କେନ୍ଦ୍ରାପଡା: ହଟିବ ଶିଳ୍ପ ବିହୀନ ଜିଲ୍ଲାର ଟ୍ୟାଗ ! କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାପନ ହେବ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟ । ପୂର୍ବ ସରକାର କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ବୀଜ ବୁଣିଥିବା ବେଳେ ବର୍ତ୍ତମାନ ସରକାର ଏନେଇ ଆଗକୁ ପଦକ୍ଷେପ ନେଇଛନ୍ତି ।
ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି:
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳରେ ଜମିବାଡ଼ି ଖର୍ଦ୍ଦି ବିକ୍ରି ଉପରେ ରୋକ ଲଗାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରୋକ ଲଗାଯାଇଛି । ମହାକାଳପଡ଼ା ବତୀଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରାଯାଇଛି । ପୂର୍ବ ବିଜେଡି ସରକାର ସମୟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପକ୍ଷରୁ ଉଚ୍ଚ ସ୍ଥରୀୟ ପ୍ରତିନିଧି ପ୍ରସ୍ଥାବିତ ଅଞ୍ଚଳ ବୁଲି ଦେଖିଥିଲେ ।
ଉତ୍ସାହିତ ଯୁବପିଢି:
ଏହାସହିତ ରାମନଗର, ଲଖରିନାସୀ ଏବଂ ବତୀଘର ଅଞ୍ଚଳରେ ତିନୋଟି ଜନଶୁଣାଣୀ ମଧ୍ୟ କରାଯାଇଥିଲା । ଜମିଜମା ସମ୍ପର୍କିତ ସମସ୍ତ ଆପତ୍ତି ଅଭିଯୋଗ ନେଇ ଜମି ମାଲିକମାନେ ସରକାରୀ ଅଧିକାରୀମାନଙ୍କ ନିକଟରେ ଦାବି କରିଥିଲେ । ତେବେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ଅଧିସୂଚନା ଜାରି କରାଯାଇଛି ।ବିଭାଗର ପତ୍ର ସଂଖ୍ୟା ୪୨୩୪୬ ଅନୁଯାୟୀ ବଡଟୁବି ମୌଜାରେ ରହିଥିବା ୩୮୩ ଏକର ୮୪୪ ଡ଼ିସିମିଲ ଭୂମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ଜମିରେ ଯେ କୌଣସି ବ୍ୟକ୍ତିଙ୍କର ମାଲିକାନା ସତ୍ତ୍ବ ନେଇ ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ଜମି ମାଲିକମାନେ ୬୦ ଦିନ ମଧ୍ୟରେ ପ୍ରଶାସନ ନିକଟରେ ଆବେଦନ କରିପାରିବେ ବୋଲି ପତ୍ରରେ କୁହାଯାଇଛି । ସାନଟୁବି ମୌଜାରେ ଉପରୋକ୍ତ ତଫସିଲ ସୂଚୀତ ଜମିକୁ ମାଲିକମାନେ ବିକ୍ରି, ଖର୍ଦ୍ଦି କିମ୍ବା ଦେଣ ନେଣ କରିପାରିବେ ନାହିଁ ବୋଲି କଡାକଡି ଭାବେ ନିର୍ଦ୍ଦେଶ ଜାରି କରାଯାଇଛି । ସାନଟୁବି ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ନୋଟିସ ଲାଗିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସହିତ ମହାକାଳପଡା ବ୍ଲକ ଅଞ୍ଚଳର ଯୁବକ ମାନଙ୍କ ମଧ୍ଯରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ବାସିନ୍ଦା ଅଭିଜିତ ଗୌତମ କହିଛନ୍ତି, "ଆମେ ଷ୍ଟିଲ ପ୍ଲାଣ୍ଟ ହେବା ନେଇ ଆଗରୁ ଶୁଣିଥିଲୁ । କିନ୍ତୁ ଜମି ଅଧିଗ୍ରହଣ ପାଇଁ ନୋଟିଫିକେସ ହେବା ପରେ ଏହା ଶୁଣି ଆମେ ବହୁତ ଉତ୍ସାହିତ ଅଛୁ । ବିଶେଷକରି ସ୍ଥାନୀୟ ଯୁବପୀଢୀମାନେ ସେମାନେ ନିଯୁକ୍ତି ପାଇବେ ସେମାନେ ନିଜର ବ୍ୟବସାୟ କରିପାରିବେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ, ନିଜ ଅଞ୍ଚଳରେ ବିକାଶ କରିପାରିବେ ଯେଉଁଥିପାଇଁ ଯୁବପିଢି ବେଶ ଉତ୍ସାହିତ ଅଛନ୍ତି ।"
ଇଟିଭି ଭାରତ,କେନ୍ଦ୍ରାପଡା