କେନ୍ଦ୍ରାପଡା: ସାଧାରଣତଃ ଜଣେ ମହିଳାଙ୍କୁ ଶ୍ମଶାନ ଯିବା ମନା ହୋଇଥାଏ । ମୁସଲମାନ ମହିଳାଙ୍କ କ୍ଷେତ୍ରରେ ତ ଶ୍ମଶାନ ଦର୍ଶନ ମନା । ହେଲେ କେନ୍ଦ୍ରାପଡା ସହରରେ ଏମିତି ଜଣେ ମୁସଲମାନ ମହିଳା ଅଛନ୍ତି ଯିଏ କି ଦିନେ କି ଦୁଇ ଦିନ ନୁହଁ ଗତ ୧୦ ବର୍ଷ ଧରି ଶ୍ମଶାନର ଦେଖାଶୁଣା କରିଆସୁଛନ୍ତି । ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡା ପୌରପାଳିକା ଅଧିନ ୧୩ନଂ ୱାର୍ଡର ରଣପଡାର ସେକ ସୁଲେମାନଙ୍କ ପତ୍ନୀ ଶମଶୁନ ବିବି । ସେ ରଣପଡାସ୍ଥିତ ହିନ୍ଦୁ ଶ୍ମଶାନ ଏବଂ ମୁସଲମାନ କବରସ୍ତାନର ଦେଖାରଖା କରି ଆସୁଛନ୍ତି ।
ଅଚିହ୍ନା ମୃତକଙ୍କ ସାଥୀ ଶମଶୁନ ବିବି: ଖରା ହେଉ କି ବର୍ଷା, ଦିନ ହେଉ କି ରାତି... ସହରର ୮ ଖଣ୍ଡ ମୌଜାରେ ଯାହାର ମୃତ୍ୟୁ ହୋଇଥାଏ ସମସ୍ତଙ୍କ ପାଇଁ ଖୋଜା ପଡ଼ିଥାନ୍ତି ଶମଶୁନ । ଶମଶୁନ ଅନ୍ତିମ କ୍ରିୟା ଶେଷ ପର୍ଯ୍ୟନ୍ତ ଶ୍ମଶାନରେ ଉପସ୍ଥିତ ରହିଥାନ୍ତି। ୨୦୧୨ ମସିହାରେ ଶ୍ମଶାନ ସୁରକ୍ଷା ସମିତି ପକ୍ଷରୁ ଶମଶୁନଙ୍କୁ ଏହି ଶ୍ମଶାନର ଦେଖାରଖା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସେବେ ଠାରୁ ସେ ଏହାର ଦାୟିତ୍ୱରେ ରହିଥିବା ବେଳେ ସେବେଠାରୁ ଆଜି ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ଶ୍ମଶାନର ଟିକିନିଖି କଥା ବୁଝିଥାନ୍ତି ଶମଶୁନ ।
ଶ୍ମଶାନର ସୌନ୍ଦର୍ଯ୍ୟକରଣ ବି ଦିଅନ୍ତି ଗୁରୁତ୍ୱ: ସେତେବେଳେ ଶ୍ମଶାନର ଅବସ୍ଥା ନକହିଲେ ଭଲ। ହେଲେ ବର୍ତ୍ତମାନ ଶଶ୍ମାନର ରୂପ ବଦଳିଯାଇଛି। ଶମଶୁନ ଶ୍ମଶାନର ଦେଖାଶୁଣା କରିବା ସହ ଏହାର ସୌନ୍ଦଯ୍ୟକରଣ ଉପରେ ବି ଗୁରୁତ୍ୱ ଦେଇଛନ୍ତି। ପଶୁପକ୍ଷୀ ଏବଂ ଅସାମାଜିକ ଲୋକଙ୍କ ଅବୈଧ ପ୍ରବେଶ ନେଇ ଶ୍ମଶାନର ଚତୁଃପାର୍ଶ୍ୱରେ ତାରବାଡ଼ ଘେରାଇ ବିଭିନ୍ନ କିସମର ଗଛ ଲଗାଇ ଏହାର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିଛନ୍ତି। ତେବେ ଜଣେ ମୁସଲମାନ ମହିଳା ହୋଇ ମଧ୍ୟ ହିନ୍ଦୁ ଶ୍ମଶାନର ଜଗୁଆଳି ଭାବେ କାର୍ଯ୍ୟ କରି ଭାଇଚାରା ସୃଷ୍ଟି କରିଛନ୍ତି ଶମଶୁନ ।
ସରକାରୀ ସହାୟତା ଅପେକ୍ଷାରେ ଶମଶୁନ: ତେବେ ତାଙ୍କୁ ଏଠାରେ ଅନୌପଚାରିକ ଭାବେ ୨୦୧୨ ମସିହାରୁ ରଖାଯାଇଥିବା ବେଳେ ପାରିଶ୍ରମିକ ବାବଦରେ ଟଙ୍କା ଦେବା ପାଇଁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ହେଲେ ତାଙ୍କର ଏହି ମହାନତା ପାଇଁ ମୃତକଙ୍କ ସମ୍ପର୍କୀୟମାନେ ତାଙ୍କୁ 100ଟଙ୍କା ପାରିଶ୍ରାମିକ ଦେଇଥାଆନ୍ତି । କିନ୍ତୁ ପରିତାପର ବିଷୟ ଯେ, ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶ୍ମଶାନରେ ସେବା ଜାରି ରଖିଥିଲେ ହେଁ ଏଯାଏଁ ମିଳିପରିନି ସରକାରୀ ସହାୟତା ।
ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଛନ୍ତି ଶମଶୁନ: ଅନ୍ୟପଟେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଖୋଦ ତାଙ୍କ ବିଷୟରେ ଜାଣିନଥିବା କହିଛନ୍ତି। ସେପଟେ ସେବାକୁ ଧର୍ମ ଭାବି ଦିନେ ନା ଦିନେ ପାରିଶ୍ରମିକ ପାଇବା ଆଶାରେ ରହିଛନ୍ତି ଶମଶୁନ ବିବି । ତେବେ ଏଯାବତ ୧୦୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କର ଅନ୍ତିମ କ୍ରିୟାରେ ନିଷ୍ଠାର ସହ ସେବା ଯୋଗାଇ ଆସୁଥିବା ଶମଶୁନଙ୍କ ଧୈର୍ଯ୍ୟ ଓ ସାହସ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ।
ଏହା ମଧ୍ୟ ପଢନ୍ତୁ: 35 ବର୍ଷ ଧରି ଶ୍ମଶାନ ଦାୟିତ୍ବରେ ସାହାନୁର ବେଗମ
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ