ଭୁବନେଶ୍ବର: ବିଜେପି ସରକାରେ ବଦଳିବ ଭୁବନେଶ୍ବର ବିମାନ ବନ୍ଦର ରୂପରେଖ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ଦୁଇ ବର୍ଷ ମଧ୍ୟରେ ୮୦ ଲକ୍ଷ କ୍ଷମତା ବିଶିଷ୍ଟ ନୂଆ ଟର୍ମିନାଲ ନିର୍ମାଣ ହେବ । ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ । ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ ବୋଲି ଭୁବନେଶ୍ବର ବିମାନ ବନ୍ଦର ସମୀକ୍ଷା ପରେ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।
୨ ବର୍ଷ ମଧ୍ୟରେ ନିର୍ମାଣ ହେବ ନୂଆ ଟର୍ମିନାଲ:
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ପ୍ରତିକ୍ରିୟାରେ କହିଛନ୍ତି, "ଏବେ ଦେଶର ୨୦ଟି ସହର ସହ ବିଦେଶର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ । ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ ଲୋକସଂଖ୍ୟା କ୍ଷମତା ରହିଛି । ଏହାକୁ ବୃଦ୍ଧି କରାଯିବ । ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ''
ରନୱେ କ୍ୟାଟଟୁ ଲାଇଟ ମାସେ ଭିତରେ ଶେଷ ହେବ:
କେ. ରାମମୋହନ ନାଇଡୁ ଆହୁରି ମଧ୍ୟ କହିଛନ୍ତି, " ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ । ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ । ରାଜ୍ୟର ରାଜଧାନୀର ଏହି ଏୟାରପୋର୍ଟ ରହିଛି । ଯାହା ଧିରେ ଧିରେ ବୃଦ୍ଧି ହେଉଛି । ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ । ନୂଆ ଟର୍ମିନାଲ ବାନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଏବେ ଏହି ଏୟାରପୋର୍ଟ ଦେଶରେ ୨୦ ସହରକୁ ସଂଯୋଗ କରୁଛି । ଆଗକୁ ଜମ୍ମୁ, ଗୁଜୁରାଟ, ଆନ୍ଧ୍ର, ଭଳି ଦେଶର ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି ଆସୁଛି । ଯାହାକୁ ନେଇ ମନ୍ତ୍ରଣାଳୟ ସହ କଥା ହୋଇ ପୂରଣ କରାଯିବ ।''
ରିଜିଓନାଲ ଏୟାରପୋର୍ଟ ଉନ୍ନତି କରଣ ଉପରେ ଗୁରୁତ୍ବ:
ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି । ଗତ ଦଶ ବର୍ଷ ମଧ୍ୟରେ ଉତ୍କେଲା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟର କିଭଳି ଉନ୍ନତି କରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ରାଜ୍ୟ ସରକାର ସିଭିଲ ଏଭିଏସନ୍ କୁ ନେଇ ବେଶ ତତ୍ପର ଅଛନ୍ତି। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ" ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।
ପୁରୀ ଏୟାରପୋର୍ଟ ପାଇଁ ସାଇଟ କ୍ଲିୟରାଂଶ ମିଳିସାରିଛି:
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳି ସାରିଛି । ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏଥିପାଇଁ ମନ୍ତ୍ରଣାଳୟ ସବୁ ପ୍ରକାର ସହଯୋଗ କରିବ । ''
ଇଟିଭି ଭାରତ, ଭୁବନେଶ୍ବର