କୋରାପୁଟ: ମୋଦି ଲହରରେ ଜିଲ୍ଲାର କୋରାପୁଟ ଓ କୋଟପାଡରେ ଫୁଟିଛି ପଦ୍ମ । ଆଉ ଜୟପୁର ଗଡ଼ ବଞ୍ଚାଇବାରେ କଂଗ୍ରେସ ସକ୍ଷମ ହୋଇଥିବାବେଳେ ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ବିଜେଡି ଠାରୁ ଆସନ ଛଡାଇ ନେଇଛି କଂଗ୍ରେସ । ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କୋରାପୁଟ ଜିଲ୍ଲାର ସ୍ଥିତି ସଂପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଭୋଟ ଗଣତିର ଆରମ୍ଭରେ ସବୁ ଆସନରେ ବିଜେଡି ଆଗୁଆ ରହିଥିବାବେଳେ ଗଣତି ଶେଷ ବେଳକୁ ଖେଳ ପୁରା ଓଲଟା ଦେଖିବାକୁ ମିଳିଥିଲା । ଜିଲ୍ଲାର ୫ଟି ବିଧାନସଭା ଆସନରୁ ୩ଟିରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଦୁଇଟି ଆସନକୁ ଏକ ତରଫା ଭାବେ ନେଇଛି ବିଜେପି । ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ, 5T ଅଧ୍ୟକ୍ଷ ଓ ଗଣ୍ଡାଗଣ୍ଡା ଷ୍ଟାର ପ୍ରଚାରକ ଆସିବା ସତ୍ତ୍ବେ ଗୋଟିଏ ବି ଆସନକୁ ଦଖଲକୁ ନେଇପାରିନି ବିଜେଡି ।
ପୂର୍ବତନ ବିଧାୟକ ପ୍ରିତମ ପାଢୀ ଓ ପଦ୍ମୀନି ଦିଆନ୍ଙ୍କ ଟିକଟ କାଟିବା ପଟାଙ୍ଗୀ ଓ କୋଟପାଡରେ ବିଜେଡି ପାଇଁ ମହଙ୍ଗା ହୋଇଥିବା ବେଳେ ରଘୁରାମ ମାଛଙ୍କୁ ଦଳରୁ ବାହାର କରିବା କୋରାପୁଟ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଖାତା ଖୋଲିଛି ବିଜେପି । ସହରୀ ଭୋଟ ବିଜେପିର ପ୍ରାର୍ଥୀ ରଘୁରାମ ମାଛଙ୍କୁ ପାଇଁ ବେଶ ସହାୟକ ହେବା ସହ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏଠାରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ୨୩୩୮ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୬,୩୫୫ ଖଣ୍ଡ ଭୋଟ ମିଳିଥିଲାବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀଙ୍କୁ ୪୪,୦୧୭ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୂଳଦୀପ ୪୨୦୨୪ ଭୋଟ ପାଇଛନ୍ତି । ଆପ୍ର ପ୍ରାର୍ଥୀ କର୍ପୁର ହନ୍ତାଳ ୨୪୪୨ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଭାଗିରଥୀ ପାଟନିଆ ୧୧୩୧ ଖଣ୍ଡ ଭୋଟ ନେଇଛନ୍ତି । ନୋଟାରେ ୩୨୫୧ ଖଣ୍ଡ ଭୋଟ ପଡିଥିଲାବେଳେ ଅନ୍ୟ ବିଧାୟକ ପ୍ରାର୍ଥୀମାନେ ପ୍ରଭାବୀ ପ୍ରଦର୍ଶନ କରି ପାରିନାହାନ୍ତି ।
ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ:ସପ୍ତଗିରି ଉଲାକା - Lok Sabha Election 2024
ଲକ୍ଷ୍ମୀପୁର ଆସନକୁ ଏଥର ବିଜେଡି ହାତରୁ ଛଡାଇ ନେଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁନ୍ତା ୨୦ ହଜାର୯୨୨ଖଣ୍ଡ ଭୋଟରେ ଏଠାରେ ବିଜୟୀ ହୋଇଛନ୍ତି । ତାଙ୍କୁ ୫୮,୭୪୧ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେପି ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୨୩,୩୧୫ ଖଣ୍ଡ ଭୋଟ ମିଳିଛି । ବିଜେଡିରର ପ୍ରଭୁ ଜାନୀ ୩୭,୮୧୯ ଖଣ୍ଡ ଭୋଟ ପାଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ରବି ହିକକାଙ୍କୁ ୩୩୦୫ ଖଣ୍ଡ ଭୋଟ ମିଳିଛି । ପଟାଙ୍ଗୀ ବିଧାନସଭା ଆସନ ଦୀର୍ଘ ଦିନ ପରେ କଂଗ୍ରେସ ଦଖଲକୁ ଆସିଛି । ରାମଚନ୍ଦ୍ର କାଡାମଙ୍କୁ ୫୨,୦୨୪ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ ପାଙ୍ଗୀଙ୍କୁ ମିଳିଛି ୫୦,୧୧୭ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ନନ୍ଦବାଲି ଚୈତନ୍ୟ ୩୫,୨୪୭ ଭୋଟ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଅମ୍ବିକା ପାଙ୍ଗୀ ୧୭୪୪ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି । ନୋଟାରେ ୬୪୧୯ ଖଣ୍ଡ ଭୋଟ ପଡିଛି ।
କୋଟପାଡରେ ମଧ୍ୟ ଏଥର ଏକ ତରଫା ବିଜୟ ହାସଲ କରିଛି ବିଜେପି । ୨୦୧୯ରେ କଂଗ୍ରେସ ଗଡକୁ ହଟାଇ ଏହିଠାରେ ବିଜେଡି ଗଡ ନିର୍ମାଣ କରୁଥିବାବେଳେ ଏଥର ଏହା ବିଜେପି ଖାତାକୁ ଯାଇଛି । ଏଠାରେ ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ୨୫ହଜାର ୮୩୭ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡିର ଚନ୍ଦ୍ରଶେଖର ମାଝି ୨୫ହଜାର ୮୩୭ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସ ଅନାମୁ ଦିଆନ୍ ୪୪ ହଜାର ୬୭୩ ଖଣ୍ଡ ଭୋଟ ପାଇଛନ୍ତି । ନୋଟାକୁ ଯାଇଛି ୩୨୯୪ ଭୋଟ । ସେହିପରି ଗତ ନିର୍ବାଚନରେ ଓଡିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଚଳିତ ନିର୍ବାଚନରେ ମଧ୍ୟ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ଭାବେ 147744 ଭୋଟ ବ୍ୟବଧାନରେ ବିପୁଳ ବିଜୟର ସହ ନିଜ ସ୍ଥିତିକୁ ବଜାୟ ରଖିଛନ୍ତି । କୋରାପୁଟ ଜିଲ୍ଲାରେ ନୂତନ ଭାବେ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସହାୟତାରେ କୋରାପୁଟ ନାଗରିକଙ୍କ ପାଞ୍ଚବର୍ଷୀୟ ବିକାଶ ଯୋଜନା ପ୍ରସ୍ତୁତ କରାଯାଉଥିବା କୋରାପୁଟ ଜିଲ୍ଲା ନାଗରିକ ମଞ୍ଚର ଆବାହକ ଶରତ ପଟ୍ଟନାୟକ ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ