ଅନୁଗୋଳ: ସବୁ ପ୍ରତିକ୍ଷାର ଅନ୍ତ ଘଟି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଭୁ ରାମଙ୍କ ପାଇଁ ରାମମୟ ହୋଇ ଉଠିଛି ସାରା ଦେଶ । ଅଯୋଧ୍ୟାରେ ଭବ୍ୟ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସବୁଠି ଦେଖିବାକୁ ମିଳିଛି ଉତ୍ସବ । ଚାରିଆଡ଼ ସତେ ଯେମିତି ରାମ ନାମ ଗୁଞ୍ଜରିତ ହେଉଛି । ଏହି ଐତିହାସିକ ମୁହୂର୍ତ୍ତକୁ କେବଳ ଅଯୋଧ୍ୟାବାସୀ ନୁହନ୍ତି, ବରଂ ସାରା ଦେଶରେ ରାମ ଶ୍ରଦ୍ଧାଳୁ ଚାତକ ଭଳି ଚାହିଁ ବସିଥିଲା ବେଳେ ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକସ୍ଥଳଗୁଡିକରେ ପୂଜାପାଠ ଆରମ୍ଭ କରିଛନ୍ତି । ଯାହାପାଇଁ ଅନୁଗୋଳ ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ ।
ସମଗ୍ର ଅନୁଗୋଳ ହୋଇଛି ରାମମୟ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅନୁଗୋଳ ସହରରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ଉତ୍ସବ । ଗାନ୍ଧିମାର୍ଗ ସରସ୍ବତୀ ବିଦ୍ୟା ମନ୍ଦିର ପକ୍ଷରୁ ଆୟୋଜିତ ହୋଇଥିଲା ଶୋଭାଯାତ୍ରା । ସ୍କୁଲରୁ ରାମ ନାମ ଧ୍ଵନି ଦେଇ ଛାତ୍ରଛାତ୍ରୀମାନେ ବାହାରି ଏହି ଶୋଭାଯାତ୍ରାରେ ଅନୁଗୋଳ ସହର ପରିକ୍ରମା କରିଥିଲେ । ରାମଙ୍କ ବେଶରେ ଛୋଟ ଛୋଟ ପିଲାମାନେ ସଜିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଶୋଭାଯାତ୍ରାରେ ଅନୁଗୋଳ ଇସ୍କନ ସୋସାଇଟିର ଭକ୍ତମାନେ ସାମିଲ ହୋଇ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା । ଏକ ସଜିତ ଗାଡ଼ିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବେଶଧାରୀଙ୍କୁ ବସାଇ ପରିକ୍ରମା କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.....ରାମଲାଲାଙ୍କ ଆଗମନକୁ ନେଇ ନିଆରା କଳାକୃତି, ସୁକ୍ଷ୍ମ କାରୁକାର୍ଯ୍ୟରେ ଫୁଟି ଉଠୁଛି ଉତ୍କଳୀୟ କଳାଭାସ୍କର୍ଯ୍ୟ
ତେବେ ସହର ବଜାର ଛକ ସମେତ ବିଭିନ୍ନ ସ୍ଥାନରେରେ ଏହି ଶୋଭାଯାତ୍ରାକୁ ଭବ୍ୟ ସ୍ବାଗତ କରାଯାଇଥିଲା । ଜୟ ଶ୍ରୀରାମ ଧ୍ବନୀରେ କମ୍ପି ଉଠିଥିଲା ସାରା ସହର । ଶୋଭାଯାତ୍ରା ସହର ପରିକ୍ରମାରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ଏକାଠି ହୋଇଥିଲେ । ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ଦେବାଳୟରେ ଦୀପ ଦାନ ସହ ଭଜନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ସେହିପରି ନାଲକୋରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ ହୋଇଥିଲା ଯଜ୍ଞ ଉତ୍ସବ । ଆଉ ଏଥିପାଇଁ ଶହ ଶହ ସଂଖ୍ୟକ ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏକ ନିର୍ଦ୍ଧାରିତ ପୋଖରୀରୁ କଳସୀ ଶୋଭାଯାତ୍ରାରେ ଜଳ ଆଣି ସ୍ଥାପନ ପରେ ଆରମ୍ଭ ହୋଇଥିଲା ଯଜ୍ଞ ଉତ୍ସବ । ରାମ ନାରେ ଭକ୍ତିମୟ ହୋଇ ଉଠିଥିଲା ସାରା ଅନୁଗୋଳ ।
ଇଟିଭି ଭାରତ, ଅନୁଗୋଳ