କେନ୍ଦ୍ରାପଡା: ଭିନ୍ନକ୍ଷମ ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ତେବେ ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସନ୍ୟାସପୁର ଗ୍ରାମର । ସୂଚନା ଅନୁଯାୟୀ, ଆଜି (ବୁଧବାର) ସକାଳୁ ସକାଳୁ ଗଛରେ ସନ୍ଦେହ ଜନକ ଭାବରେ ବୃଦ୍ଧଙ୍କ ମୃତଦେହ ଝୁଲିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ସନ୍ୟାସପୁର ଗ୍ରାମର କାର୍ତ୍ତିକ ଭୋଳ । ତେବେ ପୂର୍ବ ଆକ୍ରୋଶକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକ କାର୍ତ୍ତିକଙ୍କ ପରିବାର ଲୋକେ ।
ସନ୍ୟାସପୁର ଗ୍ରାମର ଝରି ପ୍ରଧାନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ କାର୍ତ୍ତିକଙ୍କ ପରିବାର ଲୋକେ । ସେପଟେ ସଦର ଥାନା ପୋଲିସର ପ୍ରାଥମିକ ତଦନ୍ତ ଶେଷ ହୋଇଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନା ଅନୁଯାୟୀ, କାର୍ତ୍ତିକଙ୍କ ଘର କାମ କରିବା ପାଇଁ ଜଣେ ଟାଇଲ ମିସ୍ତ୍ରୀ ଆସୁଥିଲେ । ହେଲେ ଗତ ବୁଧବାର ଦିନ ଝରି ପ୍ରଧାନଙ୍କ ଝିଅ କାହା ସହିତ ଚାଲିଯାଇଥିଲା । ତେବେ ଝରିଙ୍କ ଝିଅ ସେହି ଟାଇଲ ମିସ୍ତ୍ରୀ ସହ ଯାଇଥିବା ସନ୍ଦେହରେ ଝରିଙ୍କ ଘର ଲୋକ ଆସି କାର୍ତ୍ତିକଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହି ଘଟଣାରେ କାର୍ତ୍ତିକ ଓ ତାଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଗତକାଲି ଅପରାହ୍ନରେ ଅଭିଯୁକ୍ତ ମାନେ ଭିନ୍ନକ୍ଷମ କାର୍ତ୍ତିକଙ୍କୁ ମାଡ଼ ମାରିବା ପାଇଁ ଆସି ଲେଉଟି ଯାଇଥିବା ବେଳେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ.. ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ନିର୍ମମ ହତ୍ୟା - Election Violence
ପରେ ପୁନରାୟ ସନ୍ଧ୍ୟାରେ କାର୍ତ୍ତିକଙ୍କୁ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିବା ବେଳେ ଆଜି କାର୍ତ୍ତିକଙ୍କ ମୃତଦେହ ସନ୍ଦେହଜନକ ଭାବେ ଘର ପାଖରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ତେବେ ମୃତକ କାର୍ତ୍ତିକଙ୍କର ପାଦ ଭୂମିରେ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଏହା କୌଣସି ପ୍ରକାର ଆତ୍ମହତ୍ୟା ନୁହେଁ ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ । ପୂର୍ବ ପାଟିତୁଣ୍ଡ ଏବଂ ଧମକ କାରଣରୁ ପରିବାର ଲୋକେ ଝରି ପ୍ରଧାନଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଛନ୍ତି । ତେବେ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ପୋଲିସ ପହଞ୍ଚି ଥିଲେ। ଗଛରୁ ମୃତଦେହକୁ କାଢ଼ି ମୃତଦେହର ବ୍ୟବଚ୍ଛେଦ ପାଇଁ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ପଠାଇଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ସଦର ପୋଲିସ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା