କେନ୍ଦ୍ରାପଡ଼ା: କଟକ ଓ କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତ ବ୍ଲକ ଡେରାବିଶ୍ ଏବଂ ମାହାଙ୍ଗାର ଓଳକଣା ମେଳଣ ଏକ ଅନନ୍ୟ ଦୋଳମିଳନ ଭାବରେ ଜଣା । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ "ଓଳକଣା ମେଳଣ" କେତୋଟି ଦୃଷ୍ଟିକୋଣରୁ ବି ବେଶ ନିଆରା । ସାରା ଭାରତରେ ଏହା ଏକ କିମ୍ବଦନ୍ତୀ ଭରା ଗଣପର୍ବ ଭାବରେ ମଧ୍ୟ ସର୍ବଜନ ବିଦିତ ପାଇଛି । ପୁରାଣ ବର୍ଣ୍ଣିତ ଓଳକଣା ମେଳଣ ଶେଷ ହୋଇଥିବା ବେଳେ ବ୍ରାହ୍ମ ମୁହୂର୍ତ୍ତରେ ହରିହରଙ୍କ ଦର୍ଶନ କରି କୃତାର୍ଥ ହେଲେ ଭକ୍ତ ବିଦୂର ।
ମାନସିକ ପୁରଣ ପାଇଁ ଭକ୍ତଶ୍ରେଷ୍ଠ ବିଦୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଭକ୍ତ । କେନ୍ଦ୍ରାପଡା ଓ କଟକ ଜିଲ୍ଲାର ମଧ୍ୟବର୍ତ୍ତୀ ସ୍ଥାନରେ ନିଆରା ଭାବରେ ପାଳନ କରାଯାଇଥାଏ ଏହି ମେଳଣ । ସାରା ଭାରତରେ ଏହା ଏକ କିମ୍ବଦନ୍ତୀ ଭରା ଗଣପର୍ବ ଭାବରେ ମଧ୍ୟ ସର୍ବଜନ ବିଦିତ ପାଇଛି । ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଦୋଳୋତ୍ସବର ମୁଖ୍ୟ ଆଧାର ହୋଇଥିବା ବେଳେ ଅନ୍ୟପଟେ ଭଗବାନ ଶ୍ରୀକୃଷ୍ଣ ତଥା "ହରି" ଏବଂ ମହାଦେବ "ହର"ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ "ହରିହର" ମେଳଣ ମଧ୍ୟ କୁହାଯାଇଥାଏ । ସାରା ବିଶ୍ବରେ ଗୁପ୍ତକ୍ଷେତ୍ର ଓ ପ୍ରଭୁ ହରିହରଙ୍କ ମିଳନ ପାଇଁ ପ୍ରସିଦ୍ଧି ଲାଭ କରିଛି ଏହି ଓଳକଣା ମେଳଣ ।
ଏହା ବି ପଢନ୍ତୁ- ହରି-ହର ଭେଟର ଅନନ୍ୟ ପରମ୍ପରା ଓଳକଣା ମେଳଣ
ସ୍ୱାଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁର ବାଡ଼ିଗୁଡ଼ିକର ବିଭାନଙ୍କୁ ଫୁଲ, ପାନ ଦେଇ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାଖି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ଥିବା ବେଳେ "ଓଳକଣା ମେଳଣ" ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିଭାନଙ୍କୁ ଆମନ୍ତ୍ରଣ କରାଯାଇନଥାଏ କି ବିଦାଖି ମଧ୍ୟ ପ୍ରଦାନ କରାଯାଇ ନଥାଏ, କେବଳ ରାଜା ଘର ବିମାନ ରାଜନଗର ପକ୍ଷରୁ ମେଳଣରେ ଅଂଶଗ୍ରହଣ କରିଥିବା ବିମାନ ଗୁଡିକୁ ଫୁଲ ଚନ୍ଦନ ଦିଆ ଯାଇଥାଏ । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ିମାନେ ଆପଣାଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣୀ ଏବଂ ଆତସବାଜି ଭିଡ଼ରେ ମହା ଆଡ଼ମ୍ବରରେ ଆସୁଥିବା ବିଭାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା ।
ଏଠାରେ ଅନୁଷ୍ଠିତ ହେଉଥିବା ମେଳଣକୁ "ଦେବସଭା" ଭାବରେ ଅଭିହିତ କରାଯାଇଥାଏ । ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ଯାଇଥାଏ ନୂଆବସ୍ତ୍ର ଓ ଏଥିରେ ଦିଆଯାଇଥାଏ ନୈବେଦ୍ୟର(ଭୋଗ) । ଓଳକଣା ମେଳଣର ଉତ୍ପତ୍ତି "ହରି-ହର"ଦର୍ଶନ ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସିଥାନ୍ତି ସାଧୁସନ୍ଥ । ହିପରି ମହାପୁରୁଷ ଅରକ୍ଷିତ ଦାସ ଏଠାରୁ ସିଦ୍ଧି ପ୍ରାପ୍ତ କରିଥିବାରୁ ଏହାକୁ ଓଁକାର କ୍ଷେତ୍ର ବା ଅଣାକାର କ୍ଷେତ୍ର ବୋଲି କୁହାଯାଏ ।
ଏହା ବି ପଢନ୍ତୁ- ପ୍ରଭୁ ଲୋକନାଥଙ୍କ ପୀଠରେ ଦୀପ ଜାଳିଲେ ଭକ୍ତ, ଶିବରାତ୍ରୀରେ ହେବ ହରିହର ଭେଟ
ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନ ଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗା ଭଦ୍ରେଶ୍ବରରୁ ଆସୁଥିବା ଏକମାତ୍ର ବୀର ଭଦ୍ରେଶ୍ବରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀଶ୍ରୀବୀର ଭଦ୍ରେଶ୍ବରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି । ମାହାଙ୍ଗାର ଭଦ୍ରେଶ୍ବର ଗ୍ରାମରୁ ଆସୁଥିବା ଶ୍ରୀବୀର ଭଦ୍ରେଶ୍ବର ବିଭାନ ଓଳକଣା ମେଳଣର ଅନ୍ୟତମ ଆକର୍ଷଣ କାରଣ ସେ ହେଉଛନ୍ତି ମେଳଣ ପଡ଼ିଆର ଅଧିପତି। ଦ୍ରେଶ୍ବର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ । ମେଳଣକୁ ଆସିବା ଦିନ ଭଦ୍ରେଶ୍ବର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ବିଭିନ୍ନ ଗାଁରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ ।
ମହାଭାରତ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ଅଜ୍ଞାତ ବାସ ଶେଷ କରି ପାଣ୍ଡବ ପାଞ୍ଚ ଭାଇ ଫେରିଥିଲେ ସେମାନଙ୍କୁ ପାଞ୍ଚୋଟି "ପଡ଼ା" ପ୍ରଦାନ କରିବା ନିମନ୍ତେ ଅନୁରୋଧ ନେଇ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇଥିଲେ । କିନ୍ତୁ କୁରୁ ସଭାରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଭତ୍ସନା କରିବା ସହିତ ବିନା ଯୁଦ୍ଧରେ ଛୁଞ୍ଚିମୁନରେ ଭୂମି ଦେବେ ନାହିଁ ବୋଲି କହିଥିଲେ । ଅପମାନିତ ହୋଇ କୁରୁସଭାରୁ ଫେରିବା ବାଟରେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିବାରୁ ସେ ହସ୍ତୀନାପୁରର ପ୍ରଧାନମନ୍ତ୍ରୀ ତଥା ଭକ୍ତ ବିଦୂରଙ୍କ ନିକଟରେ ପହଞ୍ଚିଥିଲେ।ବିଦୂର ଶାଗଭଜା ଦେଇ ଶ୍ରୀକୃଷ୍ଣଙ୍କୁ ଆପ୍ୟାୟିତ କରିବା ପରେ ଶ୍ରୀକୃଷ୍ଣ ବିଦୁରଙ୍କୁ ବର ମାଗିବାକୁ କହିବାରୁ ବିଦୁର ଏକାସଙ୍ଗେ ହରି ଓ ହରଙ୍କର ଭେଟ ଦେଖିବା ବର ମାଗିଥିଲେ। ବିଦୂରଙ୍କର ଭକ୍ତିରେ ସେହି ଦିନଠାରୁ ଏହି ଓଳକଣା ପଡ଼ିଆରେ ହରି ଓ ହରଙ୍କର ଭେଟ ଦେଖନ୍ତି ଶ୍ରଦ୍ଧାଳୁ।
ଆହୁରିମଧ୍ୟ ଏହିଦିନ ମେଳଣ ପଡିଆ ମଧ୍ୟରେ ଥିବା ଅଣାକାରଙ୍କ ନିକଟରେ ସ୍ବର୍ଗର ତେତିଶ କୋଟି ଦେବତା ଓହ୍ଲାଇ ଆସନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଥିବା କୁହନ୍ତି ଶ୍ରଦ୍ଧାଳୁ।ସେହିପରି ପୂର୍ବ ଦିଗରୁ ଆସୁଥିବା ଡେରାବିଶର ଲକ୍ଷ୍ମୀ ବିଭାନର ବିଶେଷତ୍ୱ ଅନୁଯାୟୀ ଏହି ବିଭାନ ନିକଟରେ ବସିଥିବା କଳସର ତଳେ ଥିବା ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ।ତେଣୁ ବିଭାନ ଉଠିବା ପରେ ଏହି ଧାନ ଗୁଡିକୁ ଭକ୍ତମାନଙ୍କୁ ଫିଙ୍ଗା ଯାଇଥାଏ । ଏହି ଧାନକୁ ନେବାପାଇଁ ଭକ୍ତଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥାଏ। ଭୂମିରେ ପଡିଥିବା ଧାନକୁ ଭକ୍ତମାନେ ଖୁଣ୍ଟିଖୁଣ୍ଟି ନେଇଥାନ୍ତି ।
ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ ପୋଲିସ ଓ କଟକର ଭଦ୍ରେଶ୍ବର ପୋଲିସ ପକ୍ଷରୁ ୨ ପ୍ଲାଟୁନ ପୋଲିସ ଫୋର୍ସ, ୨ ସେକ୍ସନ ଲେଡିଜ ପୋଲିସ ସହ ୨ଜଣ ଆଇଆଇସିଙ୍କ ସମେତ ୬ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ । ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ଅନୁଷ୍ଠିତ ହେଉଥିବା ଏହି ହରିହର ଭେଟକୁ ଦେଖିବା ପାଇଁ ଦେବଲୋକ ଅନାଇ ବସିଥିବା ବେଳେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ଲୀଳା ପାଇଁ ସଭିଏଁ ଏହି ଓଳକଣା ପଡିଆକୁ ଟାଣି ହୋଇ ଆସିଥାନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା