ଢେଙ୍କାନାଳ: ହାଟରେ ଫୁଟିଲା ବୋମା । ଗୋରୁ ବେପାରୀଙ୍କ ଉପରେ ବୋମାମାଡ କରି ପାଖାପାଖି ୧୪ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଆଜି (ଶୁକ୍ରବାର) ସକାଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ଏପରି ବଡ ଧରଣର ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ହାଟରେ ଗୋରୁ କିଣିବାକୁ ଆସିଥିବା ବେପାରୀଙ୍କୁ ଗୁଳିମାଡ ଓ ବୋମାମାଡ କରି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ସହ ଗୋଟିଏ ବୋଲେରୋ ଗାଡି ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ଏହି ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କ ସମ୍ପର୍କରେ ଏ ଯାଏଁ କିଛି ସୂଚନା ମିଳିନି ।
ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ୍ ବଢିବାରେ ଲାଗିଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ୬ ଜଣ ଲୋକ ଗୋରୁ କିଣିବା ପାଇଁ ଜିରାଳା ସାପ୍ତାହିକ ହାଟକୁ ଏକ ବୋଲେରୋ ଯୋଗେ ଆସିଥିଲେ । ଏତିକି ବେଳେ ୫ ଜଣ ଦୁର୍ବୃତ୍ତ ୩ଟି ବାଇକ ଓ ସ୍କୁଟିରେ ସେଠି ପହଞ୍ଚି ଥିଲେ । ସେମାନେ ବୋଲେରୋ ବସିଥିବା ଡ୍ରାଇଭର ଓ ବ୍ୟବସାୟୀଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଗୁଳି ଗାଡିରେ ବାଜିଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିଲା । ଏହାପରେ ଦୁର୍ବୃତ୍ତମାନେ ଗାଡି ଉପରକୁ ବୋମାମାଡ କରିଥିଲେ । ଫଳରେ ହାଟରେ ଆତଙ୍କ ଖେଳି ଯାଇଥିଲା ।
ଏହି ସୁଯୋଗରେ ଦୁର୍ବୃତ୍ତମାନେ ବୋଲେରୋରେ ଥିବା ଟଙ୍କା ବ୍ୟାଗ ସହ ଗାଡିକୁ ନେଇ ଫେରାର୍ ମାରିଥିଲେ । ସେହି ବ୍ୟାଗରେ ପ୍ରାୟ ୧୪ ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଲୋଡନ ଖେଳାଇଛି । ଏମିତି ହାଟ ଭିତରେ ଲୁଟେରାଙ୍କ ଆତଙ୍କରାଜ ଦେଖି ସମସ୍ତେ ନିଜ ଧନଜୀବନ ସୁରକ୍ଷା ନେଇ ଭୟଭୀତ ହୋଇପଡିଛନ୍ତି । ଲୁଟେରାମାନଙ୍କୁ ଧରିବା ପାଇଁ କାମାକ୍ଷାନଗର ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଲୁଟ୍ ଖବର ବାରମ୍ବାର ସାମ୍ନାକୁ ଆସୁଛି ।
ଇଟିଭି ଭାରତ, ଢେଙ୍କାନାଳ