ବ୍ରହ୍ମପୁର: ଚାକିରି ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ସଦର ମହକୁମ୍ମା ଏବଂ ବ୍ଲକ ସ୍ତର ଯାଏଁ ଲମ୍ବିଛି ଏହି ଠକେଇର ଚେର । ଏହି ମାମଲାରେ ଠକ ଗ୍ୟାଙ୍ଗର ମୁଖ୍ୟ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ମିଥ୍ୟା ନିଯୁକ୍ତିପତ୍ର, ରାଜ୍ୟ ସରକାରଙ୍କ ସିଲ୍ ସମେତ ଅନେକ କାଗଜପତ୍ର ଜବତ କରିବାରେ ସକ୍ଷମ ହୋଇଛି ପୋଲିସ ।
କ'ଣ ରହିଥିଲା ଘଟଣା ?
ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁ ନାମକ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ଗତ ୨୦୨୩ ମସିହାରୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ପ୍ରାୟ ୨୭ ଲକ୍ଷ ୫୦ ହଜାର ଟଙ୍କା ନେଇ ଯାଇଥିବା ସେ ଲିଖିତ ଭାବେ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାର ଆସିକା ଥାନା କାଳଷଣ୍ଢପୁର ଅଞ୍ଚଳର ବ୍ୟକ୍ତି ହୃଦାନନ୍ଦ ମୁନି ଏବଂ ତାଙ୍କର ସହଯୋଗୀ ଜଗଦୀଶ ବେହେରା, ସୁନିଲ କୁମାର ମିଶ୍ର ଏବଂ ସନ୍ତୋଷ ନାୟକଙ୍କ ନାଁରେ ହୋଇଥିଲା ଅଭିଯୋଗ । ଘଟଣାକୁ ନେଇ ପୋଲିସ ଗୁରୁତର ସହ ନେଇ ମିଥ୍ୟା ସରକାରୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଥିବା ବିଷୟକୁ ନେଇ ଖୋଳତାଡ କରିବା ପରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଏଥିରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
ସରକାରୀ କୋଠାରେ ଠକେଇ କାର୍ଯ୍ୟ:
ରାଜ୍ୟର ରାଜଧାନୀର ମୁଖ୍ୟ ସରକାରୀ କୋଠାରେ ପହଞ୍ଚି କରୁଥିଲେ ଏହି ଗ୍ୟାଙ୍ଗ୍ କରି ଆସୁଥିଲା ଏପରି ଠକେଇ କାର୍ଯ୍ୟ । ଅଭିଯୋଗକାରୀ ଜଣଙ୍କ ହୃଦାନନ୍ଦ ମୁନିକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀଙ୍କୁ ରାଜଧାନୀ ଭୁବନେଶ୍ୱରର ନିର୍ମାଣ ସୌଧ କୋଠାକୁ ନେଇ ଏହି ଗ୍ୟାଙ୍ଗର ମୁଖ୍ୟ ଜଗଦୀଶ ବେହେରାଙ୍କୁ ସାକ୍ଷାତ କରାଇବା ସହିତ ସେଠାରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ କହି ଯୋଗାଯୋଗ କରାଇଥିଲେ । ଏହାପରେ ବିଶ୍ୱାସ ଜନ୍ମାଇବା ପାଇଁ ନିଯୁକ୍ତି ପତ୍ର ସରକାରୀ ମେଲରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ପହଞ୍ଚିବାର ପ୍ରତିଶ୍ରୁତି ଦେଇଥାନ୍ତି । ଏପରିକି ଅଭିଯୁକ୍ତମାନେ ନିଯୁକ୍ତିପତ୍ର ମଧ୍ୟ ଡାକ ଯୋଗେ ପହଞ୍ଚାଉଥିଲେ । ଉଭୟ ଅନଲାଇନ ଏବଂ ଅଫଲାଇନ ଯୋଗେ ବିଭିନ୍ନ ତାରିଖରେ ଟଙ୍କା ପ୍ରଦାନ କରୁଥିଲେ ଚାକିରି ଆଶାୟୀ ।
ଏହା ବି ପଢନ୍ତୁ... ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭
ଏମିତି ଠକୁଥିଲେ ଗ୍ୟାଙ୍ଗ:
ଭୁବନେଶ୍ବର ଡକାଇ ଅଭିଯୋଗକାରୀଙ୍କ ଠାରୁ ଉଭୟ ଫିଜିକାଲ ଏବଂ ବାୟୋମେଟ୍ରିକ ଯାଞ୍ଚ କରିବା, ରାଜ୍ୟ ସରକାରଙ୍କ ନଅତାଲା କୋଠାକୁ ଡାକି ସେଠାରେ ଶିଶିର କୁମାର ମିଶ୍ର ନାମକ ବ୍ୟକ୍ତି ସଚ୍ଚିବାଳୟ ବାହାରକୁ ଆସି ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରିବା, ନଅ ତାଲା କୋଠାର ପ୍ରଥମ ଓ ଦ୍ୱିତୀୟ ମହଲାରେ ପହଞ୍ଚି କ୍ୟାମରା ସମ୍ମୁଖରେ ବ୍ୟକ୍ତିଗତ ଭାବରେ ଯାଞ୍ଚ କରାଯିବା ସହିତ ଆଗାମୀ ଏକ ସପ୍ତାହ ମଧ୍ୟରେ ସରକାରୀ ନିଯୁକ୍ତିରେ ଯୋଗ ଦେବାର ପ୍ରତିଶ୍ରୁତି ଦେଉଥିଲେ ଏହି ଗ୍ୟାଙ୍ଗ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣା ବିବେକ ଏମ । ଏପରିକି ସଚିବାଳୟଠାରୁ ଆରମ୍ଭ କରି ଓଡିଶାର ଉଚ୍ଚ ନ୍ୟାୟଳୟ ଭଳି ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ଶିକ୍ଷିତ ଯୁବକ/ଯୁବତୀଙ୍କୁ ବିଶ୍ୱାସ ଜନ୍ମାଉଥିଲେ ଏହି ଠକ ଗ୍ୟାଙ୍ଗ୍ । ନିଯୁକ୍ତିପତ୍ର ପ୍ରଦାନ କରିବା ପରେ ନିଯୁକ୍ତି ତାରିଖ କୁହାଯାଇଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ଯାଇ ଯୋଗ ଦେବା ତାରିଖ ଦିନ ସେମାନେ ଆଉ ଧରାଛୁଆଁ ନଦେବା ଏବଂ ସେମାନଙ୍କ ମୋବାଇଲକୁ ସୁଇଚ୍ ଅଫ୍ କରି ରଖୁଥିଲେ ବୋଲି କହିଛନ୍ତି । ଆଉ ପରବର୍ତ୍ତୀ ସମୟରେ ପୁଣି ଏକ ତାରିଖ ସ୍ଥିର ହେବା ନେଇ ପ୍ରତିଶ୍ରୁତି ଦେବା ସହ ସେହି କଥାକୁ କେହି ଅମାନ୍ୟ କରି ଦେଇଥିବା ଟଙ୍କା ଫେରାଇବାକୁ କହିଲେ ବିଭିନ୍ନ ପ୍ରକାର ଧମକଚମକ ଦେଇ ଆସୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, 6 ଅଭିଯୁକ୍ତ ଗିରଫ
ଅଭିଯୁକ୍ତମାନଙ୍କ ବିଷୟରେ:
ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମେତ ୯ ଜଣ ଗିରଫ ହୋଇଛନ୍ତି । ଏହି ଗ୍ୟାଙ୍ଗରେ ମାଷ୍ଟରମାଇଣ୍ଡ ଭାବରେ ଗୋପାଳପୁରର ଜଗଦୀଶ ବେହେରା ରହିଥିଲା । ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁରର ଜଗଦୀଶ କୁମାର ବେହେରା(୩୯),ଆସିକା କାଳଷଣ୍ଢପୁର ଅଞ୍ଚଳର ହୃଦାନନ୍ଦ ମୁନି(୫୬) , ଜଗତସିଂହପୁର ତିତୋଳ ଅଞ୍ଚଳର ଶିଶିର କୁମାର ମିଶ୍ର(୫୪) , ଆସିକା ନଳଗଣ୍ଠା ଅଞ୍ଚଳର ସୂର୍ଯ୍ୟକାନ୍ତ ବେହେରା(୪୨), ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅଞ୍ଚଳର ସୁନିଲ ବେହେରା(୩୦ ) ଓ ପ୍ରକାଶ ସେଠୀ(୩୬) ଏବଂ ଚୌୱାନ୍ ଜେନା(୨୬), ବାଲେଶ୍ୱର ଜିଲ୍ଲା କଣ୍ଟାପଡା ଅଞ୍ଚଳର ସୁମନ୍ତ ପାତ୍ର, ନୟାଗଡ ଅଞ୍ଚଳର ସନ୍ତୋଷ ନାୟକ(୨୪) ବୋଲି କୁହାଯାଇଛି । ସେମାନଙ୍କଠାରୁ ଏକ କାର , ବହୁ ପରିମାଣର ମୋବାଇଲ ଫୋନ , ମିଥ୍ୟା ନିଯୁକ୍ତି ପ୍ରମାଣପତ୍ର ସହିତ ଓଡିଶା ସରକାରଙ୍କ ସିଲ , ଡାଏରୀ, ବାୟୋଡାଟା ଫର୍ମ ,ଚେକ୍ ବୁକ୍, ବ୍ୟାଙ୍କ ଆକାଉଣ୍ଟ ଆଦି ଜବତ କରାଯାଇଛି । ଏପରିକି ଗିରଫ ଜଗଦୀଶଙ୍କ ଗୋଟିଏ ଆକାଉଣ୍ଟରେ ଗତ ୨୦୨୩ ଫେବୃୟାରୀ ମାସର ୧୧ ତାରିଖ ସୁଦ୍ଧା ପ୍ରାୟ ୧ କୋଟି ୯୬ ଲକ୍ଷ ୫୨ ହଜାର ୫୦୦ ଟଙ୍କାର ବିଭିନ୍ନ ଆକାଉଣ୍ଟରୁ କାରବାର ହୋଇଥିବା ପୋଲିସ ତଦନ୍ତରୁ ଜାଣିପାରିଥିବା କୁହାଯାଇଛି ।
ପୋଲିସର ପରାମର୍ଶ:
ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ କହିଛନ୍ତି, "ସରକାରୀ ନିଯୁକ୍ତି ଦେବା ନାମରେ ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗଠାରୁ ଦୂରେଇ ରୁହନ୍ତୁ । ଏଭଳି ଠକେଇର ଶିକାର ହେଲେ ପୋଲିସର ସହାୟତା ନିଅନ୍ତୁ ।"
ଇଟିଭି ଭାରତ, ବ୍ରହ୍ମପୁର