ଭୁବନେଶ୍ୱର: ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ୨୮ଟି ଆବେଦନ ଗ୍ରହଣ କରିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଛନ୍ତି ଯେ, ନୂଆ ଜିଲ୍ଲା ଗଠନ ପାଇଁ ଦାବି ବଢ଼ିବାରେ ଲାଗିଛି । ୨୮ଟି ନୂଆ ଜିଲ୍ଲା ଗଠନ ଦାବି ସରକାରଙ୍କ ନିକଟରେ ହସ୍ତଗତ ହୋଇଛି । ସେଗୁଡିକ ହେଲା- ବ୍ରହ୍ମପୁର, ଭଞ୍ଜନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ୱର, ପଦ୍ମପୁର, ଧର୍ମଗଡ଼, ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡ଼ା ଗଡ଼ଜାତ, ଭୁବନେଶ୍ୱର, ଘୁମୁସର, ଋଷିକୁଲ୍ୟା, ନିମାପଡ଼ା ଓ ଗୁଣୁପୁର ।
ତେବେ ଓଡ଼ିଶାରେ ନୂଆ ଜିଲ୍ଲା ଗଠନ ପାଇଁ ଉପଯୁକ୍ତ ସମୟରେ ଏବଂ ପ୍ରଚଳିତ ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ସୁନ୍ଦରଗଡ଼ରୁ ରାଉରକେଲା ଜିଲ୍ଲା ଗଠନ ବିରୋଧରେ ସରକାରଙ୍କ ନିକଟରେ ପିଟିସନ୍ ଆସିଥିବା ସେ ସୂଚନା ଦେଇଛନ୍ତି । ତେବେ ଗତ ବର୍ଷ ଡିସେମ୍ବର ମାସରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ ଉପରେ ରୋକ ଲଗାଇବା ପରେ ମନ୍ତ୍ରୀଙ୍କ ଏହି ବୟାନ ଆସିଛି । ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରି ନୂତନ ଜିଲ୍ଲା ଗଠନ ପାଇଁ ସରକାରଙ୍କ ପଦକ୍ଷେପକୁ ଚ୍ୟାଲେଞ୍ଜ କରିଥିବା ଜଣେ ଓକିଲଙ୍କ ରିଟ୍ ପିଟିସନର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଚାଲିପାରିଲାନି ପ୍ରଶ୍ନକାଳ; ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ
ନୂଆ ଜିଲ୍ଲା ଗଠନ ଦ୍ୱାରା ରାଜ୍ୟ ଓ ଜନସାଧାରଣଙ୍କ ପ୍ରଶାସନିକ, ଆର୍ଥିକ ଓ ଆଇନଗତ ଦିଗ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ବୋଲି କୋର୍ଟ କହିଛନ୍ତି । ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ ପଛରେ ଥିବା ମାନଦଣ୍ଡ, ପଦ୍ଧତି ଓ ଯୁକ୍ତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ କହିଥିଲେ । ସରକାରଙ୍କ ଠାରୁ ରିପୋର୍ଟ ପାଇବା ପରେ ଏବଂ ସମସ୍ତ ଅଂଶୀଦାରଙ୍କ ମତାମତ ଶୁଣିବା ପରେ ମାମଲାର ଯାଞ୍ଚ କରାଯିବ ବୋଲି କୋର୍ଟ କହିଛନ୍ତି । ଏହି ମାମଲାରେ ସହଯୋଗ କରିବା ପାଇଁ କୋର୍ଟ ଜଣେ ବରିଷ୍ଠ ଓକିଲଙ୍କୁ ଆମିକସକ୍ୟୁରି ଭାବେ ନିଯୁକ୍ତ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର