ମାଲକାନଗିରି: ନବ ନିର୍ବାଚିତ ବିଧାୟକଙ୍କୁ ଦଂଶନ କଲା ସାପ । ସାପ କାମୁଡାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଚିକିତ୍ସା ପରେ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି ଓ ସ୍ଵାସ୍ଥ୍ୟବସ୍ଥା ଠିକ ଅଛି ବୋଲି ଡାକ୍ତର କହିଛନ୍ତି । ଖିଲ ତାଙ୍କ ଘର ବାଡ଼ି ପଛପଟକୁ ଯାଇଥିବା ବେଳେ ତାଙ୍କ ଗୋଡ଼କୁ ସାପ କାମୁଡି ଦେଇଥିଲା ବୋଲି ସେ କହିଛନ୍ତି ।
ଗତକାଲି ଘର ବାଡ଼ି ପଛକୁ ଯାଇଥିବା ବେଳେ ମଙ୍ଗୁ ଖିଲଙ୍କ ଗୋଡ଼କୁ ସାପ ଦଂଶନ କରିଥିଲା । ଏହାପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ରକ୍ତ ପରିକ୍ଷା କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବିକ, ରକ୍ତ ପରିକ୍ଷାରେ ସାପ ବିସର କୌଣସି ନମୁନା ମିଳିନଥିଲା ଏବଂ ତାଙ୍କୁ ବିଛା କମୁଡିଥିଲା । ବର୍ତ୍ତମାନ ସେ ସୁସ୍ଥ ଅନୁଭବ କରିବାପରେ ତାଙ୍କୁ ବିଶ୍ରାମ ନେବା ପାଇଁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି କହିଛନ୍ତି କଡୁମୁଲୁଗୁମା ଚିକିତ୍ସାଳୟର ଡାକ୍ତର । ଏହି ଖବର ଜାଣିବା ପରେ ହସ୍ପିଟାଲରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ସହିତ କଂଗ୍ରେସ କର୍ମୀ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ଚଳିତ ନିର୍ବାଚନରେ ଚିତ୍ରକୋଣ୍ଡା ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଫଳାଫଳ ଆସିବା ପରେ ସବୁ ଆଡେ ପଦ୍ମ ଫୁଟିଥିବା ବେଳେ ଏହି ଆସନରେ ହାତ ଉଠିଥିଲା । କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଥିଲେ। ସେ ୫୫୫୫୦ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ଶିଶା ୪୬୩୯୧ଟି ଭୋଟ ପାଇଥିଲେ ।
ଇଟିଭି ଭାରତ, ମାଲକାନଗିରି