କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ଅନ୍ୟ ପୁରୁଷ ସହ ସମ୍ପର୍କକୁ ସହିପାରିଲା ନାହିଁ ସ୍ବାମୀ । ଶେଷରେ ରାଗରେ ଜର୍ଜରିତ ସ୍ତ୍ରୀର ଜୀବନ ନେଲା । ସ୍ବାମୀର ତୀର ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗାଁରେ । ମୃତକ ହେଉଛନ୍ତି ଚିନି ମୁଣ୍ଡା । ଅଭିଯୁକ୍ତ ସ୍ବାମୀ ଦଶର ମୁଣ୍ଡାକୁ ଗିରଫ କରି ପୋଲିସ ପଚରାଉଚରା କରୁଛି ।
ପରକୀୟା ପ୍ରୀତି ହେଲା କାଳ:
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ହାଣ୍ଡିଭଙ୍ଗାର ଦଶର ମୁଣ୍ଡାଙ୍କ ସ୍ତ୍ରୀ ଚିନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରହିଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ବୁଧବାର ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ବଚସା ହୋଇଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂର ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦଶର ମୁଣ୍ଡା ଚିନି ମୁଣ୍ଡାଙ୍କୁ ଘରେ ଥିବା ଧନୁରେ ତୀର ମାଡ କରିଥିଲା । ଫଳରେ ତୀରଟି ଚିନିଙ୍କ ଛାତିରେ ବାଜିଥିଲା।
ଏହା ମଧ୍ୟ ପଢନ୍ତୁ-ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ - କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀମୃତ୍ୟୁ
ସ୍ବାମୀ ଗିରଫ:
ଗତକାଲି ସକାଳେ ସ୍ୱାମୀ ଦଶର ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଚିକିତ୍ସା ନିମନ୍ତେ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ତାଠାରୁ ଧନୁ, ତୀର ଜବତ କରିଛି । ଏଥି ସହ ପୋଲିସ ତାକୁ ପଚରାଉଚୁରା ଜାରି ରଖିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ।
ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ କହିଛନ୍ତି, ''ହାଣ୍ଡିଭଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ତାର ସ୍ତ୍ରୀକୁ ତୀର ମାରି ହତ୍ୟା କରିଛି ସ୍ବାମୀ ତାର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି କାଣ୍ଡ ଭିଆଇଛି । ଗତକାଲି ରାତିରେ ଏପରି ଘଟଣା ଘଟିଥିଲା । ସକାଳ ସମୟରେ ହସ୍ପିଟାଲ ନିଆଯାଇଥିବା ବେଳେ ସ୍ତ୍ରୀକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ''
ଇଟିଭି ଭାରତ, କେନ୍ଦୁଝର