କଟକ: ମହଙ୍ଗା ପଡ଼ିଲା ପ୍ରେମିକର ଜିଦି । ଯୁବକଙ୍କୁ ହତ୍ୟା କଲା ପ୍ରେମିକାର ମଉସା । ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପ୍ରେମିକର ଜିଦି ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ସଦର କଟକ ଏଡିସିପି । ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଘଟଣାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ । କଟକ ସଦର ଥାନା ଅଧୀନ ଇନ୍ଦିରା ଗ୍ରାମରେ ଗତ ରବିବାର ଦିନ ବିଳମ୍ବିତ ରାତିରେ ରାଜେଶ ସାହୁ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନକୁ ଗିରଫ କରିଛି ସଦର ଥାନା ପୋଲିସ ।
ଅମାନିଆ ପ୍ରେମିକର ଜିଦିକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ସଦର କଟକ ଏଡିସିପି । ତେବେ ସଦର ଥାନା ଅଧିନ ଏକ ଗାଁର ରାଜେଶ ସାହୁ ସେହି ଗାଁର ଜଣେ ନାବାଳିକାକୁ ୪ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏମିତିକି ପୂର୍ବରୁ ଥରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲକୁ ଯାଇଥିଲା । ଏହାପରେ ଦୁଇ ପରିବାର ମଝିରେ ଆପୋଷ ସମାଧାନ ହୋଇଥିଲା । ଝିଅ ସାବାଳିକା ହେଲେ ଉଭୟଙ୍କ ବାହାଘର କରାଯିବ ବୋଲି କଥା ବାର୍ତ୍ତା ମଧ୍ୟ ହୋଇଥିଲା । ଏହାପରେ ବାହାଘର ପାଇଁ ଜିଦ ଧରି ବିଭିନ୍ନ ସମୟରେ ରାଜେଶ ଝିଅ ଘରକୁ ଯିବା ଆସିବା କରିଥାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିଥିବା ସନ୍ଦେହ
ତେବେ କୌଣସି କାରଣରୁ ମୃତ ରାଜେଶ ସେହି ନାବାଳିକାଙ୍କ ଘର ସମ୍ମୁଖରେ ଅସନ୍ତୋଷ ସୃଷ୍ଟି କରିଥିଲେ । ଯାହା ଫଳରେ ଝିଅ ଘର ଲୋକେ ଏହାକୁ ବିରୋଧ କରିଥିଲେ । ବାର ବାର କହିବା ସତ୍ତ୍ବେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ । ଏପରିକି ଅତିଶୟ ହେବା ଫଳରେ ସେଠାରେ ନାବାଳିକାଙ୍କ ମଉସା ଶ୍ୟାମ ପ୍ରଧାନ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ପରେ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା ସଦର ଥାନା ପୋଲିସ ।
ଏନେଇ ପୋଲିସ ଏଡିସିପି ଅନିଲ କୁମାର ମିଶ୍ର କହିଛନ୍ତି ଯେ,ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପ୍ରଥମେ ଏହି ଘଟଣାରେ ବ୍ୟବହୃତ ଧାରୁଆ ଛୁରୀକୁ ଜବତ କରାଯାଇଛି । ଏହା ସହ ଗତକାଲି ଶ୍ୟାମ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ବୀକାର କରିଛି ଅଭିଯୁକ୍ତ ଶ୍ୟାମ ପ୍ରଧାନ ।
ଇଟିଭି ଭାରତ, କଟକ