ରାଇରଙ୍ଗପୁର(ମୟୂରଭଞ୍ଜ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଆଜି ମୟୂରଭଞ୍ଜ ଗସ୍ତରେ ମହାମହିମ । ନିଜ ଜିଲ୍ଲରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଆଜି ପୁର୍ଣେଶ୍ବର ମହାଦେବ ମନ୍ଦିର ପରିଦର୍ଶନ କରିବେ ମହାମହିମ । ସେଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବେ । ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଲାଭ କରିବେ ମହାମହିମ । ସନ୍ଧ୍ୟା ଆଳତୀ ମଧ୍ୟ କରିବେ ।
ମନ୍ଦିରରେ ପୁରୁଣା ସ୍ମୃତି ତାଜା କରିବେ ରାଷ୍ଟ୍ରପତି:
ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ନିୟମିତ ପୁର୍ଣେଶ୍ବର ମହାଦେବ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି । ଭଗବାନଙ୍କ ନିକଟରେ ତାଙ୍କର ଅତୁଟ ବିଶ୍ବାସ ରହିଛି । ଯାହା ଫଳରେ ସେ ନିୟମିତ ମହାଦେବ ମନ୍ଦିର ଆସି ମନ୍ଦିରକୁ ସଫା ସୁତୁରା ରଖିବା ସହିତ ମନ୍ଦିର ସେବାରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ଆଜିବି ସେସବୁକୁ ଭୁଲି ନାହାନ୍ତି କିମ୍ବା ଠାକୁରଙ୍କ ସେବା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ।
ଆଜିର କାର୍ଯ୍ୟକ୍ରମ:
ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଦାମପାହାଡ ବ୍ଲକର ରଙ୍ଗାମାଟିଆରେ ଅବତରଣ କରିବେ ମହାମହିମ । ପୂର୍ବାହ୍ନ ୧୧.୦୫ ସମୟରେ ରଙ୍ଗାମାଟିଆ ଅସ୍ଥାୟୀ ହ୍ୟାଲିପେଡରେ ପହଞ୍ଚିବେ । ସେଠାରୁ ଉପରବେଡା ଗ୍ରାମରେ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଲା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ରାଇରଙ୍ଗପୁର ଆସିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪.୫୦ ସମୟରେ ରାଇରଙ୍ଗପୁର ସ୍ଥିତ ପୂର୍ଣେଶ୍ବର ମହାଦେବ ମନ୍ଦିର ଯିବେ ମହାମହିମ । ସେଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବେ । ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହାସ୍ଥିତ ନିଜ ବାସଭବନକୁ ଆସି ରାତ୍ରୀଭୋଜନ ଓ ରାତ୍ରୀଯାପନ କରିବେ ମହାମହିମ ।
- ପୂର୍ବାହ୍ନ ୧୧.୦୫ ରେ ରଙ୍ଗାମାଟିଆ ଅସ୍ଥାୟୀ ହ୍ୟାଲିପେଡରେ ପହଞ୍ଚିବେ ମହାମହିମ
- ଉପରବେଡା ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ
- ଅପରାହ୍ନ ୪.୫୦ ପୂର୍ଣେଶ୍ବର ମହାଦେବ ମନ୍ଦିର ଯିବେ ମହାମହିମ
- ସନ୍ଧ୍ୟାରେ ମହୁଲଡିହା ବାସଭବନକୁ ଯିବେ ରାଷ୍ଟ୍ରପତି
ଇଟିଭି ଭାରତ, ରାଇରଙ୍ଗପୁର