ମାଲକାନଗିରି: ଶୁଖିଲା ପଡିଛି ସତୀଗୁଡା ଜଳଭଣ୍ଡାର । ମାଲକାନଗିରି ସହରରେ ପିଇବା ପାଣିର ସମସ୍ୟା । ସତୀଗୁଡା ଜଳଭଣ୍ଡାରର ପୁନରୁଦ୍ଧାର ପାଇଁ ଦାବି । ମାଟିରେ ପୋତି ହୋଇଛି ସତୀଗୁଡ଼ା ଜଳ ଭଣ୍ଡାର ।୧୯୬୬ ମସିହାରେ ନିର୍ମିତ ଏହି ଡ୍ୟାମଟି ବର୍ତ୍ତମାନ ଧିରେ ଧିରେ ପୋତି ହବା ଫଳରେ ଜଳଭଣ୍ଡାରରେ ପାଣି ସ୍ତର କମିବାକୁ ଲାଗିଛି । ପାଣି ଶୁଖିଯିବା ଫଳରେ ମାଲକାନଗିରି ସହରରେ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟରେ ଥିବା ସତୀଗୁଡା ଜଳଭଣ୍ଡାର । ଯାହାକି ବର୍ତ୍ତମାନ ଲୋକଙ୍କ ପାଇଁ ଏକ ପର୍ଯ୍ୟଟନୀ ସ୍ଥାନ ପାଲଟିଛି । ସୂଚନା ଅନୁଯାଇ ଏହି ଜଳ ଭଣ୍ଡାରଟି ପ୍ରକୃତରେ ବାଂଲାଦେଶରୁ ଆସିଥିବା ଶହ ଶହ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ମାଲକାନଗିରି ଠାରେ ଥଇଥାନ କରାଯିବା ସମୟରେ ସେମାନଙ୍କ ଚାଷଜମିରେ ଜଳଯୋଗାଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା । ୧୯୬୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ରନାରୟଣ ସିଂଦେଓ ଏହି ଜଳଭଣ୍ଡାରର ଉଦଘାଟନ କରିଥିଲେ । ସେହି ସମୟରେ ଜଳଭଣ୍ଡାର ନିର୍ମାଣ ପାଇଁ ୨୦ କୋଟିରୁ ଊର୍ଦ୍ଧ୍ବକୁ ଟଙ୍କା ଖର୍ଚ୍ଚ ହୋଇଥିଲା ।
ତେବେ ଜଳଭଣ୍ଡାରରୁ ଡାହାଣ ଓ ବାମ କେନାଲ ମାଧ୍ୟମରେ ଚାଷୀଙ୍କ ଜମିରେ ସୁରୁଖୁରୁରେ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଥିଲ। । ଏହି ଜଳଭଣ୍ଡାରରୁ ଖରିଫ ଋତୁରେ ୯୦୬୫ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣର ବ୍ୟବସ୍ଥା ରହିଛି । ସେହିଭଳି ରବି ଋତୁରେ ୪୫୩୫ ହେକ୍ଟର ଜମିରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଏହାସହ ସେହି ସମୟରେ DNK ପ୍ରୋଜେକ୍ଟ ଆରମ୍ଭ ହବାପରେ ମାଲକାନଗିରି ସହରରେ ଥିବା DNK ପ୍ରୋଜେକ୍ଟର ୪ଶହ ରୁ ୫ଶହ ଷ୍ଟାପ କ୍ବାଟର ଗୁଡିକୁ ଏହି ଜଳଭଣ୍ଡାରରୁ ପାଣି ଦିଆଯାଇଥିଲା । ଯାହାକି ଏବେ ମାଲକାନଗିରି ମ୍ୟୁନିସିପାଲଟିର ୫୭୬୦ ଘରକୁ ପ୍ରତିଦିନ ୬.୩୦ ମିଲିୟନ ଲିଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରକୁ ପ୍ରତିଦିନ ୨ଲକ୍ଷ ଲିଟର ପାଣି ଯୋଗାଇ ଦିଆଯାଉଥିବା PHD JE ସୂଚନା ଦେଇଛନ୍ତି ।
ତେବେ ବର୍ଷା ଜଳ ଉପରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ନିର୍ଭର କରୁଥିବାବେଳେ ଦୁର୍ଭାଗ୍ୟବଶତଃ ଯଦି କମ୍ ବର୍ଷା ହୁଏ ତେବେ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଥିବା ବିଗତ ଦିନ ମାନଙ୍କରେ ଦେଖା ଦେଇଛି । ଯଦି ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ । ତେବେ ଚାଷ ଜମିତ ଦୂର କଥା ସହରକୁ ଜଳ ଯୋଗାଇବା କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଉକ୍ତ ଜଳଭଣ୍ଡାରରେ ୨୧୮ ଜଣ ପଞ୍ଜିକୃତ ମତ୍ସ୍ୟଜୀବୀ ଜଳଭଣ୍ଡାରରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । ହେଲେ ଏବେ ପାଣି ଶୁଖି ଯାଇଥିବାରକୁ ଜୀବିକା ହରାଇଛନ୍ତି ଶହ ଶହ ପରିବାର ।
ସେପଟେ ବନ ବିଭାଗ ତରଫରୁ ସ୍ବତନ୍ତ୍ର ଭାବେ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ କରାଯାଇଛି । କିନ୍ତୁ ପାଣିର କମ୍ ଥିବାରୁ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଜଳଭଣ୍ଡାରଟି ବର୍ତ୍ତମାନ ମାଟିରେ ପୋତି ହୋଇ ଯାଇଥିବାରୁ ଆଗାମୀ ଦିନରେ ଚାଷୀ ଓ ସହରବାସୀଙ୍କ ଜଳଯୋଗାଣ ପ୍ରକଳ୍ପକୁ ପୁନରୁଦ୍ଧାର କରା ନଗଲେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରିବ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ସେପଟେ PHD ଜେଇ କହିଛନ୍ତି,"ମାଲକାନଗିରି ସହରରେ ଲୋକ ସଂଖ୍ୟା ବଢିବା ସହ ପିଇବା ପାଣିର ଆବଶ୍ୟକତା ବଢିଛି । ଜଳଭଣ୍ଡାରରେ ପାଣି କମିଯାଇ ଥିବାରୁ ଜଳଭଣ୍ଡାର ମଧ୍ୟରୁ ନାଳକାଟି ଚାରଟି 30HP ର ମଟର ଲଗାଇ ମାଲକାନଗିରି ସହରକୁ ପାଣି ସପ୍ଲାଇ କରାଯାଉଛି । ଚଳିତବର୍ଷ ବର୍ଷା ଶୀଘ୍ର ଆସିଲେ ପାଣି ସମସ୍ୟା ରହିବ ନାହିଁ ।" ସେହିପରି ଜଳଭଣ୍ଡାର ଦାୟିତ୍ବରେ ଥିବା ଚିତ୍ରକୁଣ୍ଡା ମାଟିବନ୍ଧ ଯୋଜନାର ଅଧିକ୍ଷଣ ଯନ୍ତ୍ରୀ ରମାକାନ୍ତ ପାତ୍ରଙ୍କୁ କହିଛନ୍ତି," ସତୀଗୁଡା ଜଳଭଣ୍ଡାର ନିର୍ମାଣ ସମୟରେ ଯେତିକି ଚାଷ ଜମିରେ ମାଣି ମାଡୁଥିଲା ବର୍ତ୍ତମାନ ମଧ୍ୟ ସେତିକି ଚାଷ ଜମିରେ ପାଣି ମାଡୁଛି । ଜଳଭଣ୍ଡାର ପୋତି ହୋଇଥିଲେ ମଧ୍ୟ ଚାଷୀଙ୍କର ଜମିରେ ପାଣି ମାଡିବାରେ କୌଣସି ଅସୁବିଧା ନାହିଁ । ଏଣୁ ଜଳଭଣ୍ଡାର କୌଣସି ପୁନରୁଦ୍ଧାର ଦରକାର ନାହିଁ । ଯଦି ପିଇବା ପାଣି କଥା କୁହାଯାଏ,ତେବେ ଜଳଭଣ୍ଡାର ମଧ୍ୟରେ ପିଏଚଡିର ଏକ ଇନ୍ ଟେକ୍ ୱଲ୍ ଓ ମଟରକୁ ସଫା ରଖୁନାହିଁ PHD । ଯାହାଫଳରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ବର୍ତ୍ତମାନ ଦେଖିବାକୁ ବାକିରହିଲା ସତୀଗୁଡା ଜଳଭଣ୍ଡାରର ପୁନରୁଦ୍ଧାର କାମ କେବେ ଆରମ୍ଭ ହଉଛି ଏବଂ ଲୋକଙ୍କ ସମସ୍ୟାର କେବେ ସମାଧାନ ହେଉଛି ।"
ଇଟିଭି ଭାରତ, ମାଲକାନଗିରି