ଭୁବନେଶ୍ବର: ରାଜ୍ୟରୁ ଶୀତ ଅପସରି ଯାଉଥିବା ବେଳେ ରାଜ୍ୟବାସୀଙ୍କୁ କଲବଲ କରୁଛି ଘନ କୁହୁଡ଼ି । ଓଡ଼ିଶାର ପାଣିପାଗ ଶୁଖିଲା ରହିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡି଼ ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ଆଗାମୀ ୨ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ । ସେପଟେ 6 ତାରିଖ ସକାଳ ପାଇଁ କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର ଓ ଭଦ୍ରକ ଭଳି ୧୨ ଜିଲ୍ଲାକୁ ଘନ କୁହୁଡି଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ....ଆହୁରି ଦୁଇଦିନ ରାଜ୍ୟରେ ଘନ କୁହୁଡି, ୭ ଯାଏଁ ବର୍ଷା !
ସେହିପରି ଆସନ୍ତା 6 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ତିନି ଜିଲ୍ଲାରେ ମୁଖ୍ୟତଃ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ 7 ତାରିଖରେ ସୁନ୍ଦରଗଡ଼, ଦେଓଗଡ, କେନ୍ଦ୍ରାପଡ଼ା, ଅନୁଗୋଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୮ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ପାରାଦ୍ବୀପ ଓ ନୟାଗଡରେ ୫୦ମିଟର ରହିଥିବା ବେଳେ ଅନୁଗୋଳ, ଗୋପାଳପୁର, କଟକ, ଢେଙ୍କାନାଳ, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ସ୍ଥିତିରେ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୮.୨ ମିମି ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର