଭଦ୍ରା ପୋର୍ଟାଲ, 17ରେ ମିଳିବ ପ୍ରଥମ କିସ୍ତି, ଏହି ଦିନଠୁ ଦାଖଲ କରିବେ ଫର୍ମ - Subhadra Yojana Portal Inauguration |
ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା:
ତେବେ ନିର୍ବାଚନ ମେନିଫେଷ୍ଟୋରେ ସୁଭଦ୍ରା ଯୋଜନା ନେଇ ଘୋଷଣା କରିଥିଲା ବିଜେପି । ରାଜ୍ୟରେ ବିଜେପି ସରକାର ଆସିବା ପରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । 5 ବର୍ଷ ମଧ୍ୟରେ ମହିଳାମାନଙ୍କୁ 50 ହଜାର ଟଙ୍କା ଦେବେ ସରକାର । 21ରୁ 60 ବର୍ଷର ମହିଳାମାନେ ଏହି ଯୋଜନାର ଲାଭ ପାାଇପାରିବେ । 5 ବର୍ଷ ମଧ୍ୟରେ ପ୍ରତି ବର୍ଷ 10 ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର ।
ଅଫିସିଆଲ ୱେବ ପୋର୍ଟାଲ:

ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଜାରି ରହିଛି । 17 ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପରେ ମଧ୍ୟ ଆବେଦନ ଜାରି ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜାଣିବା ପାଇଁ www.subhadra.odisha.gov.in ଅଫିସିଆଲ ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର