କଟକ: ରାଜ୍ୟରେ ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ଲୋକସଭା ଓ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ନେଇ ବସିଲା ରାଜ୍ୟ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ କଟକ ସ୍ଥିତ ଡିଜି କାର୍ଯ୍ୟଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି ।
ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡିକରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସୀମା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସହିତ ଲାଗି ରହିଛି । ଉପରୋକ୍ତ ସୀମାନ୍ତ ଜିଲ୍ଲାଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସମ୍ବେଦନଶୀଳ ସ୍ଥାନଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ଧାର୍ଯ୍ୟ ହୋଇଥିବା ନିର୍ବାଚନ ତାରିଖର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ କଡାକଡ଼ି ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଡିଜି । ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ଆଲୋଚନା କରାଯାଇଛି ।
ଏହା ବ୍ୟତୀତ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ଯୋଜନା, ସମ୍ବେଦନଶୀଳ ସ୍ଥାନ ଓ ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଗୁଇନ୍ଦା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଟକ