ଢେଙ୍କାନାଳ: କାମାକ୍ଷାନଗରରେ ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ ଗିରଫ । କାମାକ୍ଷାନଗର ଲୋକନାଥପୁର ଗ୍ରାମରେ ଘଟିଥିବା ଏହି ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ପ୍ରେମିକ ଜଣକ ହେଲା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୁର ଗ୍ରାମର ଶିବ ପ୍ରସାଦ ସେନାପତି । ଶନିବାର ଦିନ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ।
ସୂଚନା ମୁତାବକ, ଗତ ୭ ତାରିଖ (ଗୁରୁବାର) ଦିନ ଲୋକନାଥପୁର ଗାଁରେ ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ମୃତକ ହେଲେ ଗ୍ରାମର ସ୍ବର୍ଗତ ଶିବ ଖୁଣ୍ଟିଆଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଘଟଣା ଦିନ ତାଙ୍କ ମାଆ ବଡ଼ ଭଉଣୀ ଘରକୁ ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଯୁବତୀଙ୍କ ଘରକୁ ପ୍ରେମିକ ଶିବ ପ୍ରସାଦ ଆସିଥିଲେ । ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଶିବ ଏକ ଓଢଣୀରେ ପ୍ରେମିକାର ତଣ୍ଟିକୁ ଚିପି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ସେପଟେ ସିଡି ଘରର କବାଟ ଖୋଲାଥିବାରୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଘଟଣାରେ କାମାକ୍ଷାନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ପ୍ରେମିକ ଶିବ ପ୍ରସାଦକୁ ବଉଳପୁର ପାଟଣା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡ଼ିପିଓ ।
ଏହା ମଧ୍ୟ ପଢନ୍ତୁ...ବରକନ୍ଦାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ
ଘଟଣା ଦିନ ରାତିରେ ଘରେ କେବଳ ମାନସିକ ବିକାରଗ୍ରସ୍ତ ଭଉଣୀ ଓ ଲକ୍ଷ୍ମୀପ୍ରିୟା ଥିଲେ । ରାତିରେ ଖାଇ ପିଇ ଦୁଇ ଭଉଣୀ ଶୋଇଥିଲେ । ହେଲେ ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘର କବାଟ ନ ଫିଟିବାରୁ ପଡୋଶୀ ଝରକା ଖୋଲି ଦେଖିଥିଲେ । ଲକ୍ଷ୍ମୀପ୍ରିୟା ଘରେ ଶୋଇଥିବା ଅବସ୍ଥାରେ ଦେଖିଲେ ଏବଂ ବେକରେ ଦାଗ ଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଦେଖି ତାଙ୍କ ମାଆଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଇଟିଭି ଭାରତ, ଢେଙ୍କାନାଳ