ବାଲେଶ୍ୱର: ବାଲିଆପାଳ ଚୌମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ଼ ବହୁମୁଖୀ ବନ୍ଦର ପ୍ରକଳ୍ପ ସମ୍ପର୍କରେ ଗତକାଲି (ମଙ୍ଗଳବାର) ସ୍ଥାନୀୟ ପ୍ରଶାସନ ଏକ ଜନଶୁଣାଣି ଶିବିର ଆୟୋଜନ କରିଥିଲା । ଏଥିରେ 6ଟି ପଞ୍ଚାୟତର ପ୍ରାୟ 10 ହଜାର ସ୍ଥାନୀୟ ଲୋକେ ଅଂଶ ଗ୍ରହଣ କରି ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି । ହାତରେ ପ୍ଲାକକାର୍ଡ ଧରି ସେମାନେ ପ୍ରକଳ୍ପ ଓ କମ୍ପାନୀ ବିରୋଧରେ ନାରାବାଜୀ କରିଥିଲେ । ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ପ୍ରକଳ୍ପ ସପକ୍ଷ ଓ ବିପକ୍ଷରେ ମତାମତ ଆସିଛି । ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ।
- ଏକାଠି ହେଲେ 10 ହଜାରରୁ ଅଧିକ ଗ୍ରାମବାସୀ:-
ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଡଗରା ମକର ମେଳା ପଡିଆରେ ଏହି ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇ ଅଧିକାଂଶ ବନ୍ଦର ନିର୍ମାଣକୁ ବିରୋଧ କରିଥିଲେ । ବନ୍ଦର ନିର୍ମାଣ ହେଲେ ଜୀବନ ଜୀବିକା ସହ ସେମାନଙ୍କୁ ଚାଷ ହରାଇବାକୁ ପଡ଼ିବ ବୋଲି ‘ଉପକୂଳ ଭିଟାମାଟି ସୁରକ୍ଷା କମିଟି’ ଅଭିଯୋଗ କରିଛି । ବାଲିଆପାଳ ହେଉଛି ଧାନ,ପାନ,ମୀନ ଓ କାଜୁର ଅଞ୍ଚଳ । ଏହି ସବୁ ଚାଷ ଉପରେ ବାଲିଆପାଳବାସୀଙ୍କ ଜୀବନ-ଜୀବିକା ନିର୍ଭର । ତେଣୁ ବନ୍ଦର ନିର୍ମାଣ ହେଲେ ଏସବୁ ଉଜୁଡିଯିବା ଆଶଙ୍କା କରି ବିରୋଧ କରାଯାଉଥିବା ଗ୍ରାମବାସୀ କହିଛନ୍ତି ।
- ୧୧୦୫ ଏକରରେ ନିର୍ମାଣ ହେବ ଏହି ବନ୍ଦର
ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ଚେନ୍ନାଇର ଏକ ଘରୋଇ କମ୍ପାନୀ ‘କ୍ରିଏଟିଭ୍ ପୋର୍ଟ ପ୍ରାଇଭେଟ ଲିମିଟେଡ’କୁ ୨୦୦୮ ମସିହାରେ ଅନୁମତି ମିଳିଥିଲା । ୧୧୦୫ ଏକର ପରିମିତ ଏହି ପ୍ରସ୍ତାବିତ ପ୍ରକଳ୍ପରେ ୬୯୨ ଏକର ଜବରଦଖଲ ଜମି ମୁକ୍ତ କରାଯାଇ ବନ୍ଦର ନିର୍ମାଣ ହେବ । ଏହା ସହ ରେଳ ଲାଇନ ଓ ରାସ୍ତା ସଂଯୋଗୀକରଣକୁ ଛାଡିଦେଲେ ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ କରାଯିବ ନାହିଁ କିମ୍ବା କେହି ଜଣେ ମଧ୍ୟ ସ୍ଥାନୀୟ ଲୋକେ ବିସ୍ଥାପିତ ହେବେ ନାହିଁ ବୋଲି କମ୍ପାନୀ କହୁଛି ।
- BOOST ମୋଡରେ ହେବ ଏହି ପ୍ରକଳ୍ପ
BOOST ବା (ବିଲ୍ଡ,ଓନ, ଅପରେଟ, ସେୟାର, ଟ୍ରାନ୍ସଫର) ମଡେଲରେ ହେବାକୁ ଥିବା ଏହି ବନ୍ଦରରେ ଓଡ଼ିଶା ସରକାରଙ୍କ ସହ ଏହି ନିର୍ମାଣକାରୀ କମ୍ପାନୀର ରାଜସ୍ୱ ବଣ୍ଟନ ବ୍ୟବସ୍ଥା ରହିବ । କିନ୍ତୁ ଦୀର୍ଘ ଦିନ ଲୋକଙ୍କ ବିରୋଧ ପାଇଁ ଏହି ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ତେବେ 2018ରେ ‘ଟାଟା ଷ୍ଟିଲ’ ଏହି କମ୍ପାନୀର ୫୧ % ଅଂଶଧନ ଅଧିଗ୍ରହଣ କରିବା ପରେ କାମ ଧିରେ ଧିରେ ଆଗକୁ ବଢ଼ିଥିଲା । ଏହାଭିତରେ ପ୍ରକଳ୍ପ ପାଇଁ ଥିବା ପରିବେଶ ମଞ୍ଜୁରୀର ଅବଧି ଶେଷ ହୋଇଯାଇଥିବାରୁ ‘ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ’ ତରଫରୁ ଏଥିପାଇଁ ଗତକାଲି (ମଙ୍ଗଳବାର) ବାଲିଆପାଳ ବ୍ଲକର ଡଗରା ମକର ପଡିଆ ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପ୍ରଦୂଷଣ ବୋର୍ଡ ମୁଖ୍ୟ ମନମୋହନ ମୁର୍ମୁ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଜନଶୁଣାଣି କରିଥିଲେ । ଏଥିରେ 6 ପଞ୍ଚାୟତର ଲୋକ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
- ମିଶ୍ରିତ ମତାମତ ମିଳିଛି, ସରକାରଙ୍କୁ ଜଣାଇବୁ: ଅତିରିକ୍ତ ଜିଲ୍ଲାପାଳ
ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି,‘‘ ଜନ ଶୁଣାଣି କାର୍ଯ୍ୟକ୍ରମରେ 14ଟି ପଞ୍ଚାୟତର ଜନ ପ୍ରତିନିଧି ଓ ସାଧାରଣ ଜନତା ବହୁଳ ସଂଖ୍ୟାରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରି ଅନେକ ବ୍ୟକ୍ତି ବିଶେଷ ତାଙ୍କର ମତାମତ ଦେଇଛନ୍ତି । ସେମାନଙ୍କ ମତାମତକୁ ଆମେ ଭିଡିଓ ରେକର୍ଡ଼ିଂ କରିଛୁ । ସଂଗ୍ରହ ହୋଇଥିବା ସମସ୍ତ ମତାମତ ଆମେ ସରକାରଙ୍କୁ ପ୍ରଦାନ କରିବୁ । ସରକାର ତା’ ଉପରେ ନିୟମ ଅନୁସାରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ।’’
ଇଟିଭି ଭାରତ, ବାଲେଶ୍ବର