ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଓଡ଼ିଶାର ରାଜ୍ୟପାଳ । ତେବେ ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରଙ୍କ ବିକାଶମୂଳକ ଯୋଜନା ବୁଲି ଦେଖିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟପାଳଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆସିଛନ୍ତି । ରାଜ୍ୟପାଳ ୯ଟା ୩୦ ମିନିଟରେ ବୌଦ୍ଧ ସର୍କିଟ ହାଉସଠାରେ ପହଞ୍ଚିବା ପରେ ବଢିଗାଁ ପଞ୍ଚାୟତ ଇଛାପୁର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ଇଚ୍ଛାପୁର ଅଙ୍ଗନବାଡ଼ି କେନ୍ଦ୍ରରେ କୁନି କୁନି ପିଲାମାନଙ୍କ ପୋଷଣ କାର୍ଯ୍ୟକ୍ରମକୁ ରାଜ୍ୟପାଳ ବୁଲି ଦେଖିବା ସହିତ ଅବିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳ ବୌଦ୍ଧ ବ୍ଲକ ବାଉଶୁଣୀ ଠାରେ ପହଞ୍ଚି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ପରେ ସାରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ରାଜ୍ୟପାଳ ବାଉଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ମହିଳା ଗ୍ରୁପ ସଦସ୍ୟଙ୍କ ସହ ଆଲୋଚନା କରିବା ସହିତ ସ୍ଥାନୀୟ ବାନ୍ଧକଳାର ଖୁବ ପ୍ରଶଂସା କରିଥିଲେ । ଏହାଛଡା ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃ ମଙ୍ଗଳ ଯୋଜନା କାହିଁକି କାର୍ଯ୍ୟକାରୀ ହେଉ ନାହିଁ ସେନେଇ ଶିଶୁ ଓ ମହିଳା ବିକାଶର ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ । ରାଜ୍ୟପାଳ ରଘୁବର ଦାସ ଅଙ୍ଗନବାଡ଼ି କେନ୍ଦ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରଧାନମନ୍ତ୍ରୀ ଆବାସ ଗୃହ ଆଦି ବୁଲି ଦେଖିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ
ଗତକାଲି ରାଜ୍ୟପାଳ ଦିନିକିଆ କନ୍ଧମାଳ ଗସ୍ତ କରିଥିଲେ । ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ମିଶନ ଶକ୍ତି କାଫେ, ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ । ଏଥିସହ ସେଠାରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ପାଇବା ଦରକାର ବୋଲି ରାଜ୍ୟପାଳ କହିଥିବା ବେଳେ ଆକାଂକ୍ଷୀ ଜିଲ୍ଲା ପ୍ରତି ଅଧିକ ଦୃଷ୍ଟି ଦେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ଇଟିଭି ଭାରତ, ବୌଦ୍ଧ