ଭୁବନେଶ୍ବର: ପାଖେଇ ଆସୁଛି ଝାଡ଼ଖଣ୍ଡ ନିର୍ବାଚନ ତାରିଖ । ଆସନ୍ତାକାଲି ଠାରୁ ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ବିଜେପି ପାଇଁ ଝାରଖଣ୍ଡରେ ନିର୍ବାଚନ ପ୍ରଚାର କରିବେ । ଏହାସହ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଝାଡଖଣ୍ଡ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ:
ଝାଡଖଣ୍ଡ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାକୁ ନେଇ ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ବିଜେପି ନେତା । ଆସନ୍ତା ୮,୯ ଏବଂ ୧୦ ତାରିଖରେ ଝାରଖଣ୍ଡର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଶେଷ କରି ଝାଡଖଣ୍ଡର ଯେଉଁ ୧୮ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି । ସେଠାରେ ପ୍ରଚାର କରିବେ ରାଜ୍ୟ ବିଜେପି ନେତୃତ୍ଵ ।
ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢୋକ୍ତି:
ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡଖଣ୍ଡ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ । ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ବିଜେପିର ଅନ୍ୟ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତ କରିବେ । ବିଶେଷ କରି ମୟୂରଭଞ୍ଜ,କେନ୍ଦୁଝର ଏବଂ ସୁନ୍ଦରଗଡ଼ର ବିଜେପି ବିଧାୟକ, ସାଂସଦମାନେ ଝାଡଖଣ୍ଡରେ ପ୍ରଚାର କରିବେ । ଓଡ଼ିଶା ପରି ଝାଡ଼ଖଣ୍ଡରେ ମଧ୍ୟ ବିଜେପିର ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା । ତେବେ ଆସନ୍ତା ନଭେମ୍ବର ୧୩ ଏବଂ ୨୦ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ଏହା ମଧ୍ୟ ପଢନ୍ତୁ ...‘ହରିୟାଣା ଫଳାଫଳ ସୂଚାଉଛି ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ମଧ୍ୟ ବିଜେପିର ହେବ’ ଏହା ମଧ୍ୟ ପଢନ୍ତୁ ...AICC ବୈଠକରେ ରିଜୋଲିସନ, ଝାଡ଼ଖଣ୍ଡ-ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି |
୧୮ଟି ନିର୍ବାଚନ ମଣ୍ଡଳୀ ଜଗିବେ ଓଡ଼ିଶା ନେତା:
ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ଦାୟିତ୍ବରେ ଥିବା ନେତା ଝାଡଖଣ୍ଡ ନିର୍ବାଚନ ପାଇଁ ସମରସଜ୍ଜା କରିବେ । ଝାଡଖଣ୍ଡର ୮୧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୮ଟି ନିର୍ବାଚନ ମଣ୍ଡଳୀରେ ଜଗିବେ ଓଡ଼ିଶା ନେତା । ପ୍ରତି ନିର୍ବାଚନ ମଣ୍ଡଳୀରେ ଦୁଇଜଣ ନେତା ଓ ଶତାଧିକ ଛାମୁଆ କର୍ମୀ ନିର୍ବାଚନ ପରିଚାଳନା କରିବେ । ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ପାଖାପାଖି ଅଛନ୍ତି । ଏହି ଭୋଟବ୍ୟାଙ୍କ ଉପରେ ନଜର ରଖିବ ଓଡ଼ିଶା ବିଜେପି । ଏହାବାଦ ଝାଡଖଣ୍ଡ ଆଦିବାସୀ ସମ୍ପ୍ରଦାୟର ଭୋଟରଙ୍କୁ ଟାଣିବାକୁ ଦାୟିତ୍ବ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି," ଝାରଖଣ୍ଡ ହେଉଛି ଆମର ପଡୋଶୀ ରାଜ୍ୟ । ସେଠାରେ ଓଡିଆ ଲୋକମାନେ ବସବାସ କରନ୍ତି । ଆମେ ଚାହୁଁଛୁ ସେଠାରେ ଡ଼ବଲ ଇଞ୍ଜିନ୍ ସରକାର ଆସୁ ।"
ଇଟିଭି ଭାରତ, ଭୁବନେଶ୍ବର